ନୂଆଦିଲ୍ଲୀ(ନଇମ୍ ଅଖ୍ତର): କରୋନା ମହାମାରୀ ଯୋଗୁଁ ସାରା ଦେଶ ଏବେ ଲକ୍ଡାଉନ୍। ଏହି ସମୟରେ କ୍ରୀଡ଼ାବିତ୍ମାନେ ଗୃହାବଦ୍ଧ ସତ୍ତ୍ବେ ନିଜକୁ ଫିଟ୍ ରଖିବା ସହିତ ପ୍ରସ୍ତୁତି ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଏଭଳି ଘଡିସନ୍ଧୀ ମୁହୂର୍ତ୍ତରେ ଓଡ଼ିଆ ଝିଅ ତଥା ଆନ୍ତର୍ଜାତିକ ବନ୍ଧୁକଚାଳିକା ଶ୍ରୀୟଙ୍କା ଷଡ଼ଙ୍ଗୀ କିପରି ସମୟ କାଟୁଛନ୍ତି ଆସନ୍ତୁ ଦେଖିବା। ସେ ଫିଟ୍ନେସ୍ ସାଙ୍ଗକୁ ମାନସିକ ଟ୍ରେନିଂ ଉପରେ ଗୁରୁତ୍ବ ଦେଉଛନ୍ତି ବୋଲି କହିଛନ୍ତି ନିଜେ ଶ୍ରୀୟଙ୍କା।
ଲକ୍ଡାଉନ୍ ୨୧ ଦିନ ସରିଯାଇଛି। କେନ୍ଦ୍ର ସରକାର ଏହାକୁ ଆହୁରି ବୃଦ୍ଧି କରିଛନ୍ତି। ଏପରିକି ମେ' ୩ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ସମୟ ସୀମାକୁ ବୃଦ୍ଧି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେଣୁ କ୍ରୀଡ଼ା ଦୁନିଆ ପୂରା ଠପ୍ ହୋଇଯାଇଛି। ଏପରିକି ଚଳିତ ବର୍ଷର କ୍ରୀଡ଼ା କ୍ୟାଲେଣ୍ଡର ନେଇ ଅନିଶ୍ଚିତତା ବଢ଼ିଯାଇଛି। ହେଲେ ଏହି ସମୟରେ ଯେପରି କ୍ରୀଡ଼ା ନୈପୂଣ୍ୟତା ହ୍ରାସ ନଘଟିବ ସେ ନେଇ ସଜାଗ ରହିବା ଦରକାର। ସମୟର ସଦୁପଯୋଗ କରାଗଲେ ପ୍ରସ୍ତୁତିପଥ ବିଗିଡ଼ିଯିବ ନାହିଁ। ଲକ୍ଡାଉନ୍ ଘୋଷଣା ମୁଁ ଭୁବନେଶ୍ବର ଚାଲି ଆସିଥିଲି। ଚନ୍ଦ୍ରଶେଖରପୁରସ୍ଥିତ ବାପା/ମା ଏବଂ ବଡ଼ବାପା/ବଡ଼ମା'ଙ୍କ ଘରେ ରହିଥିଲି। ହେଲେ ଲକ୍ଡାଉନ୍ ଘୋଷଣା ପରେ ସବୁକିଛି ବଦଳିଗଲା। ଅଚାନକ ଲକ୍ଡାଉନ୍ ଘୋଷଣା ଯୋଗୁଁ ଆଉ ଦିଲ୍ଲୀ ଫେରିପାରିଲିନି। ହେଲେ ଦିଲ୍ଲୀରେ ମୋର ସବୁ ବନ୍ଧୁକଚାଳନା ସରଞ୍ଜାମ ରହିଗଲା। ତେଣୁ ତତ୍ସଂପର୍କିତ ଅଭ୍ୟାସ କରିବା ଅସମ୍ଭବ ହୋଇପଡ଼ିଲା। ତଥାପି ସମୟର ସଦୁପଯୋଗ କରିବା ପାଇଁ ଫିଜିକାଲ ଫିଟ୍ନେସ୍ ଏବଂ ମେଣ୍ଟାଲ ଟ୍ରେନିଂ ଜରିଆରେ ନିଜକୁ ସକ୍ରିୟ ରଖିବାର ପ୍ରୟାସ ଜାରି ରଖିଛି। ଫିଜିକାଲ ଫିଟ୍ନେସ୍ ପାଇଁ ଅଧିକାଂଶ ସମୟ ଯୋଗାଭ୍ୟାସ କରୁଥିଲା ବେଳେ ଶିଡ଼ି ଉପରେ ଚଢ଼ି ଥେରାବେଣ୍ଡ୍ ଓ ପୁସ୍ଅଫ୍ ଭଳି ବ୍ୟାୟାମ କରୁଥିବା କହିଛନ୍ତି ଶ୍ରୀୟଙ୍କା। ଫଳରେ ଲକ୍ଡାଉନ୍ ଉଠିବା ପରେ ଏବଂ ଦିଲ୍ଲୀ ଫେରିଯିବା ପରେ ବନ୍ଧୁକଚାଳନା ସହିତ ଅଭ୍ୟାସରେ ରହିବାରେ କୌଣସି ଅସୁବିଧା ହେବନି ବୋଲି କହିଛନ୍ତି ଶ୍ରୀୟଙ୍କା।
ଲକ୍ଡାଉନ୍ ପୂର୍ବରୁ ଏପ୍ରିଲ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜାତୀୟ ଶିବିର ପାଇଁ ସେ ପ୍ରସ୍ତୁତି ଚଳାଇଥିଲେ। ସେହି ଶିବିରରୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ଚୂଡାନ୍ତ ଖେଳାଳି ମନୋନୟନ ହୋଇଥାନ୍ତା। ଏହାପରେ ମେ' ମାସରେ ଜର୍ମାନି ଓ ଚେକ୍ ଗଣରାଜ୍ୟରେ ଦୁଇଟି ପ୍ରତିଯୋଗିତା ରହିଥିଲା। ହେଲେ ହେଲେ କରୋନା ସବୁକିଛି ବିଗାଡ଼ି ଦେଲା। ଏବେ ସବୁ ପ୍ରତିଯୋଗିତା କରୋଦା ଯୋଗୁଁ ବାତିଲ ହୋଇଯାଇଛି। ଆଗକୁ କେବେ ହେବ ତାହା ମଧ୍ୟ ଅନିଶ୍ଚିତ। ଆମକୁ ଅପେକ୍ଷା କରିବାକୁ କେବଳ ପଡ଼ିବ। ତଥାପି ନିଜର ପ୍ରସ୍ତୁତିରେ ଯେଭଳି ବିଘ୍ନ ନଘଟିବ ସେଥିପାଇଁ ସଜାଗ ରହିବାକୁ ଶ୍ରୀୟଙ୍କା କହିଛନ୍ତି। ତେବେ ଯାହାହେଉଛି ଭଲ ହେଉଛି। ଆଗରୁ ପ୍ରଶିକ୍ଷଣ ନିମନ୍ତେ କଦାପି ପରିବାର ସହ ଏତେ ସମୟ ବିତାଇବାର ସୁଯୋଗ ପାଉନଥିଲି। ଏବେ ଓଡ଼ିଶାରେ ରହିବା ପାଇଁ ବହୁ ସମୟ ପାଇଛି। ପରିବାର ସଦସ୍ୟଙ୍କ ସହ ମଜା କରୁଛି। ଲକ୍ଡାଉନ୍ ସମୟର ସଦୁପଯୋଗ କରି ରୁଟିନ୍ ଅନୁଯାୟୀ କାର୍ଯ୍ୟ କରୁଛି। ରୋଷେଇ ଶିଖୁଛି, ବଡ଼ ମା'ଙ୍କଠୁ ଇଡିଲି ମଧ୍ୟ ଶିଖୁଛି, ପ୍ରେରଣାଦାୟୀ କ୍ରୀଡ଼ା ପୁସ୍ତକ ମଧ୍ୟ ପଢୁଛି, ପାରମ୍ପରିକ ଓଡ଼ିଆ ଖାଦ୍ୟପେୟର ମଜା ନେଉଛି, ଏପରିକି ଅନ୍ଲାଇନ୍ ପାଠ୍ୟପୁସ୍ତକରେ ଆଗ୍ରହ ରଖିବାରୁ ଆଦୌ ବିରକ୍ତିକର ଅନୁଭବ ହେଉନି ବୋଲି କହିଛନ୍ତି ଶ୍ରୀୟଙ୍କା। ଲକ୍ଡାଉନ୍ ଉଠିବା ପରେ ସବୁକିଛି ସ୍ବାଭାବିକ ହୋଇଯିବ ଏବଂ ପୁଣି ଥରେ ବନ୍ଧୁକଚାଳନା ମଇଦାନରେ ଭାରତ ପାଇଁ ପଦକ ଅମଳ କରିବା ଆଶାବ୍ୟକ୍ତ କହିଛନ୍ତି ଶ୍ରୀୟଙ୍କା।