ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ପ୍ରଥମ ଲଢ଼େଇ

ବିଶ୍ବକପ୍‌ରେ ମ୍ୟାଚ୍: ୬ ଇଂଲଣ୍ଡ: ୩ ଦକ୍ଷିଣ ଆଫ୍ରିକା: ୩

ଲଣ୍ଡନ: ବିଶ୍ବକପର ପ୍ରଥମ ଲଢ଼େଇରେ କ୍ରିକେଟ୍‌ର ସ୍ରଷ୍ଟା ତଥା ଆୟୋଜକ ଇଂଲଣ୍ଡ ବଡ଼ ପ୍ରତିଯୋଗିତାରେ ବିଫଳତା ପାଇଁ ‘ଚୋକର’ ଉପାଧୀ ପାଇଥିବା ଦକ୍ଷିଣ ଆଫ୍ରିକାକୁ ଭେଟିବ। ଉଭୟ ଦଳ କେବେ ବି ବିଶ୍ବକପ୍ ଜିତି ପାରି ନଥିବାରୁ ପ୍ରଥମ ମୁକାବିଲାରୁ ହିଁ କମାଲ କରିବା ଆଶାରେ ରହିଛନ୍ତି। ଏହି ବହୁ ପ୍ରତୀକ୍ଷିତ ଲଢ଼େଇ ଲଣ୍ଡନର କିଆ ଓଭାଲଠାରେ ଖେଳାଯିବ। ମ୍ୟାଚ୍ ସ୍ଥାନୀୟ ସମୟ ଦିନ ସାଢ଼େ ୧୦ଟା ଏବଂ ଭାରତୀୟ ସମୟ ଅପରାହ୍ନ ୩ଟାରୁ ଆରମ୍ଭ ହେବ।

ସନ୍ତୁଳିତ ଦଳ ସହ ଆୟୋଜକ ହୋଇଥିବାରୁ ଇଂଲଣ୍ଡକୁ ଚଳିତ ବିଶ୍ବକପର ପ୍ରମୁଖ ଦାବିଦାର କୁହାଯାଉଛି। ଦକ୍ଷିଣ ଆଫ୍ରିକା ବି କିଛି କମ୍ ନୁହେଁ। ବିଶ୍ବକପ୍ ପ୍ରଦର୍ଶନ ଦୃଷ୍ଟିରୁ ଏହି ଦଳ ଇଂଲଣ୍ଡଠାରୁ ଆଗୁଆ ରହିଛି। ଇଂଲଣ୍ଡ ଅବଶ୍ୟ ଅଧିକ ଥର ଫାଇନାଲ୍ ‌ଖେଳିଛି। ଦକ୍ଷିଣ ଆଫ୍ରିକା ଏହି ପର୍ଯ୍ୟାୟକୁ ଥରେ ହେଲେ ବି ଯାଇନାହିଁ। ଉଭୟ ଦଳ କିନ୍ତୁ ବିଶ୍ବକପ୍ ତୋଳି ଧରିବାର ସୌଭାଗ୍ୟ ଲାଭ କରି ନାହାନ୍ତି। ତଥାପି ବିଶ୍ବ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଇଂଲଣ୍ଡକୁ ହରାଇବା ଦକ୍ଷିଣ ଆଫ୍ରିକା  ପାଇଁ କାଠିକର ପାଠ ହେବ। ଇଂଲଣ୍ଡ ବ୍ୟାଟିଂକ୍ରମରେ ରହିଛନ୍ତି ଅନେକ ତାରକା ଖେଳାଳି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜାସନ ରଏ, ଜନି ବେୟାରଷ୍ଟୋଙ୍କଠାରୁ ଆରମ୍ଭ କରି ଅଧିନାୟକ ଇଅନ ମୋର୍ଗାନ, ଜୋ ରୁଟ୍, ଜୋସ୍ ବଟଲରଙ୍କ ପର୍ଯ୍ୟନ୍ତ ସମସ୍ତେ ଭଲ ଫର୍ମରେ ରହିଛନ୍ତି। ଯୁବ ଅଲରାଉଣ୍ଡର ଜୋଫ୍ରା ଆର୍ଚର ନିଜ ପ୍ରଥମ ବିଶ୍ବକପ୍ ‌ଖେଳିବେ। ଆଇପିଏଲରେ ନିଜ ଯାଦୁ ଦେଖାଇ ସାରିଥିବା ଆର୍ଚରଙ୍କ ଉପରେ ଅଧିକାଂଶ କ୍ରିକେଟ୍ ବିଶେଷଜ୍ଞଙ୍କ ନଜର ରହିବ। ଅଭିଜ୍ଞ ହାସିମ ଆମଲା ଓ  ଅଧିନାୟକ ଫାଫ୍ ଡୁ ପ୍ଲେସିସଙ୍କ ସହ  ୨୪ ବର୍ଷୀୟ ଦ୍ରୁତ ବୋଲର କାଗିସୋ ରବାଦାଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକା ପାଖରେ ଏକ ଶୃଙ୍ଖଳିତ ବୋଲିଂ ବାହିନୀ ରହିଛି। ଡେଲ ଷ୍ଟେନଙ୍କ ଅନୁପସ୍ଥିତି ଅବଶ୍ୟ ଏହି ଦଳକୁ କିଛିଟା ବାଧିବ। ସ୍ପିନର ଇମ୍ରାନ ତାହିରଙ୍କ ନିଆରା ୱିକେଟ୍ ଉତ୍ସବ ପାଳନ କିନ୍ତୁ ଦର୍ଶକଙ୍କ ମନ ‌ମୋହିବ। ଲଣ୍ଡନ ପାଗ ଗୁରୁବାର ମୁଖ୍ୟତଃ ଶୁଖିଲା ରହିବ। ବର୍ଷା ହେବାର ଆଶଙ୍କା ନ ରହିବା ମଧ୍ୟ ଏକ ଭଲ ଖବର। ପଟା ପିଚ୍ ପାଇଁ ପ୍ରଥମ ବଲ୍‌ରୁ ହିଁ ରନ୍ ବର୍ଷାର ଆଶା କ୍ରିକେଟ୍ ପ୍ରେମୀ ରଖି ପାରିବେ।

ମୁହାଁମୁହିଁ
ମୋଟ ମ୍ୟାଚ୍: ୫୯
ଇଂଲଣ୍ଡ ବିଜୟୀ: ୨୬
ଦକ୍ଷିଣ ଆଫ୍ରିକା ବିଜୟୀ: ୨୯
ଟାଇ: ୧
ଫଳାଫଳ ମିଳିନି: ୩
ବିଶ୍ବକପ୍‌ରେ ଇଂଲଣ୍ଡ
ପଦାର୍ପଣ: ୧୧
ମ୍ୟାଚ୍: ୭୩
ବିଜୟ: ୪୧
ଟାଇ: ୧
ଫଳାଫଳ ମିଳିନି: ୧
ପରାଜୟ: ୩୧
ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା
ପଦାର୍ପଣ: ୭
ମ୍ୟାଚ୍: ୫୫
ବିଜୟ: ୩୫
ଟାଇ: ୨
ଫଳାଫଳ ମିଳିନି: ୦୦
ପରାଜୟ: ୧୮

ସମ୍ବନ୍ଧିତ ଖବର