ପର୍ଥ: ଶନିବାର ପର୍ଥ ଟେଷ୍ଟ୍‌ରେ ପ୍ରଥମ ୱିକେଟ୍‌ ପାଇଁ ଯଶସ୍ବୀ ଜୟସ୍ବାଲ ଓ କେଏଲ୍ ରାହୁଲ ୨୦୧ ରନ୍ ସଂଗ୍ରହ କରିବା ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛି। ପୂର୍ବରୁ କୌଣସି ଭାରତୀୟ ଓପନିଂ ଯୋଡ଼ି ଦ୍ବିଶତକ ଭାଗୀଦାରି କରି ନଥିଲେ। ୧୯୮୬ ମସିହାରେ ସିଡ୍‌ନିରେ ସୁନିଲ ଗାଭାସ୍କର ଓ କ୍ରିସ୍ ଶ୍ରୀକାନ୍ତଙ୍କ ୧୯୧ ରନ୍ କରିବା ଆଜିଯାଏ ସର୍ବୋଚ୍ଚ ଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଅଷ୍ଟ୍ରେଲିଆ ମାଟିରେ ମାତ୍ର ୬ ପ୍ରାରମ୍ଭିକ ଯୋଡ଼ି ୨୦୦+ ସ୍କୋର୍ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ପୂର୍ବ ୫ଟି ଏଭଳି ଭାଗୀଦାରି ୧୯୯୧ ମସିହା ପୂର୍ବରୁ ହୋଇଛି ଏବଂ ସବୁଯାକ ଇଂଲଣ୍ଡ ଖେଳାଳି କରିଛନ୍ତି। ସେହିଭଳି ଜୟସ୍ବାଲ-ରାହୁଲ ‌ମୋଟ ୩୭୮ ବଲ୍‌ ଖେଳିବା ଅଷ୍ଟ୍ରେଲିଆ ବିପକ୍ଷରେ କୌଣସି ଭ୍ରମଣକାରୀ ଦଳର ଏହା ଦ୍ବିତୀୟ ସର୍ବାଧିକ। ୨୦୧୦ରେ ବ୍ରିସବେନ୍ ଟେଷ୍ଟ୍‌ରେ ଇଂଲଣ୍ଡର ଆଣ୍ଡ୍ରିଉ ଷ୍ଟ୍ରସ୍‌ ଓ ଆଲେଷ୍ଟର୍ କୁକ୍‌ ୧୮୮ ରନ୍ ଭାଗୀଦାରି ପାଇଁ ୩୯୮ ବଲ୍ ଖେଳିଥିଲେ।

Advertisment

ବ୍ୟକ୍ତିଗତ ଭାବେ ଜୟସ୍ବାଲ ୪ ଥର ୧୫୦+ ‌ସ୍କୋର୍ କରିଛନ୍ତି ଟେଷ୍ଟ୍‌ କ୍ରିକେଟ୍‌ରେ। ଯାହାକି ୨୩ ବର୍ଷ ବୟସ ପୂର୍ଣ୍ଣ ପୂର୍ବରୁ ଦ୍ବିତୀୟ ଯୁଗ୍ମ ସର୍ବାଧିକ। ଅଷ୍ଟ୍ରେଲୀୟ କିଂବଦନ୍ତି ସାର୍ ଡନ୍ ବ୍ରାଡ୍‌ମ୍ୟାନ୍‌ ୫ ଥର ଏଭଳି କରିଥିଲେ ୨୩ ବର୍ଷ ବୟସ ଭିତରେ। ଜାଭେଦ୍ ମିଆଁଦାଦ ଓ ଗ୍ରେମ୍ ସ୍ମିଥ୍‌ ମଧ୍ୟ ୨୩ତମ ଜନ୍ମଦିନ ପୂର୍ବରୁ ୪ ଥର ଲେଖାଏଁ ଏଭଳି କରିଛନ୍ତି। ଜୟସ୍ବାଲଙ୍କ ଭଳି ପୂର୍ବରୁ କେବଳ ଗ୍ରେମ୍ ସ୍ମିଥ୍ ନିଜ ପ୍ରଥମ ୪ ଶତକକୁ ୧୫୦ ପାର୍ କରାଇଥିଲେ। ସଚିନ ତେନ୍ଦୁଲକର (୨୦୦୨, ୨୦୦୪), ବୀରେନ୍ଦ୍ର ସେହବାଗ (୨୦୦୪ ଓ ୨୦୦୮), ବିରାଟ କୋହଲି (୨୦୧୬ ଓ ୨୦୧୭)ଙ୍କ ପରେ ଜୟସ୍ବାଲ ତୃତୀୟ ଭାରତୀୟ ଖେଳାଳି ଯିଏ ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ୩ରୁ ଅଧିକ ୧୫୦+ ସ୍କୋର୍ କରିଛନ୍ତି। ଜୟସ୍ବାଲ ମଧ୍ୟ ଅଷ୍ଟ୍ରେଲିଆ ମାଟିରେ ନିଜ ପ୍ରଥମ ଟେଷ୍ଟ୍‌ରେ ପ୍ରଥମ ଶତକ ହାସଲ କରିବାରେ ତୃତୀୟ ଭାରତୀୟ ହୋଇଛନ୍ତି। ପୂର୍ବରୁ ଏମ୍‌ଏଲ୍‌ ଜୟସୀମା (୧୯୬୮) ଓ ସୁନୀଲ ଗାଭାସ୍କର (୧୯୭୭) ଅଷ୍ଟ୍ରେଲିଆ ମାଟିରେ ନିଜ ନିଜ ପ୍ରଥମ ଟେଷ୍ଟ୍‌ରେ ଶତକ ହାସଲ କରିଥିଲେ।