ନୂଆଦିଲ୍ଲୀ: ଚଳିତ ବିଶ୍ବକପ୍ରେ ସଂଘର୍ଷ କରୁଥିବା ପୂର୍ବତନ ବିଜେତା ଶ୍ରୀଲଙ୍କା ଏକ ଅଲୋଡ଼ା ତାଲିକା ଆରମ୍ଭ କରିଛି। ଆନ୍ତର୍ଜାତିକ କ୍ରିକେଟ୍ରେ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ୍ ପ୍ରଥମ ଖେଳାଳି ଭାବେ କୌଣସି ବଲ୍ର ସାମ୍ନା ନକରି ‘ଟାଇମ୍ଡ ଆଉଟ୍’ ହୋଇଛନ୍ତି। ଏହି ଧରଣର ଆଉଟ୍ ପୂର୍ବରୁ କେବଳ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ହୋଇଥିବା ଦେଖାଯାଇଛି। କିନ୍ତୁ ପ୍ରଥମ ଥର ପାଇଁ କୌଣସି ଆନ୍ତର୍ଜାତିକ କ୍ରିକେଟ୍ରେ ଟାଇମ୍ଡ ଆଉଟ୍ ରେକର୍ଡଭୁକ୍ତ ହୋଇଛି।
ବାଂଲାଦେଶ ବିପକ୍ଷ ବିଶ୍ବକପ୍ ମ୍ୟାଚ୍ରେ ସଦୀରା ସମରବିକ୍ରମା ୨୫ ତମ ଓଭରର ଦ୍ବିତୀୟ ବଲ୍ରେ ଆଉଟ୍ ହୋଇଥିଲେ। ହେଲେ ପରବର୍ତ୍ତୀ ବ୍ୟାଟର୍ ମାଥ୍ୟୁସ୍ ପଡ଼ିଆକୁ ଆସିବା ପାଇଁ ପାଖାପାଖି ୫ ମିନିଟ୍ ସମୟ ଲଗାଇଥିଲେ। ତାଙ୍କ ହେଲ୍ମେଟ୍ରେ କିଛି ସମସ୍ୟା ଥିବାରୁ ଖେଳିବାକୁ ଆସିବାରେ ବିଳମ୍ବ ହୋଇଥିଲା। ସମରବିକ୍ରମାଙ୍କ ୱିକେଟ୍କୁ ୩ଟା ୪୯ ମିନିଟ୍ ସମୟ ରେକର୍ଡ କରାଯାଇଥିଲା ବେଳେ ମାଥ୍ୟୁସ୍ ୩ଟା ୫୪ ମିନିଟ୍ରେ ପଡ଼ିଆକୁ ଆସିଥିଲେ। ତେଣୁ ନିୟମ ଅନୁସାରେ ଅମ୍ପାୟାର ତାଙ୍କୁ ଟାଇମ୍ଡ ଆଉଟ୍ ଘୋଷଣା କରିଥିଲେ। ଯାହାକୁ ନେଇ ଅମ୍ପାୟାରଙ୍କ ସହିତ ଯୁକ୍ତିତର୍କ ମଧ୍ୟ ହୋଇଥିଲା।
ବାଂଲାଦେଶ ଅଧିନାୟକ ସାକିବ୍ ଅଲ୍ ହାସନଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ। କିନ୍ତୁ ନିରାଶ ହୋଇ ଶେଷରେ ମାଥ୍ୟୁସ୍ ପିଚ୍ଠୁ ଫେରି ଆସିବା ସହ ବାଉଣ୍ଡରି ଦଉଡ଼ି ପାଖରେ ରାଗିଯାଇ ହେଲମେଟ୍କୁ ଫିଙ୍ଗି ଦେଇଥିଲେ। ସୂଚନାଯୋଗ୍ୟ, ଜଣେ ବ୍ୟାଟର୍ ଆଉଟ୍ ହେବା ପରେ ପରବର୍ତ୍ତୀ ବ୍ୟାଟର୍ଙ୍କୁ ବଲ୍ର ସାମ୍ନା କରିବା ସମୟ ୩ ମିନିଟ୍ ରହିଛି। ଚଳିତ ବିଶ୍ବକପ୍ରେ ଏହି ସମୟକୁ ୨ ମିନିଟ୍ ରଖାଯାଇଛି। କିନ୍ତୁ ମାଥ୍ୟୁସ୍ ପିଚ୍ ପାଖରେ ପହଞ୍ଚିବାକୁ ୫ ମିନିଟ୍ ସମୟ ନେଇଥିଲେ। ତେଣୁ ତାଙ୍କୁ ଆଉଟ୍ ଘୋଷଣା କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/sfhffhsfhfh-1.jpg)