ପ୍ରଥମ ଟେଷ୍ଟ୍‌: ଫୱାଦଙ୍କ ଶତକ, ପାକିସ୍ତାନ ୩୮୦/୬

ହରାରେ: ଜିମ୍ବା‌ୱେ ଗସ୍ତରେ ଥିବା ପାକିସ୍ତାନ ଦଳ ଟେଷ୍ଟ୍‌ ଶୃଙ୍ଖଳା ଆରମ୍ଭରୁ ଆଧିପତ୍ୟ ବିସ୍ତାର କରିଛି। ଗୁରୁବାରଠୁ ଏଠାରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ୍‌ର ପ୍ରଥମ ଦିବସରେ ବୋଲରଙ୍କ କମାଲ ଯୋଗୁଁ ଘରୋଇ ଦଳର ପ୍ରଥମ ପାଳିକୁ ୧୭୬ ରନ୍‌ରେ ସଫା କରିଦେଇଥିବା ପାକିସ୍ତାନ ଶୁକ୍ରବାର ଦ୍ବିତୀୟ ଦିବସରେ ଦମ୍‌ଦାର ବ୍ୟାଟିଂ କରି ୧୯୮ ରନ୍‌ର ଅଗ୍ରଣୀ ପାଇଯାଇଛି। ଫୱାଦ ଆଲମ୍‌ (୧୦୮*)ଙ୍କ ଅପରାଜିତ ଶତକ ସାଙ୍ଗକୁ ଦୁଇଟି ଶତକୀୟ ଭାଗୀଦାରି ବଳରେ ପାକିସ୍ତାନ ଦ୍ବିତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ୬ ୱିକେଟ୍‌ ବିନିମୟରେ ୩୭୪ ରନ୍‌ କରିଛି।

ପ୍ରଥମ ଦିବସ ସ୍କୋର୍‌ ୧୩୦/୦ରୁ ଶୁକ୍ରବାର ଖେଳିଥିବା ପାକିସ୍ତାନ ପାଇଁ ଦୁଇ ଓପ୍‌ନର ଇମ୍ରାନ ବଟ୍ଟ (୯୧) ଓ ଆବିଦ୍‌ ଅଲ୍ଲୀ (୬୦) ଦୃଢ଼ ମୂଳଦୁଆ ପକାଇଥିଲେ। ଇମ୍ରାନ ମାତ୍ର ୯ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିଲା ବେଳେ ଆବିଦ ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍‌ରେ ୧୧୫ ରନ୍ ଯୋଡ଼ି ବଡ଼ ସ୍କୋର୍‌ର ସମ୍ଭାବନା ଦେଇଥିଲେ। ପରେ ଆଝାର ଅଲ୍ଲୀ ଧୈର୍ଯ୍ୟପୂର୍ଣ୍ଣ ୩୬ ରନ୍‌ କରିଥିଲା ବେଳେ ଅଧିନାୟକ ବାବର ଆଜମ୍‌ (୦) ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। ତାଙ୍କୁ ତିରିପାନୋ ପ୍ରଥମ ଶିକାର କରିବା ପରେ ଆଝାରଙ୍କୁ ବି ଆଉଟ୍‌ କରିଥିଲେ। ହେଲେ ଫୱାଦ୍‌ ଅପରାଜିତ ଶତକ ସହ ପାଳିକୁ ଆଗେଇ ନେଇଥିଲେ।

ସେ ୱିକେଟ୍‌ରକ୍ଷକ ମହମ୍ମଦ ରିଜ୍‌ୱାନ୍‌ (୪୫)ଙ୍କ ସହ ପଞ୍ଚମ ୱିକେଟ୍‌ରେ ୧୦୭ ରନ୍ ଯୋଡ଼ି ମଧ୍ୟକ୍ରମ ବିଫଳତାକୁ ସୁଧାରି ନେଇଥିଲେ। ଫହିମ୍‌ ଅସ୍ରଫ୍ ମଧ୍ୟ ଖାତା ‌‌ଖୋଲି ନପାରି ତିରିପାନୋଙ୍କ ତୃତୀୟ ଶିକାର ହୋଇଥିଲେ। ମାତ୍ର ହାସନ୍‌ ଅଲ୍ଲୀ ଦ୍ରୁତ ରନ୍‌ ସଂଗ୍ରହ କରି (୨୧, ୧୮ ବଲ୍‌, ୧ ଚୌକା, ୨ ଛକା) ଅପରାଜିତ ରହିଥିଲା ବେଳେ ଫୱାଦ (୧୦୮ ରନ୍‌, ୧୫୫ ବଲ୍‌, ୧୬ ଚୌକା) ତାଙ୍କ ସହ ଅବିଭାଜିତ ସପ୍ତମ ୱିକେଟ୍‌ରେ ୪୦ ରନ୍ ଯୋଡ଼ି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଛନ୍ତି। ହାତରେ ୪ ୱକେଟ୍‌ ଥାଇ ପାକିସ୍ତାନ ୧୯୮ ରନ୍‌ର ଅଗ୍ରଣୀ ପାଇସାରିଛି। ଆଉ ୩ ଦିନ ବାକିଥିବାରୁ ଏହି ଟେଷ୍ଟ୍‌ ଏବେ ପାକିସ୍ତାନ ନିୟଂତ୍ରଣରେ ରହିଛି।

ସମ୍ବନ୍ଧିତ ଖବର