ଭୁବନେଶ୍ବର: ବହୁ ଦିନର ପ୍ରତୀକ୍ଷା ପରେ ଓଡ଼ିଶାରେ ଏକ ପେସାଦାର ଗଲ୍ଫ ପ୍ରତିଯୋଗିତା ପଦାର୍ପଣ କରିବାକୁ ଯାଉଛି। ଆମ ନିଜସ୍ବ କିଂବଦନ୍ତି ଦିଲୀପ ତିର୍କିଙ୍କ ନାମରେ ଏହି ପ୍ରତିଯୋଗିତା ନଭେମ୍ବର ୨ରୁ ୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଗଲ୍ଫ କୋର୍ସ (ବିଜିସି)ରେ ଖେଳାଯିବ। ପିଜିଟିଆଇ (ପ୍ରଫେସନାଲ୍ ଗଲ୍ଫ ଟୁର୍ ଅଫ୍ ଇଣ୍ଡିଆ) ଅନୁମୋଦିତ ଏହି ପ୍ରତିଯୋଗିତାର ନାମକୁ ‘ଦିଲୀପ ତିର୍କି ଆମନ୍ତ୍ରଣୀୟ ଗଲ୍ଫ ଟୁର୍ଣ୍ଣାମେଣ୍ଟ୍’ (ଡିଟିଆଇଜିଟି) ରଖାଯାଇଛି। ଏହି ପ୍ରତିଯୋଗିତାର ପ୍ରଥମ ଦିନରେ ପେସାଦାର ଓ ଆମେଚର୍ ମିଳିତ ଭାବେ ଖେଳିବାକୁ ଯାଉଥିବା ବେଳେ ଅବଶିଷ୍ଟ ୪ ଦିନ ପେସାଦାର ଖେଳାଳି ଅଂଶଗ୍ରହଣ କରିବେ। ଏଥି ପାଇଁ ଦେଶର ପ୍ରମୁଖ ୭୨ ଜଣ ଖେଳାଳି ନାମ ପଞ୍ଜୀକରଣ କରି ସାରିଥିବା ଆୟୋଜକ ଗେମ୍ଷ୍ଟାର୍ଟର ମୁଖ୍ୟ ତମନ୍ନା ସିଂହ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଏହି ପ୍ରତିଯୋଗିତାର ପ୍ରଚାର ଓ ପ୍ରସାର ପାଇଁ କ୍ରିକେଟ୍ କିଂବଦନ୍ତି କପିଳ ଦେବ ଏବଂ ହକି କିଂବଦନ୍ତି ମହମ୍ମଦ ଜାଫର ଇକ୍ବାଲ୍ ବି ଇନ୍ଷ୍ଟାଗ୍ରାମ୍ରେ ତାଙ୍କ ଉତ୍ସାହ ଦେଖାଇଛନ୍ତି। ‘‘ଛୋଟ ସହରକୁ ଗଲ୍ଫ ଆସୁଛି। ଭୁବନେଶ୍ବରରେ ଖେଳାଯିବ ଦିଲୀପ ତିର୍କି ଆମନ୍ତ୍ରଣୀୟ ଗଲ୍ଫ ପ୍ରତିଯୋଗିତା। ଏହା ସମୟର ଆହ୍ବାନ ଏବଂ ସ୍ଥାନୀୟ ଖେଳାଳି ଓ ଲୋକଙ୍କୁ ଉତ୍ସାହିତ କରିବ’’ ବୋଲି ପିଜିଟିଆଇର ସଭାପତି କପିଳ ଦେବ ପ୍ରକାଶ କରିଛନ୍ତି। ଡିଟିଆଇଜିଟି ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି, ଦେଶର ପ୍ରମୁଖ ଗଲ୍ଫରମାନେ ଏଥିରେ ଅଂଶଗ୍ରହଣ କରିବାକୁ ଉଲ୍ଲସିତ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି ପିଜିଟିଆଇର ସିଇଓ ଅମନଜୋତ ଜୋଲ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/01/sfssfxcxcss-2025-11-01-02-45-32.jpg)