ଡର୍ବାନ୍‌: ଭାରତୀୟ କ୍ରିକେଟ୍ ଦଳର ଦକ୍ଷିଣ ଆଫ୍ରିକା ଅଭିଯାନ ଆଜି ଠାରୁ ଆରମ୍ଭ ହେଉଛି। ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ଡର୍ବାନର କିଙ୍ଗ୍‌ସମେଡ ଷ୍ଟାଡିୟମରେ ଖେଳାଯିବ। ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ବରେ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବ। ତେବେ ଡର୍ବାନରେ ବର୍ଷା ଜାରି ରହିଛି। ଫଳରେ ଟସ୍‌ ପଡ଼ିବାରେ ବିଳମ୍ବ ହେଉଛି।

Advertisment

publive-image Photo: X

ଭାରତ ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ବିପକ୍ଷରେ ୪-୧ରେ ଶୃଙ୍ଖଳା ଜିତିଥିବାରୁ ମନୋବଳ ନିଶ୍ଚିତ ଉଚ୍ଚରେ ରହିଛି। କିନ୍ତୁ ବିଦେଶ ପରିବେଶରେ ଦଳ କିଭଳି ଖେଳୁଛି ଦେଖିବାର ବାକି ଅଛି। ଦିନିକିଆ ବିଶ୍ବକପ୍ ସେମିଫାଇନାଲରୁ ବିଦାୟ ନେବା ପରେ ଦକ୍ଷିଣ ଆଫ୍ରିକା ଟି-୨୦ ଫର୍ମାଟ ବିଶ୍ବକପ୍‌ର ୬ ମାସ ଥିବାରୁ ନିଜକୁ ପ୍ରସ୍ତୁତ କରିବାକୁ ଏହିଠାରୁ ହିଁ ଅଭିଯାନ ଆରମ୍ଭ କରିବାକୁ ପସନ୍ଦ କରିବ। ଆଇପିଏଲ୍ ପରବର୍ତ୍ତୀ ୧ ମାସ ନିଶ୍ଚିତ ନିର୍ଣ୍ଣୟ କରିବ ଭାରତୀୟ ଦଳର ଟି-୨୦ ବିଶ୍ବକପ୍‌ ଦଳ। କାରଣ ଫର୍ମ ଓ ଫିଟନେସ୍‌ ଅଧିକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ।

କାଗିସୋ ରବାଡ଼ାଙ୍କୁ ଦକ୍ଷିଣ ଆଫ୍ରିକା ବିଶ୍ରାମ ଦେଇଥିବା ବେଳେ ଅନରିକ୍ ନର୍ଖିୟା ଓ ଲୁଙ୍ଗି ଏନଗିଡି ଆହତ ଥିବାରୁ ଦଳରେ ନାହାନ୍ତି। କିନ୍ତୁ ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ସର୍ବଦା କଡ଼ା ପ୍ରତିଦ୍ବନ୍ଦ୍ବୀ ରହିଥିବାରୁ ଭାରତକୁ ନିଶ୍ଚିତ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ। ଭାରତ ଏହି ଶୃଙ୍ଖଳା ପାଇଁ ୧୭ ଜଣ ଖେଳାଳିଙ୍କୁ ନେଇଥିବା ବେଳେ ଏମାନଙ୍କ ମଧ୍ୟରୁ ମାତ୍ର ୩ ଜଣ ଶ୍ରେୟସ ଆୟର, ମୁକେଶ କୁମାର, ଈଶାନ କିଶନ ଦିନିକିଆ ଦଳରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ୪ ‌ଟି-୨୦ ଶୃଙ୍ଖଳାରେ ଭାରତ ବିଜୟୀ ହୋଇଛି। ଶେଷ ଥର ପାଇଁ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୨୦୧୫ ଅକ୍ଟୋବର ମାସରେ ଭାରତରେ ୨-୦ରେ ବିଜୟୀ ହୋଇଥିଲା।

ଦକ୍ଷିଣ ଆଫ୍ରିକା ଏକାଦଶ: ରିଜା ହେଣ୍ଡ୍ରିକ୍ସ, ମାଥ୍ୟୁ ବ୍ରିଜକେ, ଐଦେନ ମାରକ୍ରମ (ଅଧିନାୟକ), ତ୍ରିଷ୍ଟାନ ଷ୍ଟବ୍ସ/ହେନରିକ୍ କ୍ଲାସେଁ (ୱିକେଟରକ୍ଷକ), ଡେଭିଡ୍ ମିଲର୍‌, ଡୋନୋଭାନ ‌ଫେରେଇରା, ମାର୍କୋ ୟାନସେନ୍‌/ଆନ୍ଦିଲ ଫେଲୁକ୍ବାୟୋ, କେଶବ ମହାରାଜ, ଗେରାଲ୍ଡ କୋଏତଜି, ନନ୍ଦ୍ରେ ବର୍ଜର, ତାବ୍ରାଇଜ୍ ସାମସି।

ଭାରତ ଏକାଦଶ: ଯଶସ୍ବୀ ଜୟସ୍ବାଲ, ଶୁବମନ ଗିଲ୍‌, ଋତୁରାଜ ଗାଏକ୍ବାଡ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ରିଙ୍କୁ ସିଂହ, ଜ‌ିତେଶ ଶର୍ମା (ୱିକେଟରକ୍ଷକ), ରବୀନ୍ଦ୍ର ଜାଡ଼େଜା, ଦୀପକ ଚହର, କୁଲଦୀପ ଯାଦବ/ରବି ବିଷ୍ଣୋଇ, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ/ମୁକେଶ କୁମାର।