ଅଗ୍ରଗତି ପଥରେ ‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ’ କରୋନା ମୁକାବିଲା‌ ଦିଗରେ ସହାୟକ ହେବ ତ?

ନୂଆଦିଲ୍ଲୀ: ଚଳିତ ମାସ ୩୦ ତାରିଖରେ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ବିତୀୟ ପାଳିର ବର୍ଷ ପୂର୍ତ୍ତି ହେବ। ଏହି ଦ୍ବିତୀୟ ପାଳିର ପ୍ରଥମ ବର୍ଷ ଭାରତୀୟ କ୍ରୀଡ଼ା କ୍ଷେତ୍ରରେ ଯଦିଓ ସେଭଳି କିଛି କାର୍ଯ୍ୟକ୍ରମ ଆରମ୍ଭ କରାଯାଇପାରିନାହିଁ ତଥାପି ‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ’ର ଶୁଭାରମ୍ଭ ପ୍ରମୁଖ ଘଟଣା ଥିଲା। ଦୈନନ୍ଦିନ ଜୀବନରେ ଜନସା‌ଧାରଣଙ୍କୁ କ୍ରୀଡ଼ା ଓ ଶାରିରୀକ କାର୍ଯ୍ୟ ସହ ସାମିଲ କରାଇବା ଉଦେଶ୍ୟ ନେଇ ‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ’ ଆରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ଏହାର ଶୁଭାରମ୍ଭ କରିଥିଲେ। ଫିଟ୍‌ନେସ୍‌ କେବଳ କ୍ରୀଡ଼ା ନୁହେଁ, ଏହା ଆମ ଜୀବନ ଓ ସଂସ୍କୃତିର ଅଂଶବିଶେଷ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅଭିଯାନକୁ ପ୍ରଭାବଶାଳୀ ଢଙ୍ଗରେ କ୍ରିୟାନ୍ବୟନ କରିବା ପାଇଁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁଙ୍କ ନେତୃତ୍ବରେ ସରକାରୀ ଅଧିକାରୀ, ଭାରତୀୟ ଅଲିମ୍ପିକ୍‌ ସଂଘ, ଜାତୀୟ କ୍ରୀଡ଼ା ମହାସଂଘ, ଘରୋଇ ସଂସ୍ଥା, ଫିଟ୍‌ନେସ୍‌ ପ୍ରୋତ୍ସାହନକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। କ୍ରୀଡ଼ା ମନ୍ତ୍ରଣାଳୟ ସହିତ ସୂଚନା ଓ ପ୍ରସାରଣ, ପଞ୍ଚାୟତିରାଜ ଓ ଗ୍ରାମୀଣ ବିକାଶ, ମାନବ ସମ୍ବଳ ବିକାଶ, ସ୍ବାସ୍ଥ୍ୟ ତଥା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଫିଟ୍‌ ଇଣ୍ଡିଆ ଅଭିଯାନକୁ ନେଇ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅଭିଯାନ ଅନ୍ତର୍ଗତ ସରକାର ଦେଶର ପାରମ୍ପରିକ ଗ୍ରାମୀଣ କ୍ରୀଡ଼ାଗୁଡ଼ିକୁ ମଧ୍ୟ ଉତ୍ସାହିତ କରିଥିଲେ।

ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ରେ ଗତବର୍ଷ ନଭେମ୍ବର ମାସରେ ଫିଟ୍‌ ଇଣ୍ଡିଆ ସ୍କୁଲ୍‌ ରେଟିଂ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ମଧ୍ୟ ଗୁରୁତ୍ବପୂର୍ଣ୍ଣ ଥିଲା। ମୋଦି ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଫିଟ୍‌ନେସ୍‌ ସମସ୍ତ ବିଦ୍ୟାଳୟରେ ଉପଲବ୍‌ଧ ହେଉଥିବା ଭିତ୍ତିଭୂମି ତଥା ଫିଟ୍‌ନେସ୍‌ ଗତିବିଧିରେ ଭାଗ ନେବା ଆଧାରରେ ଫିଟ୍‌ ଇଣ୍ଡିଆ ପତାକା ଓ ଫିଟ୍‌ ଇଣ୍ଡିଆ ଷ୍ଟାର୍‌ ରେଟିଂ ହାସଲ ପାଇଁ ସ୍କୁଲ୍‌ମାନଙ୍କୁ ଆହ୍ବାନ କରିଥିଲେ। ପ୍ରଥମ ଥର ପାଇଁ ଦେଶରେ ଫିଟ୍‌ ଇଣ୍ଡିଆ ସ୍କୁଲ୍‌ ରେଟିଂ ପ୍ରଣାଳିକୁ ଆରମ୍ଭ କରାଯାଇଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଫିଟ୍‌ ଇଣ୍ଡିଆ ଏବଂ ସିବିଏସ୍‌ଇ ଦ୍ବାରା ପ୍ରଥମ ଥର ଲାଗି ଲକ୍‌ଡାଉନ୍‌ ଅବଧିରେ ସ୍କୁଲ୍‌ ଛାତ୍ରଛାତ୍ରୀମାନଙ୍କ ପାଇଁ ଲାଇଭ୍‌ ଫିଟ୍‌ନେସ୍‌ ସେସନ୍‌ ଆୟୋଜନ କରାଯାଇଥିଲା। ଏଥି ସହିତ ଆୟୂଷ ମନ୍ତ୍ରଣାଳୟର ମାର୍ଗଦର୍ଶିକାଗୁଡ଼ିକୁ ସେୟାର କରାଯାଇଥିଲା। ଫିଟ୍‌ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ ପରଠାରୁ ପ୍ରାୟ ୧୩୮୬୮ ସିବିଏସ୍‌ଇ ସ୍କୁଲ୍‌ ଏହି କାର୍ଯ୍ୟକ୍ରମ ସହ ଜଡ଼ିତ ରହିଛନ୍ତି। ବିଭିନ୍ନ ମନ୍ତ୍ରଣାଳୟର ସହଯୋଗ ଦ୍ବାରା ଏହି ଅଭିଯାନକୁ ଏକ ନୂଆ ସୋପାନକୁ ନିଆଯାଇପାରିବ ବୋଲି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିଲା ବେଳେ ଗତ ୯ ମାସରେ ଯଥେଷ୍ଟ ଅଗ୍ରଗତି ହୋଇଥିବା ସରକାରଙ୍କ ହୃଦ୍‌ବୋଧ ହୋଇଛି। ଫିଟ୍‌ନେସ୍‌ ସମୟର ଆବଶ୍ୟକତା ବୋଲି ପ୍ରଧାନମନ୍ତ୍ରୀ କହୁଥିଲା ବେଳେ ସାଂପ୍ରତିକ କରୋନା ମହାମାରୀ ଲଢ଼େଇରେ ଫିଟ୍‌ ଇଣ୍ଡିଆ ଅଭିଯାନ ରାଷ୍ଟ୍ରୀୟ ଲକ୍ଷ୍ୟ ଓ ମହତ୍‌ଆକାଂକ୍ଷା ହାସଲ କରିବାରେ ସଫଳ ହେବାର ଆଶା ରଖିଛନ୍ତି। ତେବେ ମୋଦିଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷରେ ଆରମ୍ଭ ହୋଇଥିବା ଏହି ଅଭିଯାନର ପ୍ରାସଙ୍ଗିକତା କରୋନାର ମୁକାବିଲା ଦିଗରେ କେତେଦୂର ସହାୟକ ହୋଇପାରିବ ବାସ୍ତବରେ ତାହା ସମୟ ହିଁ କହିପାରିବ।

ସମ୍ବନ୍ଧିତ ଖବର