ନ୍ୟୁଜିଲାଣ୍ଡ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍‌, ପଦାର୍ପଣରେ ଜମେଇଲେ ଜାମିସନ୍: ଭାରତ ୧୨୨/୫

ୱେଲିଂଟନ୍‌: ନ୍ୟୁଜିଲାଣ୍ଡ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ପ୍ରଥମ ଦିବସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ପରେ ବର୍ଷା ବାଧା ସୃଷ୍ଟି କରିଛି। ପ୍ରଥମ ପଦାର୍ପଣକାରୀ କାଇଲ୍‌ ଜାମିସନଙ୍କ ପ୍ରଭାବୀ ବୋଲିଂ ଆଗରେ ଭାରତ ଏକ ପ୍ରକାର ଆତ୍ମସମର୍ପଣ କରିଛି। ପ୍ରଥମ ଦିନ ସମ୍ଭବ ହୋଇଥିବା ଦୁଇ ଅଧିବେଶନରେ ଭାରତ ୫ ୱିକେଟ୍ ବିନିମୟରେ ୧୨୨ ରନ୍ କରିଛି।

ନ୍ୟୁଜିଲାଣ୍ଡ୍‌ ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲା। ପଞ୍ଚମ ଓଭରରେ କିନ୍ତୁ ପୃଥ୍ବୀ ସ’ଙ୍କୁ ଅଭିଜ୍ଞ ଟିମ୍ ସାଉଦି ବୋଲ୍ଡ କରି ଦେଇଥିଲେ। ସ’ ୧୮ ବଲ୍‌ରୁ ମାତ୍ର ୧୬ ରନ୍ କରିଥିଲେ। ଏହାପରେ ଭାରତୀୟ ଦଳର ପ୍ରାଚୀର ଚେତେଶ୍ବର ପୂଜାରା (୧୧)ଙ୍କୁ ପଦାର୍ପଣ ଟେଷ୍ଟ୍ ‌ଖେଳିଥିବା କାଇଲ୍‌ ଜାମିସନ୍‌ କଟ୍‌ ବିହାଇଣ୍ଡ୍ କରାଇ ପ୍ରଥମ ୱିକେଟ୍‌ ଅକ୍ତିଆର କରିଥିଲେ। ଅଧିନାୟକ ବିରାଟ କୋହଲିଙ୍କୁ ବି ଜାମିସନ୍‌ ନିଜର ପରବର୍ତୀ ଓଭରରେ ଆଉଟ୍ କରି ଭାରତକୁ ୪୦/୩ରେ ସଂଘର୍ଷ କରାଇଥିଲେ। ଏହି ସମୟରେ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ମୟଙ୍କ ଅଗ୍ରୱାଲ ଏବଂ ଅଜିଙ୍କ୍ୟ ରାହାଣେ ସାମୟିକ ଭାବେ ଲଢ଼ିଥିଲେ। ମଧ୍ୟାହ୍ନ ଭୋଜନ ବିରତି ବେଳକୁ ଭାରତ ୭୯/୩ରେ ପହଞ୍ଚିଯାଇଥିଲା। ବିରତି ପରେ ଟ୍ରେଣ୍ଟ୍ ବୋଲ୍‌ଟଙ୍କ ବୋଲିଂରେ ମୟଙ୍କ ଅଗ୍ରୱାଲ୍‌ ମିସ୍‌ଟାଇମ୍‌ ହୁକ୍‌ ସଟ୍‌ ଖେଳିବାରୁ ଫାଇନ୍ ଲେଗ୍‌ରେ ଜାମିସନ୍‌ କ୍ୟାଚ୍‌ ନେଇଥିଲେ। ମଝି ଅଧିବେଶନ ପାନୀୟ ବିରତି ପରବର୍ତୀ ପ୍ରଥମ ବଲ୍‌ରେ ଜାମିସନ୍‌ ଅନ୍ୟତମ ଭାରତୀୟ ଟେଷ୍ଟ୍‌ ବିଶେଷଜ୍ଞ ହନୁମା ବିହାରୀଙ୍କୁ ୱିକେଟ୍‌ରକ୍ଷକ ବିଜେ ୱାଟଲିଙ୍ଗ୍‌ଙ୍କ ଗ୍ଲୋଭ୍‌ସ ଜରିଆରେ ପ୍ୟାଭିଲିଅନ୍‌ ରାସ୍ତା ଦେଖାଇଥିଲେ। ଏଥି ସହିତ ଭାରତ ମଧ୍ୟ ୧୦୧ ରନ୍‌ରେ ଏହାର ଅଧା ବ୍ୟାଟସ୍‌ମ୍ୟାନଙ୍କୁ ହରାଇ ଦେଇଥିଲା। ଚା’ପାନ ବିରତି ବେଳକୁ ଭାରତ ୫ ୱିକେଟ୍ ବିନିମୟରେ ୧୨୨ ରନ୍ କରିଥିଲା। ଅଜିଙ୍କ୍ୟ ରାହାଣେ ଏବଂ ୱିକେଟ୍‌ରକ୍ଷକ ଋଷଭ ପନ୍ତ୍‌ ଯଥାକ୍ରମେ ୩୮* ଓ ୧୦* ରନ୍‌ରେ ବ୍ୟାଟିଂ କରୁଥିଲେ। ଚା’ପାନ ବିରତି ପରେ ବର୍ଷା ଆଉ ଖେଳ କରାଇ ଦେଇନଥିଲା। ପଦାର୍ପଣ ଟେଷ୍ଟ୍‌ର ପ୍ରଥମ ଦିନରେ କାଇଲ୍ ଜାମିସନ୍ (୧୪-୨-୩୮-୩) ପ୍ରଶଂସନୀୟ ବୋଲିଂ କରିଥିଲେ। ପତ୍ନୀ ପ୍ରଥମ ସନ୍ତାନ ଜନ୍ମଦେବାରୁ ନିଲ ୱାଗ୍‌ନର ଏହି ଟେଷ୍ଟ୍‌ରୁ ଓହରିଯାଇଥିଲେ। ତାଙ୍କ ବଦଳରେ ହିଁ ଜାମିସନ୍‌ ପଦାର୍ପଣ ସୁଯୋଗ ପାଇଥିଲେ। ୬ ଫୁଟ ୮ ଇଞ୍ଚ ଉଚ୍ଚତା (୨୦୩ ସେଣ୍ଟିମିଟର୍‌) ବିଶିଷ୍ଟ ଏହି ଦ୍ରୁତ‌‌ ବୋଲର ଶାରୀରିକ ଗଠନର ଭରପୁର ଫାଇଦା ମଧ୍ୟ ଉଠାଇଥିଲେ।

ରସ୍‌ ଟେଲରଙ୍କ ଶତକୀୟ କୀର୍ତ୍ତି
ୱେଲିଂଟନ୍‌ ଟେଷ୍ଟ୍‌ରେ ‌ଖେଳିବା ସହିତ ଅଭିଜ୍ଞ ବ୍ୟାଟସମ୍ୟାନ୍‌ ରସ୍ ଟେଲର୍‌ ଏକ ବିଶ୍ବ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ସେ ଏଠାରେ ନିଜର ୧୦୦ତମ ଟେଷ୍ଟ୍ ଖେଳିବା ସହିତ ସମସ୍ତ ଫର୍ମାଟରେ ତିନି ଅଙ୍କ ମ୍ୟାଚ୍‌ ଖେଳିବାରେ ବିଶ୍ବର ପ୍ରଥମ କ୍ରିକେଟର୍‌ ହୋଇଛନ୍ତି। ଟେଷ୍ଟ୍‌ରେ ସେ କିନ୍ତୁ ୧୦୦ ମ୍ୟାଚ୍‌ ଖେଳିବାରେ ଚତୁର୍ଥ ନ୍ୟୁଜିଲାଣ୍ଡ୍‌ ଖେଳାଳି। ଗତ ମାସରେ ଭାରତ ବିପକ୍ଷରେ ୧୦୦ତମ ଟି-୨୦ ମ୍ୟାଚ୍‌ ଖେଳିଥିବା ଟେଲର୍‌ ଦେଶ ପାଇଁ ମଧ୍ୟ ୨୩୧ ଦିନିକିଆ ଅନ୍ତର୍ଜାତୀୟରେ ପ୍ରତିନିଧିତ୍ବ କରିଛନ୍ତି। ୩୫ ବର୍ଷୀୟ ଟେଲର୍‌ ୨୦୦୭ରେ ଟେଷ୍ଟ୍ ଜୀବନ ଆରମ୍ଭ କରିଥିଲେ। ଏହାର ଗୋଟିଏ ବର୍ଷ ପୂର୍ବରୁ କିନ୍ତୁ ସେ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଆସିଥିଲେ। ଉଭୟ ଟେଷ୍ଟ୍ (୭୧୭୪) ଏବଂ ଦିନିକିଆ (୮୫୭୦) ଫର୍ମାଟରେ ମଧ୍ୟ ଟେଲର୍ ଦେଶର ଅଗ୍ରଣୀ ରନ୍‌ ସ୍କୋରର୍‌ ଅଛନ୍ତି।

ସମ୍ବନ୍ଧିତ ଖବର