ନୂଆଦିଲ୍ଲୀ: ଓ୍ଵାର୍ଲଡ୍ ରେସ୍ଲିଙ୍ଗ୍ ଏଣ୍ଟର୍ଟେନ୍ମେଣ୍ଟ୍ (ଡବ୍ଲୁଡବ୍ଲୁଇ)ରେ ଭାରତୀୟ ମହିଳା ପହିଲିମାନ୍ କବିତା ଦେବୀ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ସେ ନିଜର ଦେଶୀ ଅନ୍ଦାଜ ପାଇଁ ଚର୍ଚ୍ଚାର ପରିସର ଭିତରକୁ ଆସିଥିଲେ। ଥରେ ସେ ଡବ୍ଲୁଡବ୍ଲୁଇରେ କୁସ୍ତିଯୁଦ୍ଧ କରିବାକୁ ଏକ ସାଲୱାର୍ ପିନ୍ଧି ପହଞ୍ଚି ସଭିଙ୍କୁ ଚକିତ କରି ଦେଇଥିଲେ। ଡବ୍ଲୁଡବ୍ଲୁଇ ପରେ ସେ ରଜନୀତିରେ ବି ପାଦ ରଖିଥିଲେ। କବିତା ଦେବୀ ଆମ୍ ଆଦ୍ମୀ ପାର୍ଟିରେ ସାମିଲ୍ ହୋଇଥିବା କଥା ଆପଣ ଜାଣିଥିବେ।
ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି କି କବିତା ଦେବୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏକ ‘ବାୟୋପିକ୍’ ବନିବ। ସେ ୨୦୧୭ ମସିହାରେ ଡବ୍ଲୁଡବ୍ଲୁଇରେ ଡେବ୍ୟୁ କରିଥିଲେ। କବିତା ଦେବୀ ନିଜର ଗୁରୁ ଭାବେ ଦଲୀପ ସିଂହ ରାଣା (ଖଲି)ଙ୍କ ନାମ ନେଇଥିଲେ। ସେ ଇନ୍ଷ୍ଟାଗ୍ରାମ୍ରେ ନିଜ ସଂପର୍କିତ କଥା ସବୁ ସେୟାର୍ କରନ୍ତି। ଇନ୍ଷ୍ଟାରେ ତାଙ୍କର ୨୮ ହଜାର ଫଲୋୟର୍ସ ଅଛନ୍ତି।
ଉଲ୍ଲେଖଯୋଗ୍ୟ, ‘ଓ୍ଵାର୍ଲଡ୍ ରେସ୍ଲିଙ୍ଗ୍ ଏଣ୍ଟର୍ଟେନ୍ମେଣ୍ଟ୍’ ୨୦୧୭ ମସିହାରେ ପ୍ରଥମ ଭାରତୀୟ ମହିଳା ମଲ୍ଲଯୋଦ୍ଧ୍ରୀ ଭାବେ ପୂର୍ବତନ ଭାର ଉତ୍ତୋଳନକାରିଣୀ କବିତା ଦେବୀଙ୍କୁ ସ୍ୱାକ୍ଷର କରାଇଥିଲା।
ହରିୟାଣାର କବିତା ପେସାଦାର ମଲ୍ଲଯୋଦ୍ଧ୍ରୀ ହେବା ନିମନ୍ତେ ‘ଦି ଗ୍ରେଟ୍ ଖାଲି (ଦିଲୀପ ସିଂହ ରାଣା)ଙ୍କ ତତ୍ତ୍ୱାବଧାନରେ ପଞ୍ଜାବରେ ଅବସ୍ଥିତ ତାଙ୍କର କୁସ୍ତି ପ୍ରସାର ଏବଂ ତାଲିମ ଏକାଡେମିରେ ତାଲିମ ନେଇଥିଲେ। ବି ବି ବୁଲ୍ ବୁଲ୍ ନାମ୍ନୀ ଜଣେ ମହିଳାଙ୍କ ସହ ସେ ଲଢ଼ିଥିବା କୁସ୍ତିର ଦୃଶ୍ୟାବଳୀ ଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ସେ ପ୍ରସିଦ୍ଧି ଲଭିଥିଲେ। ୨୦୧୬ ଏସୀୟ କ୍ରୀଡ଼ାରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ପାଇଥିଲେ।