୬୦ ବର୍ଷରେ ପ୍ରଥମ: ଇଟାଲି ବିଶ୍ୱକପ୍‌ରୁ ବଞ୍ଚିତ

ବଫନ୍‌ଙ୍କ ଦୁଃଖଦ ବିଦାୟ

ମିଲାନ୍‌, : ବିଶ୍ୱ ଫୁଟ୍‌ବଲ୍‌ର ଶକ୍ତିଶାଳୀ ଦଳ ଇଟାଲି ୨୦୧୮ ମସିହାରେ ରୁଷିଆରେ ଆୟୋଜିତ ଫିଫା ବିଶ୍ୱକପ୍‌ ଖେଳିବାରୁ ବଞ୍ଚିତ ହୋଇଛି। ଏଥି ସହିତ ୪ ଥର ବିଶ୍ୱ ବିଜେତା ଇଟାଲି ଦଳ ୬୦ ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ବିଶ୍ୱକପ୍‌କୁ ଯୋଗ୍ୟତା ହାସଲ କରିପାରିଲାନି। ଶେଷ ଥର ପାଇଁ ୧୯୫୮ ମସିହା ସ୍ୱିଡେନ୍‌ ବିଶ୍ୱକପ୍‌ ଖେଳିବାରୁ ବଞ୍ଚିତ ହୋଇଥିବା ଇଟାଲି ଏହାପରେ ସବୁ ବିଶ୍ୱକପ୍‌ ଖେଳି ଆସିଥିଲା। ଏହା ପୂର୍ବରୁ ୧୯୩୦ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣରୁ ମଧ୍ୟ ଇଟାଲି ବାଦ୍‌ ପଡ଼ିଥିଲା। ଫଳରେ ୨୦୦୬ ବିଶ୍ୱ ବିଜେତା ଇଟାଲିକୁ ତୃତୀୟ ଥର ଲାଗି ବିଶ୍ୱକପ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଦେଖିବାକୁ ମିଳିବନି। ଏହି ଦଳ ଏବେ ଆଗାମୀ ୨୦୧୮ ବିଶ୍ୱକପ୍‌ ଯୋଗ୍ୟତା ପାଇଁ ଖେଳାଯାଉଥିବା ପ୍ଲେଅଫ୍‌ରୁ ହିଁ ବିଦାୟ ନେବାକୁ ବାଧ୍ୟ ହେଲା। ପ୍ରଥମ ଚରଣ ବିଶ୍ୱକପ୍‌ ପ୍ଲେ-ଅଫ୍‌ରେ ସ୍ୱିଡେନ୍‌ ନିକଟରୁ ୦-୧ ଗୋଲ୍‌ରେ ହାରିଯାଇ ଯୋଗ୍ୟତା ସଂକଟରେ ପଡ଼ିଯାଇଥିବା ଇଟାଲି ସୋମବାର ସାନ୍‌ ସିରୋଠାରେ ଦ୍ୱିତୀୟ ଚରଣ ମୁକାବିଲାକୁ ସ୍ୱିଡେନ୍‌ ସହ ଗୋଲ୍‌ ଶୂନ୍ୟ ଭାବେ ଅମୀମାଂସିତ ରଖିବା ପରେ ୨୦୧୮ ବିଶ୍ୱକପ୍‌ରୁ ବଞ୍ଚିତ ହୋଇଛି।
ପ୍ରାୟ ୭୪,୦୦୦ ପ୍ରଶଂସକଙ୍କ ଉପସ୍ଥିତିରେ ସୋମବାର ମୁକାବିଲାରେ ଘରୋଇ ଇଟାଲି ଗୋଟିଏ ବି ଗୋଲ୍‌ କରିବାକୁ ସମର୍ଥ ହୋଇନଥିଲା। ଫଳରେ ଦଳ କେବଳ ବିଶ୍ୱକପ୍‌ରୁ ବଞ୍ଚିତ ହେଲାନି, ଏହାର ଗୋଲ୍‌ରକ୍ଷକ ଜିଆନ୍‌ଲୁଗି ବଫନ୍‌ଙ୍କ ପାଇଁ ଦୁଃଖଦ ବିଦାୟ ଥିଲା। ୨୦୧୮ ରୁଷିଆ ବିଶ୍ୱକପ୍‌ ତାଙ୍କ ଆନ୍ତର୍ଜାତିକ ଖେଳ ଜୀବନର ଅନ୍ତିମ ହେବ ବୋଲି ବଫନ୍‌ ଏହା ପୂର୍ବରୁ ଘୋଷଣା କରିସାରିଥିଲେ। ଯଦି ୨୦୧୮ ବିଶ୍ୱକପ୍‌କୁ ଇଟାଲି ଯୋଗ୍ୟତା ହାସଲ କରିଥାନ୍ତା, ତେବେ ବଫନ୍‌ ନିଜ ଜୀବନରେ ଷଷ୍ଠ ଥର ପାଇଁ ବିଶ୍ୱକପ୍‌ ଖେଳି କୀର୍ତିମାନର ଅଧିକାରୀ ହୋଇଥାନ୍ତେ। ହେଲେ ଦଳ ବଫନ୍‌ଙ୍କୁ ଏଭଳି ଉପହାର ଭେଟି ଦେବାରେ ବିଫଳ ହେଲା। ଏଥି ସହିତ ୩୯ ବର୍ଷ ବୟସ୍କ ବଫନ୍‌ ଯୁଗର ଅବସାନ ମଧ୍ୟ ଘଟିଲା।

ବଫନ୍‌ ଇଟାଲି ଦଳ ପକ୍ଷରୁ ୧୭୫ ମ୍ୟାଚ୍‌ ଖେଳିବାର ଗୌରବ ନିଜ ନାମରେ ରଖିଥିଲେ। ହେଲେ ବିଦାୟ ଏଭଳି ଦୁଃଖଦ ହେବ ବୋଲି ଜଣିନଥିବା ସେ ପ୍ରତିକ୍ରିୟା ରଖିଛନ୍ତି। ବିଦାୟ ବେଳାରେ ଇଟାଲି ବିଶ୍ୱ କପ୍‌ରୁ ବଞ୍ଚିତ ହେବା ମୋତେ ଖୁବ୍‌ ବାଧିଲା ବୋଲି ବଫନ୍‌ କହିଛନ୍ତି। ସ୍ୱିଡେନ୍‌ ସହ ମ୍ୟାଚ୍‌ ଗୋଲ୍‌ ଶୂନ୍ୟ ଭାବେ ଶେଷ ହେବା ମାତ୍ରେ ବିଶ୍ୱକପ୍‌ରୁ ବଞ୍ଚିତ ଦୁଃଖରେ ବଫନ୍‌ ଆଖିରେ ଲୁହ ଭରି ଯାଇଥିଲା। ପଡ଼ିଆ ଭିତରେ ସେ କାନ୍ଦି ପକାଇଥିଲେ। ସେ ମଧ୍ୟ ଦଳ ବିଶ୍ୱକପ୍‌ ଯୋଗ୍ୟତା ହାସଲରୁ ବଞ୍ଚିତ ହୋଇଥିବାରୁ ଇଟାଲି ଜନସାଧାରଣଙ୍କ ନିକଟରେ ଦୁଃଖ ପ୍ରକାଶ କରିଥିଲେ।
ଅନ୍ୟପକ୍ଷରେ ଷ୍ଟକ୍‌ହୋମ୍‌ରେ ପ୍ରଥମ ଚରଣରେ ଇଟାଲି ବିପକ୍ଷରେ ଜାକୋବ୍‌ ଜୋହାନ୍‌ସନ୍‌ଙ୍କ ଏକମାତ୍ର ଗୋଲ୍‌ ସ୍ୱିଡେନ୍‌କୁ ବିଶ୍ୱକପ୍‌ ଯୋଗ୍ୟତା ଭେଟି ଦେଇଛି। ଫଳରେ ୨୦୦୬ ପରେ ପ୍ରଥମ ଥର ଲାଗି ସ୍ୱିଡେନ୍‌ ମଧ୍ୟ ବିଶ୍ୱକପ୍‌ ଯୋଗ୍ୟତା ହାସଲ କରିନେଲା। ଏହି ଖୁସିରେ ଅଧିକ ଆତ୍ମହରା ଓ ଭାବପ୍ରବଣ ହୋଇପଡ଼ିଥିଲେ ସ୍ୱିଡେନ୍‌ ପ୍ରଶିକ୍ଷକ ଜାନେ ଆଣ୍ଡରସନ୍‌। ୨୦୦୬ ୟୁରୋ ପରେ ତାରକା ଖେଳାଳି ଇବ୍ରାହିମୋଭିକ୍‌ଙ୍କ ଅବସର ଆମ ପାଇଁ ଶକ୍ତ ଝଟ୍‌କା ଥିଲା। ଫଳସ୍ୱରୂପ ସ୍ୱିଡେନ୍‌ ମଧ୍ୟ ଗତ ଦୁଇ ସଂସ୍କରଣ ଧରି ବିଶ୍ୱକପ୍‌ ଯୋଗ୍ୟତାରୁ ବଞ୍ଚିତ ହୋଇଥିଲା। ହେଲେ ପ୍ରାୟ ୧୧ ବର୍ଷ ପରେ ବିଶ୍ୱକପ୍‌ ଖେଳିବାକୁ ଯାଉଥିବାରୁ ଖୁବ୍‌ ଆନନ୍ଦିତ ବୋଲି ଆଣ୍ଡରସନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର