ନୂଆଦିଲ୍ଲୀ: ଛୋଟିଆ ଶୃଙ୍ଖଳାର ସୁଖଦ ପରିସମାପ୍ତି ସହ ନୂଆ ଅଧିନାୟକ ଶୁବମନ୍ ଗିଲ୍ଙ୍କ ଅଧୀନରେ ଭାରତ ପ୍ରଥମ ଶୃଙ୍ଖଳା ବିଜୟ ହାସଲ କରିଛି। ନୂଆଦିଲ୍ଲୀ ଟେଷ୍ଟ୍କୁ ୭ ୱିକେଟ୍ରେ ଜିତି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାକୁ ୨-୦ରେ ପୋଛି ନେଇଛି। ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ୧୨୧ ରନ୍ର ବିଜୟ ଲକ୍ଷ୍ୟ ଦେବା ପରେ ଭାରତ ଏହାକୁ ମାତ୍ର ୩ ୱିକେଟ୍ ହରାଇ ହାସଲ କରିନେଇଛି। ଚତୁର୍ଥ ଦିନ ଖେଳ ବନ୍ଦ ବେଳକୁ ଗୋଟିଏ ୱିକେଟ୍ ବିନିମୟରେ ୬୩ ରନ୍ କରି ବିଜୟ ଦ୍ବାର ଦେଶରେ ପହଞ୍ଚି ଯାଇଥିଲା ଗିଲ୍ ବାହିନୀ। ପଞ୍ଚମ ଦିନରେ ଗୋଟିଏ ଘଣ୍ଟାରୁ ସାମାନ୍ୟ ଅଧିକ ସମୟ ନେଇ ବିଜୟର ଔପଚାରିକତାକୁ ପୂରଣ କରିନେଇଛି। ମଙ୍ଗଳବାର ଅବଶିଷ୍ଟ ୫୮ ରନ୍କୁ ଆଉ ୨ ୱିକେଟ୍ ହରାଇ ହାସଲ କରି ନେଇଛି। ଅଧିନାୟକ ଗିଲ୍ (୧୩)ଙ୍କ ଛୋଟିଆ ପାଳି ସହ ଓପନର୍ କେଏଲ୍ ରାହୁଲ (୫୮*)ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ଏହି ସହଜ ବିଜୟ ପାଇଥିଲା। ଗିଲ୍ଙ୍କ ସହ କେବଳ ସୋମବାରର ଅପରାଜିତ ବ୍ୟାଟର୍ ସାଇ ସୁଦର୍ଶନ (୩୯) ଆଉଟ୍ ହୋଇଥିଲେ।
କୁଲଦୀପ ମ୍ୟାଚ୍ର ଏବଂ ଜାଡ଼େଜା ଶୃଙ୍ଖଳାର ଶ୍ରେଷ୍ଠ
ଟେଷ୍ଟ୍ ମାନ୍ୟତାର ତୃତୀୟ ସ୍ଥାନରେ ଭାରତ ସ୍ଥିର
ଅହମଦାବାଦରେ ଖେଳିଥିବା ପ୍ରଥମ ଟେଷ୍ଟ୍କୁ ଏକ ପାଳି ଓ ୧୪୦ ରନ୍ରେ ଜିତିଥିବା ଟିମ୍ ଇଣ୍ଡିଆ ଦ୍ବିତୀୟ ଟେଷ୍ଟ୍ରେ ସାମାନ୍ୟ ପ୍ରତିରୋଧର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏହାକୁ ପଞ୍ଚମ ତଥା ଶେଷ ଦିନର ପ୍ରଥମ ଅଧିବେଶନରେ ଜିତି ଆତ୍ମବିଶ୍ବାସର ସହ ଗିଲ୍ଙ୍କ ଘରୋଇ ଯୁଗର ଶୁଭାରମ୍ଭ କରିଛି। ସେହିଭଳି ଅଶି ଦଶକର ଦୁର୍ଦ୍ଧର୍ଷ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଲଗାତାର ୧୦ ଟେଷ୍ଟ୍ ଶୃଙ୍ଖଳା ଜିତିବାରେ ଦକ୍ଷିଣ ଆଫ୍ରିକା ରେକର୍ଡ ସହ ସମକକ୍ଷ ହୋଇଛି। ଶେଷ ଥର ପାଇଁ ଭାରତୀୟ କ୍ରିକେଟ୍ ଦଳ ୨୦୦୨ ମସିହାରେ କୌଣସି ଘରୋଇ ଶୃଙ୍ଖଳା ହାରିଥିଲା। ପୁଣି ଗତ ୨୭ ଟେଷ୍ଟ୍ରେ ଏହି ଦଳ ବିପକ୍ଷରେ ଭାରତ ଅପରାଜେୟ ରହିବାର କୀର୍ତ୍ତିମାନ ବି କରିଛି। ସେହିଭଳି ଭାରତ ଘରୋଇ ପରିବେଶରେ ମୋଟ ଉପରେ ୧୨୨ତମ ଟେଷ୍ଟ୍ ବିଜୟ ହାସଲ କରି ଦକ୍ଷିଣ ଆଫ୍ରିକା (୧୨୧)କୁ ସର୍ବାଧିକ ଟେଷ୍ଟ୍ ବିଜୟ ତାଲିକାରେ ଚତୁର୍ଥ ସ୍ଥାନକୁ ଖସାଇ ଦେଇଛି। ଅଷ୍ଟ୍ରେଲିଆ (୨୬୨) ଏବଂ ଇଂଲଣ୍ଡ (୨୪୧) ଏହି କ୍ଷେତ୍ରରେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏହା ପୂର୍ବରୁ ଗିଲ୍ଙ୍କ ନେତୃତ୍ବରେ ଖେଳିଥିବା ପ୍ରଥମ ଶୃଙ୍ଖଳାକୁ ଭାରତ ୨-୨ରେ ଅମୀମାଂସିତ ରଖିଥିଲା। ୱେଷ୍ଟଇଣ୍ଡିଜ୍ ଶୃଙ୍ଖଳା କିନ୍ତୁ ଗିଲ୍ଙ୍କ ଅଧିନାୟକତ୍ବର ପ୍ରଥମ ଘରୋଇ ଆହ୍ବାନ ଥିଲା। ଏହି ବିଜୟ ସହ ପିସିଟି (୬୧.୯) ବଢ଼ାଇଥିଲେ ମଧ୍ୟ ଆଇସିସି ଟେଷ୍ଟ୍ ମାନ୍ୟତାରେ ପୂର୍ବଭଳି ଭାରତ ତୃତୀୟ ସ୍ଥାନରେ ସ୍ଥିର ରହିଛି। ଟ୍ବେଣ୍ଟି-୨୦ ଫର୍ମାଟ୍ରେ ଅନୁଷ୍ଠିତ ଏସିଆ କପ୍ର ପ୍ରଦର୍ଶିତ ଫର୍ମକୁ ଟେଷ୍ଟ୍କୁ ଲମ୍ବିତ କରି କଚଟି ସ୍ପିନର କୁଲଦୀପ ଯାଦବ (୫/୮୨, ୩/୧୦୪) ମ୍ୟାଚ୍ର ଶ୍ରେଷ୍ଠ ଏବଂ ଅଲରାଉଣ୍ଡ୍ ପ୍ରଦର୍ଶନ ଲାଗି ରବୀନ୍ଦ୍ର ଜାଡ଼େଜା (୧୦୪ ରନ୍, ୮ ୱିକେଟ୍) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ତେବେ ଯୁବ ଓପନର୍ ଯଶସ୍ବୀ ଜୟସ୍ବାଲ (୨୧୯) ଶୃଙ୍ଖଳାର ସର୍ବାଧିକ ରନ୍ ଏବଂ କୁଲଦୀପ (୧୨) ସର୍ବାଧିକ ୱିକେଟ୍ ସଂଗ୍ରହକାରୀ ହୋଇଥିଲେ।
ସକ୍ଷିପ୍ତ ସ୍କୋର୍: ଭାରତ ପ୍ରଥମ ପାଳି-୫୧୮/୫ (ଘୋଷଣା)। ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି-୨୪୮ ଓ ଦ୍ବିତୀୟ ପାଳି (ଫଲୋଅନ୍)-୩୯୦ । ଭାରତ ଦ୍ବିତୀୟ ପାଳି-୩୫.୨ ଓଭରରେ ୧୨୪/୩ (କେଏଲ୍ ରାହୁଲ ୫୮*, ସାଇ ସୁଦର୍ଶନ ୩୯, ଶୁବମନ ଗିଲ୍ ୧୩, ରସ୍ତନ ଚେଜ୍ ୨/୩୬)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/15/addagdgzcvc-2025-10-15-01-36-17.jpg)