ଗଲ୍: ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ୪ ବ୍ୟାଟରଙ୍କ ଶତକ ସହାୟତାରେ ଶ୍ରୀଲଙ୍କା ୬ ୱିକେଟ୍ ବିନିମୟରେ ୫୧୯ ରନ୍ ସଂଗ୍ରହ କରିବା ପରେ ପାଳି ଘୋଷଣା କରିଛି। ତେବେ ଦ୍ବିତୀୟ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ଆୟର୍ଲାଣ୍ଡ ୧୧୭/୭ ସ୍କୋର କରି ଫଲୋଅନ୍ ଦ୍ବାରରେ ପହଞ୍ଚିଛି। ବିପର୍ଯ୍ୟୟର ଭରା ଆୟର୍ଲାଣ୍ଡ ପାଳିରେ କେବଳ ଜେମ୍ସ ମ୍ୟାକଲମ୍ (୩୫), ହାରି ଟେକ୍ଟର (୩୪), ପିଟର ମୁର୍ (୧୪) ଓ ଲୋର୍କାନ ଟକର (୨୧*) ଦୁଇ ଅଙ୍କରେ ପହଞ୍ଚିପାରିଥିଲେ। ଆୟର୍ଲାଣ୍ଡ ବ୍ୟାଟିଂ କ୍ରମ ଭାଙ୍ଗିବାରେ ବଡ଼ ଭୂମିକା ନେଇଥିବା ପ୍ରବଥ ଜୟସୂରିଆ ୧୯ ଓଭର ବୋଲିଂ କରିଥିଲା ବେଳେ ୯ ମେଡେନ୍ ଓ ୪୨ ରନ୍ ବିନିମୟରେ ୫ ୱିକେଟ୍ ଅକ୍ତିଆର କରିଛନ୍ତି।
ବିଶ୍ବ ଫର୍ଣ୍ଣାଣ୍ଡୋ ଅନ୍ୟ ଦୁଇ ୱିକେଟ୍ ଅର୍ଜନ କରିଥିଲେ। ଏଥିପୂର୍ବରୁ ୩୮୬/୪ରୁ ଦ୍ବିତୀୟ ଦିନ ଆରମ୍ଭ କରିଥିବା ଶ୍ରୀଲଙ୍କା ପାଇଁ ଜୟସୂରିଆ ମାତ୍ର ୪ ରନ୍ ଯୋଗକରି ଆଉଟ୍ ହୋଇଥିଲେ। ପରେ ଧନଞ୍ଜୟ ଡି’ସିଲ୍ଭା ମଧ୍ୟ ୧୬ ରନ୍ କରି ଆଉଟ୍ ହେବା ପରେ ଦିନେଶ ଚାନ୍ଦିମାଳ (୧୦୨*, ୧୫୫ ବଲ୍, ୧୨ ଚୌକା)ଙ୍କ ସହ ସଦିରା ସମରବିକ୍ରମା (୧୦୪*, ୧୧୪ ବଲ୍, ୧୧ଚୌକା) ସପ୍ତମ ୱିକେଟ୍ରେ ୧୮୩ ରନ୍ ଯୋଗ କରିଥିଲେ। ଏପରିକି ଉଭୟ ନିଜ ନିଜର ଶତକ ଅର୍ଜନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। ଏହି ପାଳିରେ ମୋଟ୍ ୪ ଜଣ ଶତକ ହାସଲ କରିଥିଲେ। ସଦିରାଙ୍କ ଶତକ ଅର୍ଜନ ପରେ ଅଧିନାୟକ ଦିମୁଖ କରୁଣାରତ୍ନେ ପାଳି ଘୋଷଣା କରିଥିଲେ।