ପ୍ୟାରିସ୍, ୬/୮: ପ୍ୟାରିସ୍ ଅଲିମ୍ପିକ୍ସର ଏକାଦଶ ଦିବସରେ ଭାରତକୁ ଏକାଧିକ ଐତିହାସିକ ସଫଳତା ମିଳିଛି। ଜାଭଲିନ୍ ପଡ଼ିଆ ପରେ କୁସ୍ତି ଆଖଡ଼ାରେ ନୀରଜ ଚୋପ୍ରା ଓ ଭିନେଶ ଫୋଗଟ କମାଲ କରିଛନ୍ତି। ନୀରଜ ଲଗାତାର ଦ୍ବିତୀୟ ଥର ଅଲିମ୍ପିକ୍ସର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେପଟେ ମହିଳା ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ୍ କୁସ୍ତିରେ ହ୍ୟାଟ୍ରିକ୍ ବିଜୟ ହାସଲ କରି ଭିନେଶ ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରିବା ସହ ପଦକ ପକ୍କା କରିଛନ୍ତି। ଏଭଳି ବିରଳ ସଫଳତା ଲାଭ କରିବାରେ ପ୍ରଥମ ଭାରତୀୟ ମହିଳା ପହିଲମାନ ହୋଇଛନ୍ତି ସେ।
ମଙ୍ଗଳବାର ଭିନେଶଙ୍କ ଫାଇନାଲ୍ ଅଭିଯାନ ବେଶ୍ ନାଟକୀୟ ଓ ରୋମାଞ୍ଚକ ଥିଲା। ପ୍ରଥମ ଲଢ଼େଇରୁ ହିଁ ସେ ଚଳିତ ଅଲିମ୍ପିକ୍ସର ସବୁଠୁ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ନିଜ ତୃତୀୟ ଅଲିମ୍ପିକ୍ସ ଖେଳୁଥିବା ଭିନେଶ ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ୍ କୁସ୍ତିର ପ୍ରଥମ ରାଉଣ୍ଡରେ ଗତ ଟୋକିଓ ଅଲିମ୍ପିକ୍ସ ବିଜୟିନୀ ତଥା ଚାରି ଥର ବିଶ୍ବ ଚାମ୍ପିଅନ୍ ଜାପାନର ୟୁଇ ସୁସାକିଙ୍କୁ ଉତ୍କଣ୍ଠାପୂର୍ଣ୍ଣ ଭାବେ ୩-୨ ପଏଣ୍ଟ୍ରେ ପରାସ୍ତ କରି ଆଗକୁ ବଢ଼ିଥିଲେ। ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାର ପ୍ରଥମ ୯୦ ସେକେଣ୍ଡ୍ରେ ଉଭୟ ଖେଳାଳି ପରସ୍ପରର ବଳକୁ ତଉଲିଥିଲେ ମଧ୍ୟ କେହି ଆକ୍ରମଣ କରି ନଥିଲେ। କିନ୍ତୁ ମାତ୍ରାଧିକ ରକ୍ଷଣାତ୍ମକ ଖେଳପାଇଁ ଭିନେଶଙ୍କୁ ଗୋଟିଏ ପେନାଲ୍ଟି ପଏଣ୍ଟ ମିଳିଥିଲା। ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ କେହି କୌଣସି ମୁଭ୍ କରି ନଥିଲେ। ଫଳରେ ଭିନେଶ ଆଉ ଏକ ପେନାଲ୍ଟି ପଏଣ୍ଟ୍ ପାଇଥିଲେ। ସୁସାକି ୨-୦ରେ ଆଗରେ ଥିଲେ। ତେବେ ଲଢ଼େଇ ଶେଷ ହେବାର ମାତ୍ର ୯ ସେକେଣ୍ଡ୍ ପୂର୍ବରୁ ଭିନେଶ ଏକ ଜବରଦସ୍ତ ମୁଭ୍ରେ ୩ ପଏଣ୍ଟ୍ ଅର୍ଜନ କରି ସୁସାକିଙ୍କୁ ଚକିତ କରି ନେଇଥିଲେ। ଅନ୍ତର୍ଜାତୀୟ ଖେଳ ଜୀବନରେ କେବେ ବି ହାରି ନଥିବା ସୁସାକିଙ୍କୁ ହରାଇ ଇତିହାସ ରଚିଥିଲେ ଭିନେଶ। ଏହି କଷ୍ଟ ଅର୍ଜିତ ବିଜୟ ପରେ ଭିନେଶ ମ୍ୟାଟ୍ ଉପରେ ଶୋଇପଡ଼ି କାନ୍ଦିବାକୁ ଲାଗିଥିଲେ। ଏହା ପରେ ୟୁରୋପିଆନ୍ ଚାମ୍ପିଅନସିପ୍ ବିଜୟିନୀ ୟୁକ୍ରେନ୍ର ଓକସାନା ଲିଭାଚଙ୍କୁ ୭-୫ରେ ହରାଇ ସେମିଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରି ନେଇଥିଲେ। ସେମିଫାଇନାଲରେ ସଂପୂର୍ଣ୍ଣ ଦବ୍ଦବା ଜାରି ରଖି କ୍ୟୁବାର ୟୁସ୍ନିଲିସ୍ ଗଜମାନ୍ ଲୋପେଜଙ୍କୁ ୫-୦ରେ ଧରାଶାୟୀ କରି ପ୍ରଥମ ଥର ଫାଇନାଲ୍ରେ ପ୍ରବେଶ କରିବାର ଅନନ୍ୟ ଗୌରବ ହାସଲ କରିଥିଲେ। ତା’ସହିତ ଭାରତୀୟ କ୍ରୀଡ଼ା ଜଗତରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।
କୁସ୍ତି ଆଖଡ଼ାରେ ଭିନେଶ କମାଲ: ଫାଇନାଲ୍ ଯିବାରେ ପ୍ରଥମ ଭାରତୀୟ ମହିଳା
ଜିତିବେ ସୁନା/ରୁପା