ଭାରତ -ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ସିରିଜ ପାଇଁ ସମସ୍ତ ଖେଳାଳି ଦେବେ ଫିଟନେସ ଟେଷ୍ଟ

ମୁମ୍ବାଇ: ଜୁନ୍ ୯ରୁ ୧୯ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ପାଞ୍ଚ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳା ପୂର୍ବରୁ ଖେଳାଳିମାନଙ୍କୁ ଫିଟନେସ ଟେଷ୍ଟ ଦେବାକୁ ପଡିବ | ଏହି ଶୃଙ୍ଖଳାରୁ ନିୟମିତ ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଦୁଇ ଦ୍ରୁତ ବୋଲର ମହମ୍ମଦ ସାମି ଓ ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ କେ.ଏଲ୍ ରାହୁଲଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ଦିଆଯାଇଛି | ତେବେ ସିରିଜ୍ ଆରମ୍ଭ ପୂର୍ବରୁ ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଆଇପିଏଲ ପରେ ଖେଳାଳିମାନଙ୍କୁ ଫିଟନେସ୍ ପରୀକ୍ଷା ଦେବାକୁ ବିସିସିଆଇ କହିଛି।

ଆଇପିଏଲ୍ ଶେଷ ହେବା ପରେ, ସମସ୍ତ ଖେଳାଳି ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ରେ ଜୁନ୍ ୫ କିମ୍ବା ତା ପୂର୍ବରୁ ଏକାଠି ହେବେ | ତା’ପରେ ଏନସିଏ ନିର୍ଦ୍ଦେଶକ ଭିଭିଏସ୍ ଲକ୍ଷ୍ମଣ ଏବଂ ଫିଜିଓ ନିତିନ ପଟେଲଙ୍କ ତତ୍ତ୍ୱାବଧାନରେ ଏକ ଫିଟନେସ୍ ପରୀକ୍ଷା କରାଯିବ | ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ସମସ୍ତ ଖେଳାଳିଙ୍କୁ ଦକ୍ଷିଣ ଆଫ୍ରିକା ସିରିଜ୍ ପାଇଁ ଏନସିଏରେ ଏକ ଫିଟନେସ୍ କ୍ୟାମ୍ପ ପାଇଁ ଏକାଠି ହେବାକୁ ପଡ଼ିବ। ଆମେ ନିଶ୍ଚିତ କରିବାକୁ ଚାହୁଁ ଯେ ସମସ୍ତ ଖେଳାଳି ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି | ସୂଚନାଯୋଗ୍ୟ ଯେ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳା ଜୁନ୍ ୯, ୧୨, ୧୪, ୧୭ ଏବଂ ୧୯ ତାରିଖରେ ଯଥାକ୍ରମେ ନୂଆଦିଲ୍ଲୀ, କଟକ, ବିଶା‌ଖାପାଟଣା, ରାଜକୋଟ ଏବଂ ବେଙ୍ଗାଲୁରୁଠାରେ ଖେଳାଯିବ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଲାଗି ଦଳ: କେଏଲ୍ ରାହୁଲ (ଅଧିନାୟକ), ଋତୁରାଜ ଗାଏକ୍ବାଡ୍, ଈଶାନ କିଶନ, ଦୀପକ ହୁଦା, ଶ୍ରେୟସ୍ ଆୟର, ଋଷଭ ପନ୍ତ (ୱିକେଟ୍ ରକ୍ଷକ), ଦୀନେଶ କାର୍ତ୍ତିକ, ହାର୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ୟୁଝବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଅଭେଶ ଖାନ୍, ଅର୍ଶଦୀପ ସିଂହ, ଉମ୍ରାନ ମଲ୍ଲିକ।

ସମ୍ବନ୍ଧିତ ଖବର