ପ୍ରଥମ କନିଷ୍ଠ ଜୋନାଲ ହକି: ଓଡ଼ିଶା ମହିଳାଙ୍କ ଦ୍ବିତୀୟ ବିଜୟ

ଭୁବନେଶ୍ବର: ଝାଡ଼ଖଣ୍ଡର ଖୁଣ୍ଟି (ରାଞ୍ଚି)ରେ ଚାଲିଥିବା ହକି ଇଣ୍ଡିଆ ପରିଚାଳିତ କନିଷ୍ଠ ଅନ୍ତଃଜୋନ୍‌ ହକିର ପୂର୍ବାଞ୍ଚଳ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଦଳ ଦ୍ବିତୀୟ ବିଜୟ ପାଇଛି। ପ୍ରଥମ ମ୍ୟାଚ୍‌ରେ ଆସାମକୁ ହରାଇଥିବା ଓଡ଼ିଶା ଦ୍ବିତୀୟ ମ୍ୟାଚ୍‌ରେ ମିଜୋରାମଠୁ ପରାସ୍ତ ହୋଇଥିଲା। ହେଲେ ବୁଧବାର ନିଜର ତୃତୀୟ ମ୍ୟାଚ୍‌ରେ ଓଡ଼ିଶା ମହିଳା ଦଳ ୪-୦ ଗୋଲ୍‌ରେ ବିହାରକୁ ‌ହରାଇ ବିଜୟ ଧାରାକୁ ଫେରିଛି। ଓଡ଼ିଶା ପକ୍ଷରୁ ପ୍ରତିଭା କିଣ୍ଡୋ (୪୬, ୫୫ ମିନିଟ୍‌) ଦୁଇଟି ଏବଂ ରମ୍ଭା କୁଜୁର (୩୪ ମିନିଟ୍‌) ଓ ସୁପ୍ରିୟା କୁଜୁର (୪୯ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ତେବେ ଚମତ୍କାର ପ୍ରଦର୍ଶନ କରି ବିଜୟର ପ୍ରମୁଖ ଭୂମିକା ତୁଲାଇଥିବା ଅମିଶା ଏକ୍କାଙ୍କୁ ମ୍ୟାଚ୍‌ର‌ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ଅନ୍ୟପକ୍ଷରେ ବୁଧବାର ଏହି ଜୋନ୍‌ର ଅନ୍ୟ ଦୁଇ ମ୍ୟାଚ୍‌ରେ ଝାଡ଼ଖଣ୍ଡ ୧୨-୦ ଗୋଲ୍‌ରେ ବେଙ୍ଗଲକୁ ଏବଂ ମିଜୋରାମ ୧୧-୧ ଗୋଲ୍‌ରେ ଆସାମକୁ ପରାସ୍ତ କରିଥିଲା। ଝାଡ଼ଖଣ୍ଡର ପିଙ୍କି କୁମାରୀ (୧୫, ୧୮, ୫୭, ୫୯ ମିନିଟ୍‌) ୪ଟି, ନିଶା ମିଞ୍ଜ (୩, ୭, ୫୫ ମିନିଟ୍‌) ହ୍ୟାଟ୍ରିକ, ପାର୍ବତୀ ଟପ୍ନୋ (୫୧, ୫୮ ମିନିଟ୍‌) ଦୁଇଟି ଏବଂ ଏଦିଲି ବାଗେ (୪୭ ମିନିଟ୍‌), ଫୁଲମଣି ଭେଙ୍ଗ୍ରା (୮ ମିନିଟ୍‌), ରଜନୀ କେର୍କେଟ୍ଟା (୧୨ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ମିଜୋରାମର ଲାଲପେକସାଙ୍ଗି (୨, ୧୯, ୨୦, ୪୧ ମିନିଟ୍‌) ୪ଟି, ଲାଲଥାନ୍ତଲୁଆଙ୍ଗି (୧୩, ୨୦ ମିନିଟ୍‌), ଭାନଲାଲରିଆତପୁଲି (୩୪, ୫୭ ମିନିଟ୍‌), ଭାନଲାଲରିନଲୁଇ (୪୪, ୪୭ ମିନିଟ୍‌) ଦୁଇଟି ଲେଖାଏଁ ଏବଂ ଲାଲରିନପୁଇ (୩୬ ମିନିଟ୍‌) ଗୋଟିଏ ଗୋଲ୍‌ କରିଥିଲେ। ଆସାମର ମିଲକା ସୁରିନ (୨୯ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝିଥିଲେ।

ସମ୍ବନ୍ଧିତ ଖବର