ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍‌: କନ୍‌ୱେଙ୍କ ଶତକ, ନ୍ୟୁଜିଲାଣ୍ଡ୍‌ ୨୫୮/୫

ମାଉଣ୍ଟ ମଙ୍ଗନୁଇ: ନୂଆ ବର୍ଷର ପ୍ରଥମ ଦିନରୁ ନ୍ୟୁଜିଲାଣ୍ଡ୍‌ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଯାଇଛି ପ୍ରଥମ ଟେ‌ଷ୍ଟ୍‌। ଆଇସିସି ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଅନ୍ତର୍ଗତ ଏହି ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌ରେ ଉଭୟ ଦଳ ପ୍ରଥମ ଦିବସର ସମ୍ମାନ ବାଣ୍ଟିଛନ୍ତି। ଭ୍ରମଣକାରୀ ବାଂଲାଦେଶ ବୋଲରମାନେ ବିଳମ୍ବ ତଥା ଶେଷ ଅଧିବେସନରେ ୩ ସହିତ ମୋଟ ୫ ୱିକେଟ୍‌ ଅକ୍ତିଆର କରିନେଇଥିଲା ବେଳେ ଘରୋଇ ନ୍ୟୁଜିଲାଣ୍ଡ୍‌ ଡେଭନ୍‌ କନ୍‌ୱେଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ ଓ ୱିଲ୍‌ ୟଙ୍ଗ୍‌ଙ୍କ ଅର୍ଦ୍ଧଶତକ ବଳରେ ୨୫୮ ରନ୍‌ କରିଛି। ହେନ୍‌ରି ନିକୋଲ୍‌ସ ୩୨ ରନ୍‌ରେ ଅପରାଜିତ ଥିବାରୁ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍ ବିଜେତା ନ୍ୟୁଜିଲାଣ୍ଡ୍‌ ୩୦୦+ ସ୍କୋର୍‌ କରିବାର ଆତ୍ବବିଶ୍ବାସ ପାଇଯାଇଛି।

ଶନିବାର ଭ୍ରମଣକାରୀ ଦଳର ଅଧିନାୟକ ମୋମିନୁଲ୍‌ ହକ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନ୍ୟୁଜିଲାଣ୍ଡ୍‌କୁ ଆମନ୍ତ୍ରଣ କରିଥିଲେ। ନିୟମିତ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ଙ୍କ ଅନୁପସ୍ଥିତିରେ ଟମ୍‌ ଲାଥମ୍‌ଙ୍କ ନେତୃତ୍ବରେ ଘରୋଇ ଦଳ ପଡ଼ିଆକୁ ଓହ୍ଲାଇଥିଲା। ହେଲେ ନିଜର ଦ୍ବିତୀୟ ତଥା ମୋଟ ଚତୁର୍ଥ ଓଭରରେ ଲାଥାମ୍‌ (୧)ଙ୍କୁ ୱିକେଟ୍‌ରକ୍ଷକ ଲିଟନ୍‌ ଦାସଙ୍କ ହାତରେ କ୍ୟାଚ୍‌ କରାଇ ସୋରିଫୁଲ ଇସ୍‌ଲାମ ବାଂଲାଦେଶକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। କିନ୍ତୁ ଏହାପରେ ୱିଲ୍‌ ୟଙ୍ଗ୍‌ ଏବଂ କନ୍‌ୱେ ୪୫ ଓଭର ଧରି କ୍ରିଜ୍‌ରେ ଜମିରହି ବାଂଲା ବୋଲରଙ୍କୁ ନିରାଶ କରିଥିଲେ। ଦୁହେଁ ଦ୍ବିତୀୟ ୱିକେଟ୍‌ରେ ୧୩୮ ରନ୍ ଯୋଡ଼ି ସ୍ଥିତି ସୁଧାରିଥିଲା ବେଳେ ୟଙ୍ଗ୍‌ (୫୨) ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇଯାଇଥିଲେ। ସେହିପରି ଚଳିତ ବାଂଲାଦେଶ ଶୃଙ୍ଖଳା ପରେ ଟେଷ୍ଟ୍‌ କ୍ରିକେଟ୍‌ରୁ ଅବସର ନେଇଯିବେ ବୋଲି ଘୋଷଣା କରିସାରିଥିବା ଅଭିଜ୍ଞ ରସ୍‌ ଟେଲର (୩୧)ଙ୍କୁ ସୋରିଫୁଲ ନିଜର ଦ୍ବିତୀୟ ଶିକାର କରିଥିଲେ। ଅବଶ୍ୟ ଟେଲର ପାଭିଲିୟନ୍‌ ଫେରିଯିବା ପୂର୍ବରୁ କନ୍‌ୱେଙ୍କ ସହିତ ତୃତୀୟ ୱିକେଟ୍‌ରେ ୫୦ ରନ୍‌ ଯୋଡ଼ିଥିଲେ। ଇତି ମଧ୍ୟରେ ଶତକ ପୂରଣ କରିସାରିଥିବା କନ୍‌ୱେ ଚତୁର୍ଥ ୱିକେଟ୍‌ରେ ନିକୋଲ୍‌ସଙ୍କ ସହ ୩୮ ରନ୍ ଯୋଡ଼ିବା ପରେ ପ୍ରତିପକ୍ଷ ମୋମିନୁଲ୍‌ ହକ୍‌ଙ୍କ ବଲ୍‌ରେ ଲିଟନ୍‌ ଦାଙ୍କ ହାତରେ ଧରାପଡ଼ି ପାଭିଲିୟନ୍‌ ଫେରିଯାଇଥିଲେ। କନ୍‌ୱେ କିନ୍ତୁ ନିଜର ଚତୁର୍ଥ ଟେଷ୍ଟ୍‌ରୁ ଦ୍ବିତୀୟ ଶତକ ହାସଲ କରିନେଇଥିଲେ। ତାଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକୀୟ ପାଳି (୧୨୨ ରନ୍‌) ମଧ୍ୟରେ କନ୍‌ୱେ ୧୬ ଚୌକା ଓ ୧ ଛକା ମାରିଥିଲେ। ଏହାପରେ ନିକୋଲ୍‌ସଙ୍କ ସହ ମିଶି ୱକେଟ୍‌ରକ୍ଷକ ଟମ୍‌ ବ୍ଲଣ୍ଡେଲ (୧୧) ପାଳି ସଜାଡୁଥିଲା ବେଳେ ଏବାଦତ୍‌ ହୋସେନ୍‌ଙ୍କ ଶିକାର ହୋଇଥିଲେ। ୮୭.୩ ଓଭରରେ ୨୫୮ ରନ୍‌ରେ ପଞ୍ଚମ ୱିକେଟ୍‌ର ପତନ ଘଟିବା ସଙ୍ଗେ ସଙ୍ଗେ ପ୍ରଥମ ଦିବସର ଷ୍ଟମ୍ପ୍‌ସ ପ୍ରତ୍ୟାହାର କରିନିଆଯାଇଥିଲା।

ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି ୮୭.୩ ଓଭରରେ ୨୫୮/୫ (ଡେଭନ୍‌ କନ୍‌ୱେ-୧୨୨, ୱିଲ୍‌ ୟଙ୍ଗ୍‌-୫୨, ହେନ୍‌ରି ନିକୋଲ୍‌ସ-୩୨*, ରସ୍‌ ଟେଲର-୩୧, ସୋରିଫୁଲ ଇସ୍‌ଲାମ-୨/୫୩, ଏବାଦତ ହୋସେନ-୧/୫୩)।

ସମ୍ବନ୍ଧିତ ଖବର