ବ୍ୟାଙ୍କକ୍ : ବିଶ୍ବ ବ୍ୟାଡ୍ମିଣ୍ଟନ୍ର ଅନ୍ୟତମ ମର୍ଯ୍ୟାଦାଜନକ ପ୍ରତିଯୋଗିତା ଥମାସ୍ କପ୍ ପୁରୁଷ ବର୍ଗ ପ୍ରତିଯୋଗିତାରେ ଭାରତ ଇତିହାସ ରଚିଛି। ପ୍ରଥମ ଥର ପାଇଁ ଫାଇନାଲ୍କୁ ଉଠିଥିବା ଭାରତୀୟ ଦଳ ବିଜେତା ଟ୍ରଫି ସହ ସ୍ବର୍ଣ୍ଣିମ ସଫଳତା ଅର୍ଜନ କରିଛି। ଫାଇନାଲ୍ରେ ଗତ ଥରର ଚାମ୍ପିଅନ୍ ତଥା ୧୪ ଥର ଟ୍ରଫି ବିଜେତା ଇଣ୍ଡୋନେସିଆକୁ ଭାରତୀୟ ଦଳ ସିଧାସଳଖ ୩-୦ରେ ପରାସ୍ତ କରି ନୂଆ ଶିଖର ଛୁଇଁଛି। ଏହି ବିରଳ ସଫଳତା ଲାଗି ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ମନ୍ତ୍ରୀ ଓ କ୍ରୀଡ଼ାବିତ ଅଭିନନ୍ଦନ ଜଣାଇଛନ୍ତି। ଏହାସହିତ ଭାରତୀୟ ଦଳ ଲାଗି ସ୍ବତନ୍ତ୍ର ରୂପେ ଏକ କୋଟି ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି।
ଦୀର୍ଘ ୪୩ ବର୍ଷ ପରେ ସେମିଫାଇନାଲ୍ ଖେଳିଥିବା ଭାରତୀୟ ଦଳ ଫାଇନାଲ୍କୁ ଉଠି ନୂଆ ଫର୍ଦ ଯୋଡ଼ିଥିଲା। ରବିବାର ଦିନ ଅନୁଷ୍ଠିତ ଫାଇନାଲରେ ଲକ୍ଷ୍ୟ ସେନ୍, କିଦାମ୍ବି ଶ୍ରୀକାନ୍ତଙ୍କ ସହ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କି ରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଚମକପ୍ରଦ ବିଜୟ ହିଁ ଭାରତକୁ ଏହି ଅପ୍ରତ୍ୟାଶିତ ବିଜୟ ଦେଇଛି। ଭାରତୀୟ କ୍ରୀଡ଼ାପ୍ରେମୀମାନେ ଏହି ବିଜୟକୁ ୧୯୮୩ କ୍ରିକେଟ୍ ବିଶ୍ବକପ୍ ବିଜୟ, ୨୦୦୮ ବେଜିଂ ଅଲିମ୍ପିକ୍ସରେ ଅଭିନବ ବିନ୍ଦ୍ରାଙ୍କ ସ୍ବର୍ଣ୍ଣ ପଦକ ଏବଂ ୨୦୨୦ ଟୋକିଓ ଅଲିମ୍ପିକ୍ସର ନୀରଜ ଚୋପ୍ରାଙ୍କ ସ୍ବର୍ଣ୍ଣିମ ଜାଭଲିନ୍ ସଫଳତା ସହ ତୁଳନା କରିଛନ୍ତି। ଥମାସ କପ୍ର ୭୩ ବର୍ଷ ଇତିହାସରେ ଭାରତ ମାତ୍ର ଷଷ୍ଠ ଦେଶ ଭାବେ ବିଜେତା ହୋଇଛି।
ଭାରତୀୟ ମହିଳା ଦଳ ଉବେର କପ୍ରେ ନିରାଶ କରିବା ପରେ ପୁରୁଷ ଦଳ କିନ୍ତୁ ରବିବାର ସୁବର୍ଣ୍ଣ ଅଧ୍ୟାୟରେ ପରିଣତ କରିଥିଲେ। ଫାଇନାଲ୍ ମ୍ୟାଚ୍ର ପ୍ରଥମ ଏକକରେ ବିଶ୍ବର ୯ ନମ୍ବର ଭାରତୀୟ ଖେଳାଳି ଲକ୍ଷ୍ୟ ସେନ୍ ପ୍ରଥମ ଗେମ୍ ହାରିଯାଇଥିଲେ ମଧ୍ୟ ଚମତ୍କାର ପ୍ରତ୍ୟାବର୍ତନ କରି ୮-୨୧, ୨୧-୧୭, ୨୧-୧୬ରେ ବିଶ୍ବର ୫ ନମ୍ବର ଆଣ୍ଟୋନି ଜିନଟିଙ୍ଗଙ୍କୁ ପରାସ୍ତ କରିଥିଲେ। ଲକ୍ଷ୍ୟ ନିଜକୁ ଲକ୍ଷ୍ୟଚ୍ୟୁତ ନକରି ଦକ୍ଷତା ଓ ଆଚରଣର ଶାଣିତ ପ୍ରଦର୍ଶନ କରି ବିଜୟ ଛଡ଼ାଇ ଆଣିଥିଲେ। ଏହା ପରେ ଭାରତର ଶ୍ରେଷ୍ଠ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କି ରେଡ୍ଡୀ ଓ ଚିରାଗ ସେଟ୍ଟୀ ମଧ୍ୟ ସମାନ ଢଙ୍ଗରେ ପ୍ରଥମ ଗେମ୍ ହାରିଥିଲେ ମଧ୍ୟ ସେଟ୍କୁ ୨-୧ରେ ଜିତି ନେଇଥିଲେ। ମହମ୍ମଦ ଏହସାନ-କେଭିନ୍ ସଞ୍ଜୟଙ୍କୁ ଏହି ଅଭିଜ୍ଞ ଭାରତୀୟ ଯୋଡ଼ି ୧୮-୨୧, ୨୩-୨୧, ୨୧-୧୯ରେ କଡ଼ା ସଂଘର୍ଷ କରି ହରାଇଥିଲେ। ଦ୍ବିତୀୟ ଏକକରେ କିଦାମ୍ବି ଶ୍ରୀକାନ୍ତ ୪୮ ମିନିଟ୍ ଲଢ଼େଇ କରି ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଯୋନାଥନ କ୍ରିଷ୍ଟିଙ୍କୁ ୨୧-୧୫, ୨୩-୨୧ରେ ପରାସ୍ତ କରି ବ୍ୟାଙ୍କକ୍ ବ୍ୟାଡମିଣ୍ଟନ୍ କୋର୍ଟରେ ଭାରତୀୟ ଦଳକୁ ନାଚି ଉଠିବାର ସୁବର୍ଣ୍ଣ ସୁଯୋଗ ଦେଇଥିଲେ। ପ୍ରଥମ ଗେମ୍ ହାରିବାରୁ ରବିବାର ଅଭିଯାନ ଆରମ୍ଭ କରିଥିବା ଲକ୍ଷ୍ୟ ସେନ୍ ବିଜୟ ପରେ ନିଜକୁ ବିଶ୍ବାସ କରିପାରିନଥିଲେ। ଏହି ଐତିହାସିକ ମୁହୂର୍ତ ଆସିଯିବା ପରେ ରବିବାର ଅପରାହ୍ନଠାରୁ ଭାରତୀୟ କ୍ରୀଡ଼ାପ୍ରେମୀମାନେ ଆନନ୍ଦରେ ମସଗୁଲ ହୋଇଯାଇଛନ୍ତି।
ଥମାସ କପ୍ରେ ଇଣ୍ଡୋନେସିଆ ସବୁଠାରୁ ଶକ୍ତିଶାଳୀ ଦଳ ହୋଇଥିବା ବେଳେ ନକ୍ ଆଉଟ୍ ପର୍ଯ୍ୟାୟରେ ଚୀନ ଓ ଜାପାନକୁ ମାତ ଦେଇ ଫାଇନାଲ୍ ଆସିଥିଲା। ସେହିଭଳି ଆତ୍ମବିଶ୍ବାସରେ ଥିବା ଭାରତୀୟ ଦଳ ମାଲେସିଆ ଓ ଡେନମାର୍କକୁ ପରାସ୍ତ କରି ପ୍ରଥମ ଥର ଫାଇନାଲ୍କୁ ଉଠିଥିଲା। ଭାରତ ଲିଗ୍ ପର୍ଯ୍ୟାୟରେ ଏକମାତ୍ର ପରାଜୟ ଚାଇନିଜ୍ ତାଇପେଠାରୁ ବରଣ କରିଥିଲା।
ଏକ କୋଟି ଟଙ୍କାର ପୁରସ୍କାର ଘୋଷଣା
ନୂଆଦିଲ୍ଲୀ, : ଭାରତୀୟ ବ୍ୟାଡ୍ମିଣ୍ଟନ୍ ଦଳର ଐତିହାସିକ ସଫଳତା ପରେ ଏବେ ଦେଶସାରା ବିଜୟ ଉତ୍ସବ ଏବଂ ଅଭିନନ୍ଦନର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, ଅଲିମ୍ପିକ୍ସରେ ଦେଶର ପ୍ରଥମ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା, କିବଂଦନ୍ତି କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ନେତୃତ୍ବରେ ଅଭିନନ୍ଦନ ଧାରା ଲାଗି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଟ୍ବିଟ୍ରେ ଲେଖିଛନ୍ତି, ‘ଭାରତୀୟ ବ୍ୟାଡମିଣ୍ଟନ୍ ଦଳ ନୂଆ ଇତିହାସ ସୃଷ୍ଟି କଲା। ସମଗ୍ର ଦେଶ ଏବେ ଥମାସ୍ କପ୍ ବିଜୟରେ ଉଲ୍ଲସିତ, ଅଭିନନ୍ଦନ ସମସ୍ତଙ୍କୁ’। କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ୧ କୋଟି ଟଙ୍କାର ଆର୍ଥିକ ପୁରସ୍କାର ରାଶି ଘୋଷଣା କରିବା ସହ ଲେଖିଛନ୍ତି ଯେ ଅସାଧାରଣ ସଫଳତା ପାଇଁ ଅଭିନନ୍ଦନ। ମାଲେସିଆ, ଡେନମାର୍କ, ଇଣ୍ଡୋନେସିଆ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଲଗାତାର ବିଜୟ ସହ ଥମାସ୍ କପ୍ ହାସଲ ଭାରତ ପାଇଁ ଏକ ବଡ଼ ସମ୍ମାନ। ଅଲିମ୍ପିକ୍ସ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ବିଜେତା ପ୍ରଥମ ଭାରତୀୟ ଅଭିନବ ବିନ୍ଦ୍ରା କହିଛନ୍ତି, ‘ଅପୂର୍ବ ଐତିହାସିକ ମୁହୂର୍ତ। ଟିମ୍ ଇଣ୍ଡିଆର ଏହା ଏକ ଉଲ୍ଲେଖନୀୟ କୃତିତ୍ବ। ଏକାଧିକ ଥର ପଛରେ ପଡ଼ି ପ୍ରତ୍ୟାବର୍ତନ କରି ସ୍ବର୍ଣ୍ଣ ବିଜୟ ନିଶ୍ଚିତ ବଡ଼ ଉପଲବ୍ଧି। ଖେଳାଳି, ପ୍ରଶିକ୍ଷକ ଆମଣମାନେ ସବୁ ଚାମ୍ପିଅନ୍’। ବିଶ୍ବର ପୂର୍ବତନ ଏକ ନମ୍ବର ମହିଳା ଖେଳାଳି ତଥା ପ୍ରଥମ ବ୍ୟାଡମିଣ୍ଟନ୍ ଅଲିମ୍ପିକ୍ ପଦକ ବିଜୟିନୀ ସାଇନା ନେହ୍ବାଲ ମଧ୍ୟ ଏହି ସଫଳତାକୁ ଭୂୟଶୀ ପ୍ରଶଂସା କରିଛନ୍ତି। ଏହାକୁ ଏକ ମହାନ ବିଜୟ ସହ ତୁଳନା କରି ସେ ଲକ୍ଷ୍ୟ ସେନ୍, କିଦାମ୍ବି ଶ୍ରୀକାନ୍ତ ଏବଂ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କୀ ରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କୁ ଟ୍ୟାଗ୍ କରିଛନ୍ତି। ଭାରତୀୟ କ୍ରୀଡ଼ା ପାଇଁ ଏହା ଏକ ମାହନୀୟ ମୁହୂର୍ତ ବୋଲି ଦର୍ଶାଇ ଅଭିନନ୍ଦନ ଜଣାଇଥିଲେ ଜାତୀୟ ହକି ଦଳର ପୂର୍ବତନ ଅଧିନାୟକ ବୀରେନ ରସକିନା। ଆମେ ୨୦୦୪ରେ ଏଥେନ୍ସ ଅଲିମ୍ପିକ୍ସରେ ଖେଳୁଥିବା ବେଳେ ଭାରତର ଏକ ନମ୍ବର ବ୍ୟାଡମିଣ୍ଟନ୍ ଖେଳାଳି ଭାଗ ନେଉଥିଲେ ଏବଂ ପ୍ରଥମରୁ ହାରି ବିଦାୟ ନେଉଥିଲେ। ଏବେ ଅଭୂତପୂର୍ବ ପରିବର୍ତନ ପାଇଁ ନିଶ୍ଚିତ ଭାରତୀୟ ବ୍ୟାଡ୍ମିଣ୍ଟନ୍ ଆଗକୁ ଯିବ ବୋଲି ରସ୍କିନା ପ୍ରକାଶ କରିଥିଲେ।