ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଏସୀୟ ଟେବୁଲ ଟେନିସ୍‌ ଦଳଗତ ପ୍ରତିଯୋଗିତା ଆୟୋଜିତ ହୋଇଛି। ଅକ୍ଟୋବର ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଆଥଲେଟିକ୍ସ ସେଣ୍ଟର୍‌ଠାରେ ୨୮ତମ ଆଇଆଇଟିଏଫ୍‌-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ ଟେବୁଲ ଟେନିସ୍‌ ମହାସଂଘ, ଭାରତୀୟ ଟେବୁଲ ଟେନିସ୍‌ ମହାସଂଘ, ଏସିଆନ୍‌ ଟେବୁଲ ଟେନିସ୍‌ ୟୁନିୟନ, ଓଡ଼ିଶା ଟେବୁଲ ଟେନିସ୍‌ ସଂଘ ଏବଂ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ପ୍ରାୟ ୨୨ ଦେଶ ଯଥା ଭାରତ, ଚୀନ, ଜାପାନ, କୋରିଆ ରିପବ୍ଲିକ୍‌, ଡେମୋକ୍ରାଟିକ ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ କୋରିଆ, ତାଇୱାନ, ହଂକଂ, ସିଙ୍ଗାପୁର, ଚାଇନିଜ ମକାଓ, ବାଂଲାଦେଶ, ଇରାନ, କଜାକିସ୍ତାନ, କିର୍ଗିସ୍ତାନ, ମାଲେସିଆ, ମାଳଦ୍ବୀପ, ମଙ୍ଗୋଲିଆ, ନେପାଳ, ଓମାନ, କତାର, ଶ୍ରୀଲଙ୍କା, ଥାଇଲାଣ୍ଡ, ଉଜବେକିସ୍ତାନରୁ ୫୦୦ରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ୍‌, ସପୋର୍ଟ ଷ୍ଟାଫ୍‌  ଅଂଶଗ୍ରହଣ କରିବେ। ଉଭୟ ପୁରୁଷ ଓ ମହିଳା ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦଳଗୁଡ଼ିକ ୨୦୨୬ରେ ଲଣ୍ଡନରେ ହେବାକୁ ଥିବା ଆଇଆଇଟିଏଫ୍‌ ବିଶ୍ବ ଟେବୁଲ ଟେନିସ୍‌ ଟିମ୍ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରି‌ବେ।

Advertisment

ଓଡ଼ିଶା ଟିଟି ଖେଳାଳିଙ୍କୁ ଉତ୍ସାହିତ କରିବ: ସୂର୍ଯ୍ୟବଂଶୀ

ଗୁରୁବାର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏ ସମ୍ପର୍କରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ‘‘ଓଡ଼ିଶାରେ ପ୍ରଥମ ଥର ପାଇଁ ୨୮ତମ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ପ୍ରତିଯୋଗିତାର ଆୟୋଜନ ହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିବା ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତିକୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସୁନିଶ୍ଚିତ କରାଯାଉଛି। ଅନ୍ତର୍ଜାତୀୟ ଟେବୁଲ ଟେନିସ୍ ମହାସଂଘ ଦ୍ୱାରା ସ୍ୱୀକୃତ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା, କ୍ରୀଡ଼ାବିତ୍‌ଙ୍କର ଆତିଥ୍ୟ, ରହଣି ଓ ସୁରକ୍ଷା ବ୍ୟବସ୍ଥା ଆଦିକୁ ସୁନିଶ୍ଚିତ କରାଯିବ। ଏହା ସହିତ ଆସନ୍ତା ଅକ୍ଟୋବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ୪୦ତମ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାର ଆୟୋଜନ କଳିଙ୍ଗ ଷ୍ଟାଡିୟମ୍‌ଠାରେ କରାଯିବ। ଆଇଟିଏଫ୍‌ ମାଷ୍ଟର୍ସ ୧୦୦ ଟେନିସ୍‌ ପ୍ରତିଯୋଗିତାର ଆୟୋଜନ ମଧ୍ୟ ଭୁବନେଶ୍ୱରରେ ଅକ୍ଟୋବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ କରାଯିବ। ଏକା ସମୟରେ ତିନୋଟି ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରାଯିବା ଆମ ସରକାରଙ୍କ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କର ବିକାଶ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ସୂଚୀତ କରୁଛି। ୨୮ତମ ଆଇଆଇଟିଏଫ୍‌-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ପ୍ରତିଯୋଗିତାର ଆୟୋଜନ ଆମ ଦେଶ ଓ ଓଡ଼ିଶାରେ ରହିଥିବା ଟେବୁଲ ଟେନିସ୍‌ ପ୍ରତିଭାଙ୍କୁ ପ୍ରେରିତ କରିବ ବୋଲି ମୁଁ ଆଶା କରୁଛି’’।
କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି। ୨୮ତମ ଆଇଆଇଟିଏଫ୍‌-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ପ୍ରତିଯୋଗିତାର ଆୟୋଜନ ସଫଳତାର ସହ ହେବ ବୋଲି କହିଛନ୍ତି ଭାରତୀୟ ଟେବୁଲ ଟେନିସ୍‌ ମହାସଂଘର ସଭାପତି କମଲେଶ ମେ‌ହେଟା। ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସଂଘ ସମ୍ପାଦକ ରବୀନ୍ଦ୍ର ପରିଡ଼ା, ପ୍ରତିଯୋଗିତା ନିର୍ଦ୍ଦେଶକ ଏନ୍‌ ଗଣେଶନ୍‌, କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଡ଼. ୟେଦୁଲା ବିଜୟ ପ୍ରମୁଖ ଉପସ୍ଥିତ ଥିଲେ।