ସାଧାରଣତନ୍ତ୍ର ଦିବସରେ ପ୍ରଥମ ଦିନିକିଆ ବିଜୟ

ରୋହିତ ଓ ସ୍ପିନର ୨-୦ ଅଗ୍ରଣୀ ଦେଲେ:ଆଜି‌ ଖେଳିବେ ପାଣ୍ଡ୍ୟା

ମାଉଣ୍ଟ୍ ମୌଙ୍ଗନୁଇ,: ରୋହିତ ଶର୍ମା ଏବଂ ଶିଖର ଧାୱନଙ୍କ ପ୍ରଥମ ୱିକେଟ୍‌ରୁ ସଂଗ୍ରହିତ ୧୫୪ ରନ୍ ପାଳି ପରେ ସ୍ପିନର୍‌ଙ୍କ ପ୍ରଧାନ୍ୟ କାରଣରୁ ନ୍ୟୁଜିଲାଣ୍ଡ୍ ଗସ୍ତରେ ଭାରତ ୨-୦ରେ ଆଗୁଆ ହୋଇଛି। ଦେଶର ୭୦ତମ ସାଧାରଣତନ୍ତ୍ର ଦିବସରେ ଭାରତ ପ୍ରଥମ ଥର ପାଇଁ ଏକ ଦିନିକିଆ ମ୍ୟାଚ୍ ଜିତିବାର ଗୌରବ ମଧ୍ୟ ପାଇଛି। ସୋମବାର ତୃତୀୟ ଦିନିକିଆରେ ଭାରତ ୯୦ ରନ୍‌ରେ ଘରୋଇ ନ୍ୟୁଜିଲାଣ୍ଡ୍‌କୁ ହରାଇ ଦେଇଥିଲା। ଶତକରୁ ବଞ୍ଚିତ ହୋଇଥିଲେ ବି ରୋହିତ ଶର୍ମା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହା‌ତେଇ ନେଇଥିଲେ।
ଭାରତ ଟସ୍ ଜିତିଥିଲେ ମଧ୍ୟ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମା (୮୭, ୯୬ ବଲ୍‌, ୯ ଚୌକା, ୩ ଛକା) ଏବଂ ଶିଖର ଧାୱନ (୬୬, ୬୭ ବଲ୍, ୯ ଚୌକା) ପ୍ରଥମ ୱିକେଟ୍‌ ପାଇଁ ୨୫.୨ ଓଭରରେ ୧୫୪ ରନ୍ କରି ଦୃଢ଼ ମୂଳଦୁଆ ପକାଇଥିଲେ। ଏହା ପରେ ବିରାଟ କୋହଲି (୪୩, ୪୫ ବଲ, ୫ ଚୌକା) ଏବଂ ଅମ୍ବାତି ରାୟୁଡୁ (୪୭, ୪୯ ବଲ, ୩ ଚୌକାଂ, ୧ ଛକା) ଅର୍ଧଶତକରୁ ବଞ୍ଚିତ ହେବାରୁ ଭାରତ ସମ୍ଭାବ୍ୟ ୩୫୦ ଲକ୍ଷ୍ୟରୁ ଦୂରେଇ ଯାଇଥିଲା। ଶେଷକୁ ମହେନ୍ଦ୍ର ସିଂହ ଧୋନି (୪୮*, ୩୩ ବଲ୍‌, ୫‌ ଚୌକା, ୧ ଛକା) ଏବଂ କେଦାର ଯାଦବ (୨୨*, ୧୦ ବଲ୍‌, ୩ ଚୌକା, ୧ ଛକା) ଅତୁଟ ପଞ୍ଚମ ୱିକେଟ୍‌ରେ ୨୬ ବଲରୁ ୫୩ ରନ୍ ସଂଗ୍ରହ କରିବାରୁ ଭାରତ ୩୨୪ ରନ୍‌ର ଲଢ଼ୁଆ ସ୍କୋର୍ କରିଥିଲା।
ଜବାବରେ ନ୍ୟୁଜିଲାଣ୍ଡ୍ କିନ୍ତୁ ନିୟମିତ ୱିକେଟ୍ ହରାଇ ଆଗକୁ ବଢ଼ି ପାରିନଥିଲା। ଅଷ୍ଟମ ଓଭରରେ ମହମ୍ମଦ ସାମିଙ୍କୁ ଲଗାତାର ଛକା ମାରି କେନ୍ ୱିଲିୟମ୍‌ସନ୍ ପ୍ରାଧାନ୍ୟ ବିସ୍ତାର କରିବାକୁ‌ ଚେଷ୍ଟା କରିଥିଲେ। ସାମି କିନ୍ତୁ ପଞ୍ଚମ ବଲ୍‌ରେ ତାଙ୍କୁ ‌ବୋଲ୍ଡ କରି ପ୍ରତିଶୋଧ ନେଇଯାଇଥିଲେ। ଏହା ପରେ ଅଧିକାଂଶ କିୱି ବ୍ୟାଟ୍ସମ୍ୟାନ୍‌ ୨୦ ଟପିଥିଲେ ମଧ୍ୟ ବଡ଼ ସ୍କୋର କରିପାରିନଥିଲେ। ୧୬୬ ରନ୍‌ରେ ଘରୋଇ ଦଳ ଅଷ୍ଟମ ୱିକେଟ୍ ହରାଇଥିଲା। ଏହି ସମୟରେ ଦୀପ ଲିଭିବା ବେଳେ ଜୋର୍‌ରେ ଜଳିବା ଭଳି ଡଗ୍ ବ୍ରାସୱେଲ୍‌ (୫୭, ୪୬ ବଲ୍, ୫‌ ଚୌକା, ୩ ଛକା) ନିଜ ଖେଳ ଜୀବନର ପ୍ରଥମ ଅର୍ଧଶତକ ହାସଲ କରିଥିଲେ। ଭାରତୀୟ ସ୍ପିନରମାନେ ମିଳିତ ଭାବେ ୭ ୱିକେଟ୍ ନେଇ ନ୍ୟୁଜିଲାଣ୍ଡ୍ ପାଳିକୁ ୯.୪ ଓଭର ପୂର୍ବରୁ ୨୩୪ ରନ୍‌ରେ ଶେଷ କରି ଦେଇଥିଲେ। ପ୍ରଥମ ମ୍ୟାଚ୍ ଭଳି କୁଲଦୀପ ଯାଦବ ମଧ୍ୟ ୪ ୱିକେଟ ନେଇ ସ୍ପିନରଙ୍କ ମଧ୍ୟରେ ଆଗୁଆ ରହିଥିଲେ।

ମାଉଣ୍ଟ୍ ମୌଙ୍ଗନୁଇ,: ପ୍ରଥମ ଦୁଇ ଦିନିକିଆରେ ଏତକରଫା ବିଜୟ ହାସଲ କରିବା ପରେ ଭାରତୀୟ ଦଳ ସୋମବାର ତୃତୀୟ ଦିନିକିଆ ଖେଳିବ। ଭାରତ ଏଠାରେ ଜିତି ନ୍ୟୁଜିଲାଣ୍ଡ୍ ମାଟିରେ ରଖିଥିବା ଅଧୁରା ସ୍ବପ୍ନକୁ ସାକାର କରିଦେବାର ଦୃଢ଼ ଦାବିଦାର ରହିଛି। ସେହିଭଳି ଅବଶିଷ୍ଟ ୨ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ‌ ବିରାଟ କୋହଲି ବିଶ୍ରାମ ନେଇଥିବାରୁ ଚଳିତ ଗସ୍ତରେ ଏହା ତାଙ୍କ ଶେଷ ମ୍ୟାଚ୍ ହେବ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ନିଲମ୍ବନ ପ୍ରତ୍ୟାହୃତ ପରେ ଦଳ ସହ ଯୋଗଦେଇଥିବା ହାର୍ଦିକ ପାଣ୍ଡ୍ୟା ସୋମବାର ମ୍ୟାଚ୍‌ ଖେଳିବା ନିଶ୍ଚିତ। ପାଣ୍ଡ୍ୟାଙ୍କୁ ଖେଳାଗଲେ ବିଜୟ ଶଙ୍କରଙ୍କୁ ବାହାରେ ବସିବାକୁ ପଡ଼ିବ। ଶନିବାର ଭଳି ଭାରତ ମଧ୍ୟ ସମାନ ପଡ଼ିଆରେ ଏହି ମ୍ୟାଚ୍ ଖେଳିବାକୁ ଯାଉଥିବାରୁ ସ୍ପିନରଙ୍କ ପ୍ରାଧାନ୍ୟ ରହିବା ସମ୍ଭାବନା ଉଜ୍ଜ୍ବଳ। ଅନ୍ୟପକ୍ଷରେ ଘରୋଇ ପରିବେଶରେ ଖେଳୁଥିଲେ ମଧ୍ୟ ନ୍ୟୁଜିଲାଣ୍ଡ୍‌ ନିଜର ମାନ୍ୟତା ମୁତାବକ (୨ ନମ୍ବର) ପ୍ରଦର୍ଶନ ଦେଇ ପାରୁନଥିବାରୁ କେନ୍ ୱିଲିୟମସନ୍‌ଙ୍କ ଚିନ୍ତା ବଢ଼ିଯାଇଛି। ଶୃଙ୍ଖଳାରେ ଉଜ୍ଜୀବିତ ରହିବା ଲାଗି ସୋମବାର ନ୍ୟୁଜିଲାଣ୍ଡ୍‌କୁ ବିଜୟ ନିହାତି ଆବଶ୍ୟକ ରହିଛି।

ଭାରତ ଆଧିପତ୍ୟକୁ ନେଇ ନ୍ୟୁଜିଲାଣ୍ଡ୍‌ ପୁଲିସର ମଜାଦାର ଟ୍ବିଟ୍

ତୌରଙ୍ଗା: ଲଗାତାର ଦୁଇଟି ଦିନିକିଆରେ ଘରୋଇ ନ୍ୟୁଜିଲାଣ୍ଡକୁ ଧୂଳି ଚଟାଇବା ପରେ ଭାରତୀୟ କ୍ରିକେଟ୍ ଦଳକୁ ନେଇ ସେଠାକାର ପୁଲିସ ବିଭାଗ ମଜାଦାର ଟ୍ବିଟ୍ କରିଛି। ଭ୍ରମଣକାରୀ ଦଳ ଯେଭଳି ଭାବେ ନ୍ୟୁଜିଲାଣ୍ଡ୍‌କୁ ମାଟି କାମୁଡ଼ିବାକୁ ବାଧ୍ୟ କରୁଛି, ସେଭଳି ସ୍ଥିତିରେ ବଲ୍ ବ୍ୟାଟ୍ ନେଇ ବାହାରକୁ ନଯିବାକୁ ପୂର୍ବ ଜିଲ୍ଲା ପୁଲିସ ନ୍ୟୁଜିଲାଣ୍ଡ୍‌ବାସୀଙ୍କୁ ଚେତାବନୀ ଦେଇଛି। ଏକଥା ପୁଲିସ ନିଜ ଫେସବୁକ୍‌ ସହ ଟ୍ବିଟର ପୃଷ୍ଠାରେ ମଧ୍ୟ ପ୍ରକାଶ କରିଛି। ଏଥିରେ ଲେଖା ଯାଇଛି ଯେ ଆମ ଦେଶକୁ ଆସିଥିବା ଦଳେ କ୍ରିକେଟର୍‌ଙ୍କ ବିଷୟରେ ସର୍ବସାଧାରଣଙ୍କୁ ପୁଲିସ ଚେତାବନୀ ଜାରି କରୁଛି। ଉଭୟ ନାପିଏର ଏବଂ ମାଉଣ୍ଟ ମଙ୍ଗନୁଇରେ ନିରୀହ ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ସେମାନେ ନିର୍ଧୁମ ପ୍ରହାର କରିଛନ୍ତି। କ୍ରିକେଟ୍ ବ୍ୟାଟ୍ କିମ୍ବା ବଲ୍ ଭଳି କୌଣସି ଜିନିଷ ସାଙ୍ଗରେ ନେଉଥିଲେ ଆପଣ ଅତିରିକ୍ତ ସାବଧାନତା ଅବଲମ୍ବନ କରନ୍ତୁ। ପୁଲିସ ବିଭାଗର ଏହି ଟ୍ବିଟ୍ ଏବେ ନ୍ୟୁଜିଲାଣ୍ଡରେ ପ୍ରମୁଖ ଚର୍ଚାର ବିଷୟ ହୋଇଛି। ଏହାକୁ ଯିଏ ପଢ଼ୁଛି, ସିଏ ନ ହସି ରହି ପାରୁନି।

ଦ୍ବିତୀୟ ଦିନିକିଆ ସ୍କୋର‌୍‌ କାର୍ଡ

ଭାରତ ପାଳି: ୩୨୪/୪
ରୋହିତ-କ-ଗ୍ରାଣ୍ଡ୍‌ହୋମେ-ବୋ-ଫର୍ଗୁସନ୍‌-୮୭
ଶିଖର ଧାୱନ୍‌-କ-ଲାଥାମ୍‌-ବୋ-ବୋଲ୍‌ଟ-୬୬
କୋହଲି-କ-ସୋଢ଼ି-ବୋ-ବୋଲ୍‌ଟ-୪୭
ଅମ୍ବାତି ରାୟୁଡୁ-କ ଓ ବୋ-ଫର୍ଗୁସନ୍‌-୪୭
ମହେନ୍ଦ୍ର ସିଂହ ଧୋନି-ଅପରାଜିତ-୪୮
କେଦାର ଯାଦବ-ଅପରାଜିତ-୨୨
ଅତିରିକ୍ତ- (‌େଲ/ବା-୧, ୱା-୧୦)-୧୧
ମୋଟ-(୫୦ ଓଭର, ୪ ୱିକେଟ୍‌)-୩୨୪
ୱିକେଟ୍‌ ପତନ: ୧/୧୫୪, ୨/୧୭୨, ୩/୨୩୬, ୪/୨୭୧।
ବୋଲି˚: ଟ୍ରେଣ୍ଟ୍‌ ବୋଲ୍‌ଟ ୧୦-୧-୬୧-୨, ଡଗ୍‌ ବ୍ରେସ୍‌ୱେଲ୍‌ ୧୦-୦-୫୯-୦, ଲୋକି ଫର୍ଗୁସନ୍‌ ୧୦-୦-୮୧-୨, ଈଶ୍‌ ସୋଢ଼ି ୧୦-୦-୪୩-୦, କଲିନ୍‌ ଡି ଗ୍ରାଣ୍ଡ୍‌ହୋମେ ୮-୦-୬୨-୦, କଲିନ୍‌ ମୁନ୍‌ରୋ ୨-୦-୧୭-୦।
ନ୍ୟୁଜିଲାଣ୍ଡ୍‌ ପାଳି: ୨୩୪/୧୦
ଗପ୍ଟିଲ-କ-ଚହଲ୍‌-ବୋ-ଭୁବନେଶ୍ବର-୧୫
ମୁନ୍‌ରୋ-ଏଲ୍‌ବି-ବୋ-ଚହଲ୍‌-୩୧
ୱିଲିୟମ୍‌ସନ୍‌-ବୋ-ମହମ୍ମଦ ସାମି-୨୦
ଟେଲର-ଷ୍ଟମ୍ପ୍‌-ଧୋନି-ବୋ-କେଦାର-୨୨
ଲାଥାମ୍‌-ଏଲ୍‌ବି-ବୋ-କୁଲ୍‌ଦୀପ୍‌-୩୪
ନିକୋଲ୍‌ସ-କ-ସାମି-ବୋ-କୁଲ୍‌ଦୀପ୍‌-୨୮
ଗ୍ରାଣ୍ଡ୍‌ହୋମେ-କ-ରାୟୁଡୁ-ବୋ-କୁଲ୍‌ଦୀପ୍‌-୦୩
ବ୍ରେସ୍‌ୱେଲ୍‌-କ-ଧାୱନ୍‌-ବୋ-ଭୁବନେଶ୍ବର-୫୭
ସୋଢ଼ି-ବୋ-କୁଲ୍‌ଦୀପ୍‌-୦୦
ଫର୍ଗୁସନ୍‌-କ-ଶଙ୍କର-ବୋ-ଚହଲ୍‌-୧୨
ବୋଲ୍‌ଟ-ଅପରାଜିତ-୧୦
ଅତିରିକ୍ତ- (ୱା-୨)-୦୨
ମୋଟ-(୪୦.୨ ଓଭର, ଅଲ୍‌ଆଉଟ୍‌)-୨୩୪
ୱିକେଟ୍‌ ପତନ: ୧/୨୩, ୨/୫୧, ୩/୮୪, ୪/୧୦୦, ୫/୧୩୬, ୬/୧୪୬, ୭/୧୬୬, ୮/୧୬୬, ୯/୨୨୪, ୧୦/୨୩୪।
ବୋଲି˚: ଭୁବନେଶ୍ବର କୁମାର ୭-୧-୪୨-୨, ମହମ୍ମଦ ସାମି ୬-୦-୪୩-୧, ବିଜୟ ଶଙ୍କର ୨-୦-୧୭-୦, ୟୁଜ୍‌ବେନ୍ଦ୍ର ଚହଲ୍‌ ୯.୨-୦-୫୨-୨, କେଦାର ଯାଦବ ୬-୦-୩୫-୧, କୁଲ୍‌ଦୀପ୍‌ ଯାଦବ ୧୦-୦-୪୫-୪।

ସମ୍ବନ୍ଧିତ ଖବର