ପ୍ୟାରିସ୍‌: ଅଲିମ୍ପିକ୍ସ ଇତିହାସରେ ପ୍ରଥମ ଥର ଭାରତୀୟ କଳା, ସଂସ୍କୃତିର ପ୍ରସାର ପାଇଁ ବ୍ୟବସ୍ଥା କରାଯାଇଛି। ପ୍ୟାରିସ୍‌ର ପାର୍କ ଡି’ ଲା ଭିଲେଟ୍‌ରେ ଅବସ୍ଥିତ ଏହି ଘରର ନାମ ହେଉଛି ‘ଇଣ୍ଡିଆ ହାଉସ୍‌’। ‘ଇଣ୍ଡିଆ ହାଉସ୍‌’କୁ ଭାରତୀୟ ଅଲିମ୍ପିକ୍‌ ସଂଘ ଓ ରିଲାଏନ୍ସ ଫାଉଣ୍ଡେସନ୍‌ ମିଳିତ ଭାବେ ନିର୍ମାଣ କରିଛନ୍ତି। ଏହା ଭିତରେ ଭାରତର ଇତିହାସ ସହିତ ବର୍ତ୍ତମାନ କ୍ରୀଡ଼ାବିତ୍‌ଙ୍କ ପ୍ରଦର୍ଶନ ଓ ଭବିଷ୍ୟତ ସଂକ୍ରାନ୍ତରେ ପ୍ରଦର୍ଶନୀ କରାଯାଇଛି। ଏଥିସହିତ ଡିଜିଟାଲ୍‌ ସ୍କ୍ରିନ୍ ଜରିଆରେ ମଧ୍ୟ ସ୍ଲାଇଡ୍‌ ପ୍ରଦର୍ଶନ ହେଉଛି। ଏହା ଭିତରକୁ ପ୍ରବେଶ କରିବା ପାଇଁ ଗୋଟିଏ ସିଟ୍‌ର ମୂଲ୍ୟ ୫ ୟୁରୋ ବା ଭାରତୀୟ ମୂଦ୍ରାରେ ୪୫୬ ଟଙ୍କା ଧାର୍ଯ୍ୟ କରାଯାଇଛି।

Advertisment

ଉଦ୍‌ଘାଟନୀ ଉତ୍ସବ ବ୍ୟତୀତ ପ୍ୟାରିସ୍‌ରେ ଭାରତୀୟ ସଂସ୍କୃତିର ଝଲକ୍‌ ‘ଇଣ୍ଡିଆ ହାଉସ୍‌’ରେ ଦେଖିବାକୁ ମିଳିବ। ଭାରତୀୟ କଳା, ସଂସ୍କୃତି, ପରମ୍ପରା ଓ ସଂଗୀତକୁ ଏଠାରେ ପ୍ରଦର୍ଶନ କରାଯିବ। ନିତା ମୁକେଶ ଅମ୍ବାନି ସାଂସ୍କୃତିକ କେନ୍ଦ୍ର (ଏନ୍‌ଏମ୍‌ଏସିସି) ଆନୁକୂଲ୍ୟରେ ଏହି ‘ଇଣ୍ଡିଆ ହାଉସ୍‌’ ପରିଚାଳିତ ହେ‌ବ। ଏହା ମାଧ୍ୟମରେ ଅଲିମ୍ପିକ୍ସରେ ଭାରତର ଅଂଶଗ୍ରହଣର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି। ଏହାର ଚାରିପଟରେ ୧୪ ଅନ୍ୟ ଆତିଥ୍ୟ ଗୃହ ନିର୍ମାଣ କରାଯାଇଛି। ଯେଉଁଥିରେ ଭାରତ ବ୍ୟତୀତ ନେଦରଲାଣ୍ଡ୍‌ସ, କାନାଡା, ବ୍ରାଜିଲ ଓ ଫ୍ରାନ୍ସର କ୍ରୀଡ଼ାବିତ୍‌ଙ୍କ ପ୍ରଶଂସକ, ପରିବାର ସଦସ୍ୟ, ଅତିରିକ୍ତ କ୍ରୀଡ଼ାବିତ୍‌ମାନେ ରହିପାରିବେ। ପ୍ରତିଯୋଗିତା ବ୍ୟତୀତ ବିଭିନ୍ନ ଉତ୍ସବରେ ସେମାନେ ସାମିଲ ହୋଇପାରିବେ। ‘ଇଣ୍ଡିଆ ହାଉସ୍‌’ରେ ସଂପୂର୍ଣ୍ଣ ଭାବେ ଭାରତୀୟ ଖାଦ୍ୟ ଓ ପାନୀୟକୁ ପ୍ରାଧାନ୍ୟ ଦିଆଯାଇଛି। ଯେଉଁମାନେ ବି ‘ଇଣ୍ଡିଆ ହାଉସ୍‌’ ପରିଦର୍ଶନରେ ଆସିବେ ସେମାନଙ୍କୁ ସ୍ବାଗତ ଓ ମନୋରଂଜନ ପାଇଁ ମାଲଖମ୍ବ, ଯୋଗ ଓ ଭାରତୀୟ ନୃତ୍ୟର ବ୍ୟବସ୍ଥା କରାଯାଇଛି। ପ୍ରତିଷ୍ଠିତ ମଦ ବ୍ରାଣ୍ଡ ରାମପୁର ହ୍ବିସ୍କି, ଜୈସଲମେର ଗିନ୍‌, ମ୍ୟାଜିକ୍‌ ମୁମେଣ୍ଟ୍ସ ଭୋଡ୍‌କା, ରାଡିକୋ ଖଇତାନ୍‌ ପ୍ରମୁଖ ‘ଇଣ୍ଡିଆ ହାଉସ୍‌’ର ଅଫିସିଆଲ୍‌ ପାର୍ଟନର ଭାବେ ରହିଥିବା ଘୋଷଣା କରାଯାଇଛି।

‘ଇଣ୍ଡିଆ ହାଉସ୍‌’ରେ ଭାରତର ପ୍ରତିଷ୍ଠିତ ସଂଗୀତଜ୍ଞଙ୍କ ଦ୍ବାରା କାର୍ଯ୍ୟକ୍ରମ ପରିବେଷଣ କରାଯିବ। ବଲିଉଡ୍‌ କଣ୍ଠଶିଳ୍ପୀ ସାନ୍‌, ରଘୁ ଦୀକ୍ଷିତ, ଭାରତ-ଆମେରିକୀୟ କାପେଲା ଗ୍ରୁପ୍‌ ପେନ୍‌ ମସାଲା, ଲଣ୍ଡନ୍‌ର ସିତାରିଷ୍ଟ ତଥା କମ୍ପୋଜର୍‌ ଟମି ଖୋସଲା, ଲାଟିନ୍‌ ଗ୍ରାମି ପୁରସ୍କାର ପ୍ରାପ୍ତ ଜୱାରି ଗ୍ରେଗୋରିଓ ମର୍ଚ୍ଚାଣ୍ଟ, ଗିତାରିଷ୍ଟ ଟେଲର ଫ୍ରଷ୍ଟ, ସାକ୍ସୋଫୋନିଷ୍ଟ ବିଲି ସୋଫୋକ୍ଲାଇଡ୍‌ସ, ଯୁବ କବୟତ୍ରୀ ଲଗ୍ନଜିତା ମୁଖୋପାଧ୍ୟାୟ ବିଭିନ୍ନ ସମୟରେ ସେମାନଙ୍କ କାର୍ଯ୍ୟକ୍ରମ ପରିବେଷଣ କରିବେ।