ଦୁବାଇ: ଆଇସିସି ଇଭେଣ୍ଟ୍‌ଗୁଡ଼ିକରେ ଭାରତ ପାଇଁ ବଡ଼ ପ୍ରତିବଂଧକ ସାଜୁଥିବା ଅଷ୍ଟ୍ରେଲିଆ ପୁଣି ଥରେ ଏହି ଆହ୍ବାନ ନେଇ ଆସିଛି। ମଙ୍ଗଳବାର ଚଳିତ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ରୋହିତ ଶର୍ମାଙ୍କ ଦଳ ଭେଟିବ ଷ୍ଟିଭେନ୍ ସ୍ମିଥଙ୍କ କଙ୍ଗାରୁ ଦଳକୁ। ସଦ୍ୟତମ ବିଗତ ଦୁଇଟି ଆଇସିସି ଇଭେଣ୍ଟ୍‌ ୨୦୨୩ ଦିନିକିଆ ବିଶ୍ବକପ୍‌ ଫାଇନାଲ୍ ଏବଂ ୨୦୨୪ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍‌ରେ ଭାରତୀୟ ଦଳକୁ ପରାସ୍ତ କରିଥିବା ଅଷ୍ଟ୍ରେଲିଆ ଏହି ଧାରାକୁ ଆଗକୁ ବଢ଼‌ାଇବ ବୋଲି ବିଶ୍ବାସ ରଖିଛି। କିନ୍ତୁ ଦୁବାଇରେ ଗତ ଦୁଇ ସପ୍ତାହ ହେବ ଡେରା ପକାଇଥିବା ଭାରତକୁ ହରାଇବା ନିଶ୍ଚିତ ଅସନ୍ତୁଳିତ ଅଷ୍ଟ୍ରେଲିଆ ପାଇଁ ଏଥର କଷ୍ଟକର ହେବ ବୋଲି ବିଶ୍ବାସ କରାଯାଉଛି। ଦୁବାଇରେ ଭାରତ ବିଗତ ୩ ମ୍ୟାଚ୍‌ରେ ଅପରାଜିତ ରହିବା ସହ ପିଚ୍‌ ଓ ପରିବେଶ ସହ ଖାପଖୁଆଇ ସାରିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ରହିଛି। ମାତ୍ର ଗୋଟିଏ ମ୍ୟାଚ୍‌ରେ ଦଳ ଇଂଲଣ୍ଡକୁ ହରାଇଥିବା ବେଳେ ଅନ୍ୟ ୨ଟିକୁ ବର୍ଷା ଧୋଇନେଇଥିଲା। ଇଂଲଣ୍ଡ ବିପକ୍ଷରେ ଦଳର ବୋଲରମାନେ ୩୫୦ ରନ୍ ବ୍ୟୟ କରିଥିଲେ। କିନ୍ତୁ ବ୍ୟାଟର୍‌ଙ୍କ ସଫଳ ପଶ୍ଚାତ୍‌ଧାବନ କାରଣରୁ ଦଳ ବିଜୟୀ ହୋଇପାରିଥିଲା। ଏବେ ଦୁବାଇର ମନ୍ଥର ପିଚ୍‌ରେ ଅଷ୍ଟ୍ରେଲିଆ ପାଇଁ ଭାରତୀୟ ସ୍ପିନର ବଡ଼ ଆହ୍ବାନ ସୃ‌ଷ୍ଟି କରିବେ ନିଶ୍ଚିତ।

Advertisment

ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବା ବେଳେ ଭାରତ ଉପରେ ଅତିରିକ୍ତ ଚାପ ନାହିଁ ବୋଲି ଅଧିନାୟକ ରୋହିତ ଶର୍ମା ସେମିଫାଇନାଲ୍ ପୂର୍ବଦିନ ପ୍ରକାଶ କରିଛନ୍ତି। ଉଭୟ ଦଳ ଉପରେ ‘ବିଜୟର ଚାପ’ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ୨୦୧୧ ଦିନିକିଆ ବିଶ୍ବକପ୍‌ କ୍ବାର୍ଟରଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ହରାଇବା ପରଠାରୁ ଭାରତ ଆଉ କୌଣସି ଆଇସିସି ଇଭେଣ୍ଟ ନକ୍ ଆଉଟ୍‌ ପର୍ଯ୍ୟାୟରେ ଏହି ଦଳକୁ ପରାସ୍ତ କରିପାରିନାହିଁ। ୨୦୧୫ ଦିନିକିଆ ବିଶ୍ବକପ୍ ସେମିଫାଇନାଲ୍‌, ୨୦୨୩ ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ରେ ଭାରତକୁ ହରାଇ ଅଷ୍ଟ୍ରେଲିଆ କୋଟିକୋଟି ଭାରତୀୟଙ୍କ ହୃଦୟକୁ ଖିନଭିନ୍ କରି ଦେଇଥିଲା। ଆମେ କିନ୍ତୁ ଦୁବାଇରେ ଗତ ୩ଟି ମ୍ୟାଚ୍‌ରେ ଯେଉଁ ମନୋଭାବରେ ଖେଳିଛୁ ଏହାକୁ ଜାରି ରଖିବୁ ବୋଲି କହିଛନ୍ତି ରୋହିତ। ପଡ଼ିଆ ଭିତରେ ନିଶ୍ଚିତ କିଛି ନର୍ଭସ ମୁହୂର୍ତ୍ତ ରହିବ ବୋଲି ସେ ସ୍ବୀକାର କରିଛନ୍ତି। ଅଷ୍ଟ୍ରେଲିଆ ଦଳ ନିକଟରେ ଏବେ କିଛି ବଡ଼ ଖେଳାଳି ନଥିଲେ ବି ଏହି ଦଳ ଲଢ଼ୁଆ ଖେଳିଥାଏ। ଦଳଗତ ଭାବେ ଆମକୁ ଭଲ ଖେଳିବାକୁ ପଡ଼ିବ ବୋଲି ରୋହିତ ଆତ୍ମବିଶ୍ବାସର ସହ ପ୍ରକାଶ କରିଛନ୍ତି।

ଭାରତ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳିଥିବା ୩ ମ୍ୟାଚ୍‌ରେ ପରିସ୍ଥିତି ଅନୁସାରେ ଖେଳିବାରେ ପରିପକ୍ବତା ଦେଖାଇଛି। ନ୍ୟୁଜିଲାଣ୍ଡ୍‌ ବିପକ୍ଷ ରବିବାର ରାତିର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ବରୁଣ ଚକ୍ରବର୍ତ୍ତୀଙ୍କୁ ଖେଳାଇବା ନିର୍ଣ୍ଣାୟକ ହୋଇଥିଲା। ସେ ତାଙ୍କ ଆଇସିସି ପଦାର୍ପଣ ଇଭେଣ୍ଟ୍‌ରେ ୫ ୱିକେଟ୍ ସଫଳତା ଅର୍ଜନ କରିବାରୁ ଭାରତ ୨୪୯ ରନ୍‌କୁ ବି ସୁରକ୍ଷିତ ରଖିବାରେ ସକ୍ଷମ ହୋଇଥିଲା। ଏବେ ଭାରତୀୟ ମ୍ୟାନେଜମେଣ୍ଟ୍‌ ଏହି ଦଳକୁ ଅପରିବର୍ତ୍ତିତ ରଖି ‌ସେମିଫାଇନାଲ୍ ଖେଳିବ କି ନା ଦ୍ବନ୍ଦ୍ବରେ ପଡ଼ିଛି। ପୂର୍ବ ଦୁଇ ମ୍ୟାଚ୍‌ ଭଳି ଭାରତ ହର୍ଷିତ ରାଣା କି ଅର୍ଶଦୀପ ସିଂହଙ୍କୁ ଅତିରିକ୍ତ ପେସ୍‌ ବୋଲର ଭାବେ ରଖିବେ, ତାହା ଉପରେ ବିଚାର କରୁଛନ୍ତି। ସମ୍ଭବତଃ ସେଭଳି ହେବ ନାହିଁ। ଭାରତ ପୁଣି ଥରେ ୪ ଜଣିଆ ସ୍ପିନ୍ ଆକ୍ରମଣରେ ଖେଳିବ ବୋଲି ବିଶ୍ବାସ କରାଯାଉଛି।

ବ୍ୟାଟିଂରେ କିନ୍ତୁ ଭାରତକୁ ଆଉ ଥରେ ମିଳିତ ପ୍ରଦର୍ଶନ ଦେବାକୁ ହେବ। ଦୁବାଇ ପିଚ୍‌ରେ ବଡ଼ ପାଳି ଖେଳିବା ସମ୍ଭବ ହେଉ ନଥିବାରୁ ଭାରତର ଶୀର୍ଷକ୍ରମଠାରୁ ନିଶ୍ଚିତ ଭଲ ଆରମ୍ଭ ଆଶା ରଖିବ ଦଳ। ରୋହିତ ଶର୍ମା, ଶୁବମନ ଗିଲ୍‌, ବିରାଟ କୋହଲି ନ୍ୟୁଜିଲାଣ୍ଡ୍ ବିପକ୍ଷରେ ବିଫଳ ହୋଇଥିଲେ ବି ମଧ୍ୟକ୍ରମରେ ଶ୍ରେୟସ ଆୟର, ଅକ୍ଷର ପଟେଲ୍ ଏବଂ ଶେଷ ଭାଗରେ ହାର୍ଦିକ ପାଣ୍ଡ୍ୟାଙ୍କ ପାଳି ବଳରେ ଭାରତ ଲଢ଼ୁଆ‌ ସ୍କୋର୍‌ କରିପାରିଥିଲା। ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡ଼େଜାଙ୍କଠାରୁ ବି ଦଳ ଅଧିକ ଦାୟିତ୍ବପୂର୍ଣ୍ଣ ପାଳିର ଆବଶ୍ୟକତା ରଖୁଛି।