ଡାଇମଣ୍ଡ୍ ଲିଗ୍ରେ ଇତିହାସ ରଚିଲେ ନୀରଜ: ପ୍ରଥମ ଭାରତୀୟ ଭାବେ ଜିତିଲେ ସ୍ବର୍ଣ୍ଣ
ଜୁରିକ୍ ଫାଇନାଲ୍ସ ସହିତ ୨୦୨୩ ବିଶ୍ବ ଚାମ୍ପିଅନ୍ସିପ୍କୁ ଯୋଗ୍ୟତା ହାସଲ
ଲୌସାନେ: ଅଲିମ୍ପିକ୍ ବିଜେତା ଭାରତୀୟ ଜାଭ୍ଲିନ୍ ତାରକା ନୀରଜ ଚୋପ୍ରା ଏଠାରେ ଆୟୋଜିତ ଡାଇମଣ୍ଡ୍ ଲିଗ୍ରେ ଇତିହାସ ରଚିଛନ୍ତି। ଗତ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ (୮୭.୫୮ ମିଟର) ପଦକ ଜିତିବା ପରେ ଆମେରିକାର ଇଉଜିନିଠାରେ ଆୟୋଜିତ ବିଶ୍ବ ଚାମ୍ପିଅନ୍ସିପ୍ରେ ରୌପ୍ୟ ପଦକ ଜିତିଥିଲେ ନୀରଜ। ହେଲେ ଆହତ ଯୋଗୁଁ ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରି ଯାଇଥିଲେ। କିନ୍ତୁ ଲୌସାନେ ଡାଇମଣ୍ଡ୍ ଲିଗ୍ କରିଆରେ ପ୍ରତ୍ୟାବର୍ତନକୁ ସ୍ମରଣୀୟ କରିଛନ୍ତି ନୀରଜ। ଲୌସାନେ ଚରଣ ଡାଇମଣ୍ଡ୍ ଲିଗ୍ରେ ଶୁକ୍ରବାର ସ୍ବର୍ଣ୍ଣିମ ସଫଳତା ହାତେଇଛନ୍ତି ଏହି ୨୪ ବର୍ଷ ବୟସ୍କ ଭାରତୀୟ। ଏଥିସହିତ ଡାଇମଣ୍ଡ୍ ଲିଗ୍ରେ ସ୍ବର୍ଣ୍ଣ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ଆଥ୍ଲେଟ୍ ହେବାର କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ସେ ମଧ୍ୟ ଏହି ସଫଳତା ବଳରେ ଆସନ୍ତାମାସରେ ଜୁରିକ୍ (ସେପ୍ଟେମ୍ବର ୭-୮)ରେ ଆୟୋଜିତ ଡାଇମଣ୍ଡ୍ ଲିଗ୍ ଫାଇନାଲ୍ସକୁ ଏବଂ ଆଗାମୀ ୨୦୨୩ ବିଶ୍ବ ଚାମ୍ପିଅନ୍ସିପ୍ (ହଙ୍ଗେରିର ବୁଦାପେଷ୍ଟ)କୁ ଯୋଗ୍ୟତା ହାସଲ କରିନେଇଛନ୍ତି।
ବିଶ୍ବ ଚାମ୍ପିଅନ୍ସିପ୍କୁ ଯୋଗ୍ୟତା ହାସଲ ପାଇଁ ଯୋଗ୍ୟତା ମାନଦଣ୍ଡ ୮୫.୨୦ ମିଟର ଧାର୍ଯ୍ୟ କରାଯାଇଥିଲା। ତାଙ୍କ ପୂର୍ବରୁ ଭାରତୀୟ ଆଥ୍ଲେଟ୍ ଭାବେ ବିକାଶ ଗୌଡ଼ା ଡାଇମଣ୍ଡ୍ ଲିଗ୍ରେ ଡିସ୍କସ୍ରୁ ଚାରିଟି ପଦକ ଅମଳ କରିଥିଲେ। ଉଭୟ ନ୍ୟୁୟର୍କ (୨୦୧୨) ଏବଂ ଦୋହା (୨୦୧୪) ଚରଣରେ ହିଁ ବିକାଶ ଦ୍ବିତୀୟରେ ରହି ରୌପ୍ୟ ଏବଂ ସାଂଘାଇ ଓ ଇଉଜେନି (୨୦୧୫)ରେ ତୃତୀୟରେ ରହି କାଂସ୍ୟ ପଦକ ଜିତିଥିଲେ। ନୀରଜ ମଧ୍ୟ ଗତ ଜୁଲାଇରେ ଷ୍ଟକ୍ହୋମ୍ ଡାଇମଣ୍ଡ୍ ଲିଗ୍ରେ ୮୯.୩୦ ମିଟର ଦୂରକୁ ଫିଙ୍ଗି ଜାତୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ହେଲେ ଲୌସାନେ ଡାଇମଣ୍ଡ୍ ଲିଗ୍ରେ ନୀରଜ ମୋଟ ୮୯.୦୮ ମିଟର ଦୂରକୁ ଜାଭ୍ଲନ୍ ଫିଙ୍ଗି ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ମଧ୍ୟ ତାଙ୍କର କ୍ୟାରିୟରର ତୃତୀୟ ଶ୍ରେଷ୍ଠ ଦୂରତ୍ବ। ନୀରଜ ପ୍ରଥମ ପ୍ରୟାସରେ ୮୭.୫୮ ମିଟର ଏବଂ ଦ୍ବିତୀୟ ପ୍ରୟାସରେ ୮୫.୧୧ ମିଟର ଫିଙ୍ଗିଥିଲେ। ହେଲେ ତାଙ୍କ ତୃତୀୟ ପ୍ରୟାସ (୮୯.୦୮ ମିଟର) ହିଁ ସ୍ବର୍ଣ୍ଣ ପଦକ ଜିତିବା ପାଇଁ ଯଥେଷ୍ଟ ହୋଇଥିଲା। ଏହାପରେ ତାଙ୍କ ଚତୁର୍ଥ ପ୍ରୟାସ ଫାଉଲ୍ ହୋଇଥିଲା ବେଳେ ପଞ୍ଚମ ପ୍ରୟାସକୁ ମଧ୍ୟ ଅତିକ୍ରମ କରିଥିଲେ। ତେବେ ଷଷ୍ଠ ପ୍ରୟାସରେ ୮୦.୦୪ ମିଟର ଫିଙ୍ଗିଥିଲେ। ନିୟମ ଅନୁଯାୟୀ ତୃତୀୟ ପ୍ରୟାସ ଶେଷ ସୁଦ୍ଧା ଶୀର୍ଷ-୩ ମଧ୍ୟରେ ରହିଥିବା ଖେଳାଳିଙ୍କୁ ହିଁ ଷଷ୍ଠ ପ୍ରୟାସର ସୁଯୋଗ ମିଳିଥାଏ। ତେବେ ତୃତୀୟ ପ୍ରୟାସ ବଳରେ ସେ ସ୍ବର୍ଣ୍ଣ ପଦକ ହାତେଇ ନେଇଥିଲେ। ଡାଇମଣ୍ଡ୍ ଲିଗ୍ରେ ବିଜେତା ହେବା ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ ନୀରଜ। ତାଙ୍କ ପଛକୁ ୮୫.୮୮ ମିଟର ସହ ଚେକ୍ ଗଣରାଜ୍ୟର ଜାକୁବ୍ ଭାଲ୍ଡିଚ୍ ଏବଂ ୮୩.୭୨ ମିଟର ସହ ଆମେରିକାର କର୍ଟିସ୍ ଥମ୍ପ୍ସନ୍ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ପାଇ ରୌପ୍ୟ ଓ କାଂସ୍ୟ ପଦକ ହାତେଇଥିଲେ।