ଭୁବନେଶ୍ୱର: ନୂଆଦିଲ୍ଲୀଠାରେ ଚଳିତ ମାସ ୧୩ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରଥମ ଖୋ ଖୋ ବିଶ୍ବକପ୍ ଆୟୋଜିତ ହେବ। ୨୪ଟି ଦେଶ ଅଂଶଗ୍ରହଣ କରୁଥିବା ଏହି ବିଶ୍ବ ଲଢ଼େଇର ପରିଚାଳନା ଦାୟିତ୍ବରେ ଓଡ଼ିଶାର ୫ଜଣ ଅଧିକାରୀ ଓ ବୈଷୟିକ ଅଧିକାରୀ ରହିବେ। ବୁଧବାର ସର୍ବଭାରତୀୟ ଖୋ ଖୋ ମହାସଂଘର ସଭାପତି ସୁଧାଂଶୁ ମିତ୍ତଲ ଓ ସମ୍ପାଦକ ଏମ୍ଏସ୍ ତ୍ୟାଗୀଙ୍କ ପକ୍ଷରୁ ପତ୍ର ମାଧ୍ୟମରେ ଏଭଳି ସୂଚନା ଦିଆଯାଇଛି। ଓଡ଼ିଶା ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ରଙ୍କୁ ବିଶ୍ବକପ୍-୨୦୨୫ର ରେଫରି ବୋର୍ଡ ସଦସ୍ୟ ଭାବେ ମନୋନୀତ କରାଯାଇଥିବା ବେଳେ ଅନ୍ତର୍ଜାତୀୟ ବୈଷୟିକ ଅଧିକାରୀ ଭାବେ ପାର୍ଥସାରଥୀ ମହାପାତ୍ର, ଆକାଶ ରଣା, କ୍ରିଷ୍ଣା କୁମାରୀ ରାୟ ଓ ଶ୍ରଦ୍ଧାମୟୀ ରାଉତଙ୍କୁ ମନୋନୀତ କରାଯାଇଛି। ସମସ୍ତ ମନୋନୀତ ସଦସ୍ୟଙ୍କୁ ଆସନ୍ତା ୧୧ ତାରିଖ ସୁଦ୍ଧା ଦିଲ୍ଲୀରେ ପହଞ୍ଚିବାକୁ କୁହାଯାଇଛି। ପ୍ରଥମ ଖୋ ଖୋ ବିଶ୍ବକପ୍ର ପରିଚାଳନାରେ ଓଡ଼ିଶାର ଏକାଥରକେ ୫ଜଣ ସାମିଲ ହେବାକୁ ଯାଉଥିବାରୁ ସେମାନଙ୍କୁ ରାଜ୍ୟର କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟିଛି। ସେହିଭଳି ରାଜ୍ୟ ଖୋ ଖୋ ଦୁନିଆରେ ଖୁସିର ଲହରି ଖେଳି ଯାଇଛି। ଏହି କର୍ମକର୍ତ୍ତାମାନେ ସେମାନଙ୍କୁ ଦିଆଯାଇଥିବା ଦାୟିତ୍ୱକୁ ସୁଚାରୁରୂପେ ତୁଲାଇବେ ବୋଲି ଓଡ଼ିଶା ଖୋ ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଦୃଢ଼ ଆଶା ପୋଷଣ କରିଛନ୍ତି।
ଆଜି ଭାରତୀୟ ଦଳ ଘୋଷଣା
ବିଶ୍ବକପ୍ ଲାଗି ଗୁରୁବାର ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳ ଘୋଷଣା କରାଯିବ। ଏଥିନେଇ ଅପରାହ୍ଣ ୩ଟାରେ ସର୍ବଭାରତୀୟ ଖୋ ଖୋ ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଛି। ଭାରତୀୟ ଦଳରେ ଓଡ଼ିଶାର ଅନ୍ୟୂନ ୩ଜଣ ଖେଳାଳି ସ୍ଥାନ ପାଇବାର ସୂଚନା ‘ସମ୍ବାଦ’ର ହସ୍ତଗତ ହୋଇଛି। ସୂଚନାଯୋଗ୍ୟ ଯେ ହକି, ରଗ୍ବି ପରେ ଓଡ଼ିଶା ସରକାର ଭାରତୀୟ ଖୋ ଖୋ ଦଳର ୩ବର୍ଷ ପାଇଁ ପ୍ରାୟୋଜକ ହୋଇଛନ୍ତି। ଏଭଳି ସ୍ଥିତିରେ ଭାରତୀୟ ଦଳରେ ଓଡ଼ିଆଙ୍କ ପ୍ରତିନିଧିତ୍ବ ପୂର୍ବାପେକ୍ଷା ବଢ଼ିବାର ଆଶା କ୍ରୀଡ଼ାପ୍ରେମୀ ରଖିଛନ୍ତି। ନୂଆଦିଲ୍ଲୀର ଜବାହରଲାଲ୍ ନେହରୁ ଷ୍ଟାଡିୟମ୍ରେ ଆୟୋଜିତ ୨୪୦ ଜଣିଆ ପ୍ରଶିକ୍ଷଣ ଓ ଚୟନ ଶିବିରରୁ ଭାରତୀୟ ଦଳ ବଛାଯିବ। ଆଗାମୀ ସମୟରେ ଖୋ ଖୋକୁ ଅଲିମ୍ପିକ୍ସରେ ସାମିଲ କରିବା ଲକ୍ଷ୍ୟ ନେଇ ବିଶ୍ବକପ୍ର ପରିକଳ୍ପନା କରାଯାଇଛି ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।
ପାକିସ୍ତାନ ବାଦ୍ ପଡ଼ିଲା
ଖୋ ଖୋ ବିଶ୍ବକପ୍ ଲାଗି ଭିସା ମିଳିବାରେ ବିଳମ୍ବ ହେଉଥିବାରୁ ପାକିସ୍ତାନର ଉଭୟ ପୁରୁଷ ଓ ମହିଳା ଦଳ ଏଥିରେ ଅଂଶଗ୍ରହଣ କରିପାରିବେ ନାହିଁ। ଏଥିନେଇ ପାକିସ୍ତାନ ଖୋ ଖୋ ସଂଘ ଅସହାୟତା ପ୍ରକାଶ କରିଥିଲା ବେଳେ ଭାରତୀୟ ଖୋ ଖୋ ମହାସଂଘର ସଭାପତି ସୁଧାଂଶୁ ମିତ୍ତଲ କହିଛନ୍ତି, ଆମ ହାତରେ କିଛି ନାହିଁ, ସବୁକିଛି ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭରଶୀଳ। ଏଥିପାଇଁ ଉଦ୍ଘାଟନୀ ଦିବସରେ ଭାରତୀୟ ମହିଳା ଓ ପାକିସ୍ତାନ ମହିଳାଙ୍କ ମୁକାବିଲା ପରିବର୍ତ୍ତେ ଭାରତ ଓ ନେପାଳ ମଧ୍ୟରେ ମ୍ୟାଚ୍ ଖେଳାଯିବ ବୋଲି ସୂଚନା ଦେଇଛନ୍ତି ସେ। ସେହିଭଳି ଉଭୟ ପୁରୁଷ ଓ ମହିଳାଙ୍କୁ ମିଶାଇ ବିଶ୍ବକପ୍ରେ ୪୦ଟି ଦଳ ଅଂଶଗ୍ରହଣ କରିବାକୁ ଥିବା ବେଳେ ଏବେ ଏହା ୩୯କୁ କମିଛି।