ନୂଆଦିଲ୍ଲୀ: ଭାରତର ତାରକା ବ୍ୟାଟର ବିରାଟ କୋହଲି ବିଶ୍ବରେ ପ୍ରଥମ ଖେଳାଳି ଭାବେ ୭ ଭିନ୍ନ ଭିନ୍ନ କ୍ୟାଲେଣ୍ଡର ବର୍ଷରେ ୨୦୦୦ ରନ୍ ସଂଗ୍ରହ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ୍ ଅବସରରେ ସେ ଏହି କୀର୍ତ୍ତିମାନ କରିଛନ୍ତି। ଏହି ମ୍ୟାଚ୍ରେ କୋହଲି ଦ୍ବିତୀୟ ପାଳିରେ ୮୨ ବଲ୍ରୁ ୭୬ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ଦଳ ପାଳି ଓ ୩୨ ରନ୍ରେ ପରାଜିତ ହୋଇଥିଲା। କିନ୍ତୁ କୋହଲିଙ୍କ ୭୬ ରନ୍ ପାଇଁ ୨୦୨୩ରେ ତାଙ୍କର ମୋଟ ଆନ୍ତର୍ଜାତିକ ରନ୍ ୨୦୦୬ରେ ପହଞ୍ଚିଛି।
ପୂର୍ବରୁ ସେ ୨୦୧୨ (୨୧୮୬ରନ୍), ୨୦୧୪ (୨୨୮୬ ରନ୍), ୨୦୧୬ (୨୫୯୫ ରନ୍), ୨୦୧୭ (୨୮୧୮ ରନ୍), ୨୦୧୮ (୨୭୩୫ ରନ୍) ଓ ୨୦୧୯ (୨୪୫୫ ରନ୍) ରେ ୨୦୦୦+ ରନ୍ ସଂଗ୍ରହ କରିଥିଲେ। କିନ୍ତୁ କ୍ରିକେଟ୍ର ୧୪୬ ବର୍ଷର ଇତିହାସ ମଧ୍ୟରେ ଅନ୍ୟ କେହି ବି ଏଭଳି କୃତିତ୍ବ ହାସଲ କରି ନଥିଲେ। ଏହି ତାଲିକାରେ ତାଙ୍କ ପଛକୁ କୁମାର ସାଙ୍ଗାକାରା ୬ କ୍ୟାଲେଣ୍ଡର ବର୍ଷରେ ଏବଂ ସଚିନ ତେନ୍ଦୁଲକର ଓ ମାହେଲା ଜୟବର୍ଦ୍ଧନେ ୫ ଲେଖାଏଁ କ୍ୟାଲେଣ୍ଡର ବର୍ଷରେ ୨୦୦୦ରୁ ଅଧିକ ରନ୍ ସଂଗ୍ରହ କରିଥିଲେ।