ଭୁବନେଶ୍ବର : ଦେଶର କ୍ରୀଡ଼ା ଇତିହାସରେ ନୂଆ ଫର୍ଦ ଯୋଡ଼ିଛି କିଟ୍ ବିଶ୍ବବିଦ୍ୟାଳୟ। ପ୍ରଥମ ବିଶ୍ବବିଦ୍ୟାଳୟ ତଥା ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ସର୍ବଭାରତୀୟ ଚେସ୍‌ ସଂଘ (ଏଆଇସିଏଫ୍‌)ର ଅନୁବଂଧିତ ହୋଇଛି। ଦୀର୍ଘ ୧୫ ବର୍ଷ ଧରି କନିଷ୍ଠ ବିଶ୍ବକପ୍‌, ଗ୍ରାଣ୍ଡମାଷ୍ଟର୍ ପ୍ରତିଯୋଗିତା ସହିତ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତା ଆୟୋଜନ କରି କିଟ୍‌ ଚେସ୍‌କୁ ନୂଆ ସ୍ତରକୁ ନେଇଥିବାରୁ ଯଥାର୍ଥରେ ପୁରସ୍କୃତ ହୋଇଛି। ରାଜ୍ୟର ଦୁଇଜଣ ଯାକ ଗ୍ରାଣ୍ଡମାଷ୍ଟର୍‌ ଦେବାଶିଷ ଦାସ ଏବଂ ସ୍ବୟମ୍ସ ମିଶ୍ର ମଧ୍ୟ କିଟ୍‌ ପ୍ରୋତ୍ସାହନରେ ଆଗକୁ ବଢ଼ିଛନ୍ତି।

Advertisment

ଏଆଇସିଏଫ୍‌ର କାର୍ଯ୍ୟନିର୍ବାହୀ ପରିଷଦ ବୈଠକର ଅନୁମୋଦନ ପରେ ରବିବାର ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ ମଧ୍ୟ ଏହି ଅନୁବଂଧନକୁ ମୋହର ଲଗାଇଛି। ଏହି ଅନୁବଂଧନ ଫଳରେ କିଟ୍‌ ଏବେ ସିଧାସଳଖ ଭାବେ ଗ୍ରାଣ୍ଡମାଷ୍ଟର ପ୍ରତିଯୋଗିତା ସହିତ ସର୍ବଭାରତୀୟ ଚେସ୍‌ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିପାରିବ। ଏହି ଐତିହାସିକ ଅନୁବଂଧନ ପାଇଁ ଫିଡେ ଉପଦେଷ୍ଠା ବୋର୍ଡ ଅଧ୍ୟକ୍ଷ ତଥା ଏସୀୟ ଚେସ୍‌ ସଂଘର ଡେପୁଟି ସଭାପତି ଭରତ ସିଂହ ଚୌହାନ ଏବଂ ଏଆଇସିଏଫ୍‌ ଯୁଗ୍ମ ସମ୍ପାଦକ ରଂଜନ ମହାନ୍ତିଙ୍କୁ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କୃତଜ୍ଞତା ଜଣାଇଛନ୍ତି। ଏହି ସମର୍ଥନ ଫଳରେ ଓଡ଼ିଶା ଚେସ୍‌କୁ ଅଧିକ ସମର୍ଥନ ମିଳିବ ଏବଂ ଓଡ଼ିଶାକୁ ଦେଶର ଏକ ନମ୍ବର ଚେସ୍‌ ରାଜ୍ୟରେ ପରିଣତ କରିବା ଦିଗରେ ଉତ୍ସାହ ମିଳିବ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି।