ଭୁବନେଶ୍ବର: ଆଇପିଏଲ୍‌ ଇତିହାସରେ ପ୍ରଥମ ଯାଆଁଳା ଭାଇ ଭାବେ ଖେଳି ନୂଆ ଫର୍ଦ ଯୋଡ଼ି ସାରିଥିବା ଦକ୍ଷିଣ ଆଫ୍ରିକୀୟ ଖେଳାଳି ମାର୍କୋ ଜାନସେନ୍‌ ଓ ଡୁଆନ୍ ଜାନସେନ୍‌ ଏବେ ଚର୍ଚ୍ଚାରେ। ମାତ୍ର ୧୫ ମିନିଟ୍ ବ୍ୟବଧାନରେ ଜନ୍ମିତ ୨୨ ବର୍ଷୀୟ ଯାଆଁଳା ଭାଇ ଦୁଇଟି ଅଲଗା ଅଲଗା ଆଇପିଏଲ୍‌ ଫ୍ରାଞ୍ଚାଇଜ୍ ପକ୍ଷରୁ ଖେଳୁଛନ୍ତି। ବଡ଼ ଭାଇ ମାର୍କୋ ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ବେଳେ ଡୁଆନ୍‌ ଗତ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କେକେଆର୍‌ ପଦାର୍ପଣ କରିଥିଲେ। ଉଭୟ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ମଙ୍ଗଳବାର ମୁହାଁମୁହିଁ ହେବା ପୂର୍ବରୁ ଦୁଇ ଭାଇ ପରସ୍ପର ବିରୋଧରେ ଖେଳିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ଡୁଆନଙ୍କୁ କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ମଙ୍ଗଳବାର ଚୂଡାନ୍ତ ଏକାଦଶରେ ସ୍ଥାନ ଦେଇନଥିଲା। ଗତ ମ୍ୟାଚ୍‌ରେ ଅସୁସ୍ଥ ଥିବା ଜାସନ୍ ବେହେରନଡର୍ଫ ତାଙ୍କ ବଦଳ ବିଦେଶୀ ‌ଖେଳାଳି ଭାବେ ଫେରିଥିଲେ।

Advertisment

ମାର୍କୋ ଜାନସେନ୍‌ ଓ ଡୁଆନ ଜାନସେନ୍‌ ପ୍ରଥମ ଆଇପିଏଲ୍‌ ଯାଆଁଳା ଭାଇ ‌ଗୌରବ ପାଇବା ପରେ ଏବେ ସେମାନଙ୍କ ଉପରେ ସମସ୍ତଙ୍କ ନଜର ପଡ଼ିଛି। ଦ୍ରୁତ ବୋଲିଂ ଅଲରାଉଣ୍ଡର ମାର୍କୋ ପୂର୍ବରୁ ଦକ୍ଷିଣ ଆଫ୍ରିକା ପାଇଁ ୧୧ ଟେଷ୍ଟ, ୯ ଦିନିକିଆ ଓ ୨ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିସାରିଛନ୍ତି। ଡୁଆନ୍ କିନ୍ତୁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ସୀମିତ ରହି ଆଇପିଏଲ୍‌ ଖେଳିବାକୁ ଭାରତ ଆସିଛନ୍ତି। ମାର୍କୋଙ୍କ ଭଳି ଛାପ ଛାଡ଼ିବାକୁ ଡୁଆନ୍ ଆଗ୍ରହୀ ଅଛନ୍ତି। ‘ମାର୍କୋ ଓ ମୁଁ କେବେ ପରସ୍ପର ବିରୋଧରେ ଖେଳିନାହୁଁ। ସମସ୍ତେ ମୋ ଭାଇକୁ ଜାଣିଛନ୍ତି। ଆମେ ଗୋଟିଏ ଖେଳ ଖେଳୁଥିଲେ ବି ମୁଁ ଜଣେ ଭିନ୍ନ ମଣିଷ। ମୁଁ ଏବେ ନିଜକୁ ପ୍ରଦର୍ଶିତ କରିବାକୁ ଚାହେଁ ଏବଂ ମୁଁ କିଏ ବୋଲି ଦେଖାଇଦେବାକୁ ଚାହେଁ’ ବୋଲି ଡୁଆନ୍ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଏହ‌ି ଦୁଇ ଲମ୍ବା ଚେହେରାର ଯାଆଁଳା ଭାଇ ଏକ କ୍ରୀଡ଼ା ପରିବାରରୁ ଆସିଛନ୍ତି। ସେମାନଙ୍କ ପିତା କୁସ୍ ଜାନସେନ୍‌ ରଗବି ଦଳ ଫ୍ରି ଷ୍ଟେଟ୍‌ ଚିତା ପାଇଁ ଖେଳୁଥିଲେ। ସ୍କୁଲ୍‌ ଜୀବନରେ ସେ କ୍ରିକେଟ୍ ମଧ୍ୟ ଖେଳିଥିଲେ। ପିଲାଦିନରୁ ମାର୍କୋ ଓ ଡୁଆନଙ୍କ ସାଂଘାତିକ ପେସ୍‌ ବୋଲିଂ ସେମାନଙ୍କୁ ଚର୍ଚ୍ଚାରେ ରଖୁଥିଲା। ୨୦୧୮ ମସିହାରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିବା ବେଳେ ଉଭୟ ନେଟ୍ ବୋଲର ଥିଲେ। ବିରାଟ କୋହଲିଙ୍କୁ ଉଭୟ ପ୍ରଭାବିତ କରିବା ପରେ ସେ ଦିନେ ମାର୍କୋଙ୍କୁ ସ୍ବତନ୍ତ୍ର ଭାବେ ଡାକି ୨ ଘଣ୍ଟା ନେଟ୍‌ ପ୍ରାକ୍ଟିସ୍ କରିଥିଲେ। ୨୦୨୧ ମସିହାଠାରୁ ମାର୍କୋ ଦକ୍ଷିଣ ଆଫ୍ରିକା ଦଳର ନିୟମିତ ସଦସ୍ୟ ପାଲଟିଯାଇଛନ୍ତି। ଚଳିତ ବର୍ଷ ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ରେ ଚମତ୍କାର ପ୍ରଦର୍ଶନ କରିବା ପରେ ଡୁଆନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଲକ୍ଷ ଟଙ୍କାରେ କିଣିଥିଲା। ମାର୍କୋଙ୍କୁ କିନ୍ତୁ ସନରାଇଜର୍ସ ହାଇଦ୍ରାବାଦ ୪.୨୦ କୋଟିରେ କିଣିଛି। ହେଲେ ୨୦୨୧ରେ ମାର୍କୋ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପଦାର୍ପଣ କରିଥିଲେ। ଏଥି ସହ ଉଭୟ ଯାଆଁଳା ଭାଇ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ୍‌ ପଦାର୍ପଣ କରିବାର ଗୌରବ ମଧ୍ୟ ପାଇଛନ୍ତି।