ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ୍‌ ଇତିହାସରେ ପ୍ରଥମ ଥର ପାଇଁ ସମସ୍ତ ଦଳରେ ନୂଆ ଅଧିନାୟକଙ୍କୁ ଦେଖିବାକୁ ମିଳିବ। ଚଳିତ ବର୍ଷ ଅକ୍ଟୋବର ୫ରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଭାରତରେ ଆୟୋଜିତ ହେବାକୁ ଯାଉଥିବା ବିଶ୍ବକପ୍‌ରେ କୌଣସି ଗୋଟିଏ ବି ଦଳରେ ପୂର୍ବ ସଂସ୍କରଣ ଅଧିନାୟକ ନାହାନ୍ତି। ଯଦି ଆସନ୍ତା କିଛି ମାସ ମଧ୍ୟରେ ବିଶେଷ କିଛି ପରିବର୍ତନ ନଘଟେ ତାହାଲେ ଏହା ଦିନିକିଆ ବିଶ୍ବକପ୍‌ରେ ପ୍ରଥମ ଘଟଣା ହେବ। ପୂର୍ବ ସଂସ୍କରଣର କୌଣସି ଜଣେ ହେଲେ ଅଧିନାୟକ ଏଥର ଦଳଗୁଡ଼ିକରେ ନେତୃତ୍ବ ନେଉଥିବାର ଦେଖିବାକୁ ମିଳିବନି। ମୁଖ୍ୟତଃ ଅଧିକାଂଶ ଖେଳାଳିଙ୍କ ଅବସର ଏବଂ କେତେକ ଖେଳାଳିଙ୍କୁ ପରିବର୍ତନ କରାଯିବା ଯୋଗୁଁ ୪ ବର୍ଷର ବ୍ୟବଧାନ ମଧ୍ୟରେ ନୂଆ ନେତୃତ୍ବରେ ଦଳ ବିଶ୍ବକପ୍‌ ଖେଳିବାକୁ ସଜବାଜ ହୋଇଛନ୍ତି। ଏକମାତ୍ର ଦଳ ଭାବେ ନ୍ୟୁଜିଲାଣ୍ଡ ତା’ର ପୂର୍ବ ସଂସ୍କରଣର ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ଙ୍କୁ ବଜାୟ ରଖିଥିଲା। ହେଲେ ଚଳିତ ଆଇପିଏଲ୍‌ ଅବସରରେ ଆହତ ଯୋଗୁଁ ସେ ବିଶ୍ବକପ୍‌ ଖେଳିବାରୁ ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି ହୋଇଥିବାରୁ ସବୁ ଦଳରେ ନୂଆ ଅଧିନାୟକଙ୍କୁ ଦେଖିବାକୁ ମିଳିବା ନିଶ୍ଚିତ ହୋଇଛି।

Advertisment

ୱିଲିୟମ୍‌ସଙ୍କ ସ୍ଥାନରେ ଟମ୍‌ ଲାଥାମ ହିଁ ନ୍ୟୁଜିଲାଣ୍ଡ ଦଳର ନେତୃତ୍ବ ନେଇପାରନ୍ତି। ଆଗାମୀ ବିଶ୍ବକପ୍‌କୁ ସିଧାସଳଖ ଯୋଗ୍ୟତା ହାସଲ କରିସାରିଥିବା ଅନ୍ୟ ଦଳଗୁଡ଼ିକ ମଧ୍ୟରେ ଆଫ୍‌ଗାନିସ୍ତାନର ନେତୃତ୍ବ ହାସ୍‌ମତୁଲ୍ଲା ସାହିଦ ନେଉଥିଲା ବେଳେ ଆରୋନ ଫିଞ୍ଚ୍‌ଙ୍କ ଅବସର ପରେ ଅଷ୍ଟ୍ରେଲିଆର ନେତୃତ୍ବ ନେଉଛନ୍ତି ପ୍ୟାଟ୍‌ କମିନ୍ସ। ସେହିପରି ୨୦୨୦ରୁ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିନଥିବା ମସ୍ରଫ୍ ମୋର୍ତାଜାଙ୍କ ବଦଳରେ ବାଂଲାଦେଶର ନେତୃତ୍ବ ନେବେ ତମିମ ଇକ୍‌ବାଲ। ପୁଣି ୨୦୧୯ ବିଶ୍ବକପ୍‌ ବି‌ଜେତା ଅଧିନାୟକ ଇଅନ ମୋର୍ଗାନ୍‌ ଗତବର୍ଷ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେଇଯାଇଥିବାରୁ ଏଥର ଜୋସ୍‌ ବଟଲର୍‌ଙ୍କ ନେତୃତ୍ବରେ ଇଂଲଣ୍ଡ ବିଶ୍ବକପ୍‌ ଖେଳିବ। ଅନ୍ୟପକ୍ଷରେ ୨୦୧୯ ବିଶ୍ବକପ୍‌ରେ ଭାରତର ନେତୃତ୍ବ ବିରାଟ କୋହଲି ନେଇଥିଲା ବେଳେ ୨୦୨୧ରେ ତାଙ୍କଠୁ ପଦ କାଢ଼ି ନିଆଯାଇଛି।

ଫଳରେ ଏବର ଅଧିନାୟକ ରୋହିତ ଶର୍ମା ପ୍ରଥମ ଥର ପାଇଁ ବିଶ୍ବକପ୍‌ରେ ଭାରତୀୟ ଦଳର ନେତୃତ୍ବ ନେବେ। ପାକିସ୍ତାନ ମଧ୍ୟ ତା’ର ପୂର୍ବ ସଂସ୍କରଣର ଅଧିନାୟକ ସର୍ଫରାଜ ଖାନ୍‌ଙ୍କ ବଦଳରେ ବାବର ଆଜମ୍‌ଙ୍କ ନେତୃତ୍ବରେ ପ୍ରଥମ ଥର ଲାଗି ବିଶ୍ବକପ୍‌ ଖେଳିବ। ଗତ ସଂସ୍କରଣରେ ମୁଖ୍ୟ ପର୍ଯ୍ୟାୟରେ ରହିଥିବା ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ୍‌ ଚଳିତ ବର୍ଷ ଯୋଗ୍ୟତାପର୍ଯ୍ୟାୟ ଖେଳି ବିଶ୍ବକପ୍‌କୁ ଆସି‌ପାରିବେ। ହେଲେ ଉଭୟ ଦଳରେ ଅଧିକାଂଶ ପରିବର୍ତନ ଘଟିସାରିଛି। ଶ୍ରୀଲଙ୍କା ଏବେ ଦାସୁନ ଶଣକାଙ୍କ ନେତୃତ୍ବରେ ଖେଳୁଥିଲା ବେଳେ ୱେଷ୍ଟଇଣ୍ଡିଜ୍‌ ସାଇ ହୋପ୍‌ଙ୍କୁ ଅଧିନାୟକ କରିସାରିଛି। ୨୦୧୯ ବିଶ୍ବକପ୍‌ ପରେ ଜାସନ ହୋଲ୍‌ଡର ନେତୃତ୍ବରୁ ଓହରିଯାଇଥିଲେ। ଏହାପରେ କିରଣ ପୋଲାର୍ଡ ଏବଂ ନିକୋଲାସ୍‌ ପୂରନ ଦିନିକିଆ ଦଳର ମଙ୍ଗ ଧରିଥିଲେ ମଧ୍ୟ ଶେଷରେ ହୋପ୍‌ଙ୍କୁ ନେତୃତ୍ବ ଅର୍ପଣ କରାଯାଇଛି। ସେହିପରି ଏଥର ମୁଖ୍ୟ ପର୍ଯ୍ୟାୟକୁ ଯୋଗ୍ୟତା ହାସଲ ନିଶ୍ଚିତ କରିପାରିନଥିବା ଦକ୍ଷିଣ ଆଫ୍ରିକା ମଧ୍ୟ ନୂଆ ଅଧିନା‌ୟକ ପାଇଛି। ଗତ ସଂସ୍କରଣରେ ନେତୃତ୍ବ ନେଇଥିବା ଫାଫ୍‌ ଡୁପ୍ଲେସିସ୍‌ ଦଳଠୁ ଦୂରେଇ ଯାଇଥିବାରୁ ତେମ୍ବା ବମୂମା ଏବେ ଏହି ଦଳର ଅଧିନାୟକ ରହିଛନ୍ତି। ଦକ୍ଷିଣ ଆଫ୍ରିକା ଏଥର ଯୋଗ୍ୟତା ହାସଲ କଲେ ବଭୂମା ହିଁ ନୂଆ ଅଧିନାୟକ ଭାବେ ବିଶ୍ବକପ୍‌ ଖେଳିବେ।