ପ୍ରଥମ ଟି-୨୦: ଫର୍ଗୁସନ୍‌ଙ୍କୁ ୫ ୱିକେଟ୍‌, ୱେଷ୍ଟଇଣ୍ଡିଜ୍‌କୁ ୫ ୱିକେଟ୍‌ରେ ହରାଇଲା ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ୍‌ : ନ୍ୟୁଜିଲାଣ୍ଡ ଗସ୍ତରେ ୱେଷ୍ଟଇଣ୍ଡିଜ୍‌ ଦଳ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଖେଳିଥିବା‌ ବର୍ଷା ବାଧାପ୍ରାପ୍ତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଏହି ଭ୍ରମଣକାରୀ ଦଳ ୫ ୱିକେଟ୍‌ରେ ହାରିଯାଇଛି। ବିଶେଷକରି ଲୋକି ଫର୍ଗୁସନ୍‌ଙ୍କ ୫ ୱିକେଟ୍‌ ବଳରେ ନ୍ୟୁଜିଲାଣ୍ଡ ୧୫.୨ ଓଭରରେ ବିଜୟ ହାସଲ କରିଥିଲା। ଏଥି ସହିତ ଘରୋଇ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ୪-୦-୨୧-୫ ବୋଲିଂ ଚିତ୍ର ପାଇଥିବା ଫର୍ଗୁସନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଟସ୍‌ ଜିତି ନ୍ୟୁଜିଲାଣ୍ଡ୍‌ ପ୍ରଥମେ ବ୍ୟାଟିଂ ପାଇଁ ୱେଷ୍ଟଇଣ୍ଡିଜ୍‌କୁ ଆମନ୍ତ୍ରଣ କରିଥିଲା। ଆନ୍ଦ୍ରେ ଫ୍ଲେଚର (୩୪ ରନ୍‌, ୩ ଚୌକା, ୩ ଛକା) ଓ ବ୍ରେଣ୍ଡନ କିଙ୍ଗ୍‌ (୧୩) ବିସ୍ଫୋରକ ଆରମ୍ଭ କରିଥିଲେ। ଦୁହେଁ ୧୯ ବଲ୍‌ରୁ ୫୮ ରନ୍‌ ଆଦାୟ କରି ବଡ଼ ସ୍କୋର୍‌ ସମ୍ଭାବନା ସୃଷ୍ଟି କରିଥିଲେ। ହେଲେ ପରର୍ବତୀ ୯ ବଲ୍‌ ମଧ୍ୟରେ ୪ ଏବଂ ୧୧ ବଲ୍‌ ମଧ୍ୟରେ ୫ ୱିକେଟ୍‌ ହରାଇ ଘୋର ସଂକଟରେ ପଡ଼ିଯାଇଥିଲା। ଯାହା ଫଳରେ ବିନା ୱିକେଟ୍‌ରେ ୫୮ ରନ୍‌ କରିଥିବା ଇଣ୍ଡିଜ୍‌ ସେହି ସ୍କୋର୍‌ରେ ଚାରିଟି ୱିକେଟ୍‌ ହରାଇଥିଲା ବେଳେ ୫୯ ରନ୍‌ ବେଳକୁ ପଞ୍ଚମ ୱିକେଟ୍‌ ବି ହରାଇ ଦେଇଥିଲା। ଫର୍ଗୁସନ୍‌ ଓ ଅଭିଜ୍ଞ ଟିମ୍‌ ସାଉଦି ହିଁ ଇଣ୍ଡିଜ୍‌ ଦଳର ପତନ ଘଟିଥିବା ୭ଟିଯାକ ୱିକେଟ୍‌ ବାଣ୍ଟି ନେଇଥିଲେ। ଫର୍ଗୁସନ୍‌ ତାଙ୍କ ୪ ଓଭର କୋଟା ମଧ୍ୟରେ ପ୍ଲେଚର, ସିମ୍ରନ୍‌ ହେଟ୍‌ମେର୍‌ (୦), ନିକୋଲାସ ପୂରଣ (୧), ଫାବିଏନ୍‌ ଆଲେନ୍‌ (୩୦ ରନ୍‌, ୪ ଚୌକା, ୧ ଛକା) ଓ କିମୋ ପଲ୍‌ (୦)ଙ୍କୁ ଶିକାର କରି ପ୍ରଥମ ମ୍ୟାଚ୍‌ରୁ ହିଁ ୫ ୱିକେଟ୍‌ ସଫଳତା ହାତେଇଥିଲେ। ଅନ୍ୟପକ୍ଷରେ ସାଉଦି ୩ ଓଭର ବୋଲିଂ କରି ୨୧ ରନ୍‌ ବ୍ୟୟ କରିଥିଲା ବେଳେ କିଙ୍ଗ୍‌ ଓ ରୋଭ୍‌ମାନ୍‌ ପାୱେଲ (୦)ଙ୍କ ୱିକେଟ୍‌ ଦଖଲ କରିଥିଲେ। ସପ୍ତମ ଓଭର ବେଳକୁ ବର୍ଷା ବାଧା ସୃଷ୍ଟି କରିବାରୁ ଇଣ୍ଡିଜ୍‌ ପାଳିକୁ ୧୬ ଓଭରରେ ସୀମିତ ରଖାଯାଇଥିଲା। ତେବେ ଅଧିନାୟକ କିରଣ ପୋଲାର୍ଡ (୭୫ ରନ୍‌, ୩୭ ବଲ୍‌, ୪ ଚୌକା, ୮ ଛକା)ଙ୍କ ବିସ୍ଫୋରକ ଅପରାଜିତ ପାଳି ବଳରେ ଦଳ ୧୮୦/୭ର ସମ୍ମାନଜନକ ସ୍କୋର୍‌ କରିଥିଲା। ପୋଲାର୍ଡ ଓ ଆଲେନ୍‌ ଷଷ୍ଠ ୱିକେଟ୍‌ରେ ୮୪ ରନ୍ ଯୋଡ଼ିଥିଲେ।

ଜବାବରେ ୧୬ ଓଭରରେ ନ୍ୟୁଜିଲାଣ୍ଡ୍‌ ନିକଟରେ ପରିବର୍ତିତ ଲକ୍ଷ୍ୟ ୧୭୬ ରଖାଯାଇଥିଲା। ଅନୁରୂପ ଭାବେ ଘରୋଇ ଦଳ ମଧ୍ୟ ୬୩ ରନ୍‌ ବେଳକୁ ୪ ୱିକେଟ୍‌ ହରାଇଥିଲା। ତେବେ ପଞ୍ଚମ ୱିକେଟ୍‌ରେ ଫିଲିପ କନ୍‌ୱେ (୪୧) ଓ ଜେମ୍‌ସ ନୀସାମ (୪୮*) ୭୭ ରନ୍ ଯୋଡ଼ିବା ପରେ ମିଚେଲ ସାଣ୍ଟନର୍‌ଙ୍କ ଅପରାଜିତ ୩୧ ରନ୍‌ ଯୋଗୁଁ ୧୫.୨ ଓଭରରେ ଦଳ ୧୭୯/୫ କରିନେଇଥିଲା। ଓସାନେ ଥୋମାାସ୍‌ (୨/୨୩) ଇଣ୍ଡିଜ୍‌ ଦଳ ପକ୍ଷରୁ ସଫଳ ବୋଲର ରହିଥିଲେ।

ସମ୍ବନ୍ଧିତ ଖବର