ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ୫ ହ୍ୟାଟ୍ରିକ୍‌

ମେଲ୍‌ବର୍ଣ୍ଣ : ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଅଷ୍ଟମ ସଂସ୍କରଣ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଯାଇଛି। ଶୁକ୍ରବାର ପ୍ରଥମ ରାଉଣ୍ଡ ଶେଷ ହୋଇଛି। ତେବେ ୨୦୦୭ରୁ ଆରମ୍ଭ ହୋଇଥିବା ଏହି ବିଶ୍ବକପ୍‌ ଇତିହାସରେ ମୋଟ ୫ ହ୍ୟାଟ୍ରିକ୍‌ ଦେଖିବାକୁ ମିଳିଛି।

ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ବ୍ରେଟ୍‌ ଲି’ଙ୍କ ନାମରେ ପ୍ରଥମ ହ୍ୟାଟ୍ରିକ୍‌ ରହିଛି। ୨୦୦୭ ପ୍ରଥମ ସଂସ୍କରଣରେ ବାଂଲାଦେଶ ବିପକ୍ଷରେ ହିଁ ବ୍ରେଟ୍‌ ଲି ହ୍ୟାଟ୍ରିକ୍‌ ସଫଳତା ହାସଲ କରିଥିଲେ। ସେ ଲଗାତାର ୩ଟି ବଲ୍‌ରେ ସାକିବ ଅଲ୍‌ ହାସନ୍‌, ମସ୍ରଫି ମୋର୍ତାଜା ଏବଂ ଆଲୋକ କପାଳିଙ୍କୁ ଆଉଟ୍‌ କରିଥିଲେ।
ହେଲେ ଏହି ଫର୍ମାଟ୍‌ର ବିଶ୍ବକପ୍‌ରେ ଦ୍ବିତୀୟ ହ୍ୟାଟ୍ରିକ୍‌ ପାଇଁ ୧୪ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ଶେଷରେ ୨୦୨୧ରେ ହିଁ ୩ଟି ହ୍ୟାଟ୍ରିକ୍‌ ଦେଖିବାକୁ ମିଳିଥିଲା। ୨୦୨୧ ସଂସ୍କରଣରେ ପ୍ରଥମେ ଆୟର୍ଲାଣ୍ଡ୍‌ର କର୍ଟିସ୍‌ କାମ୍ଫେର ହିଁ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ। ସେ ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍‌ରେ ସିଏନ୍‌ ଆକେରମାନ୍‌, ଆର୍‌ଏନ୍‌ ଟେନ୍‌ଡୋଏଶ୍ଚେଟ୍‌, ଏସ୍‌ଏ ଏଡ୍‌ୱାର୍ଡସ ଏବଂ ଆର୍‌ଇ ଭାନ୍‌ଡେର୍‌ ମେର୍‌ୱେଙ୍କୁ ଆଉଟ୍‌ କରି ହ୍ୟାଟ୍ରିକ୍‌ ସଫଳତା ହାତେଇବା ସାଙ୍ଗକୁ ୪ ବଲ୍‌ରେ ୪ ୱିକେଟ୍‌ ଅକ୍ତିଆର କରିବାରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସରେ ତୃତୀୟ ବୋଲର ହେବାର ଗୌରବ ବହନ କରିଥିଲେ।

ସେହି ୨୦୨୧ ସଂସ୍କରଣରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ସିଂହଳୀ ସ୍ପିନର ୱାନିନ୍ଦୁ ହସରଙ୍ଗା ଦ୍ବିତୀୟ ତଥା ମୋଟ ଉପରେ ତୃତୀୟ ବୋଲର ଭାବେ ହ୍ୟାଟ୍ରିକ୍‌ ସଫଳତା ପାଇଥିଲେ। ନିଜ ଦ୍ବିତୀୟ ସ୍ପେଲ୍‌ ବୋଲିଂରେ ସେ ଏଦେନ୍‌ ମାର୍‌କ୍ରମ, ତେମ୍ବା ବଭୂମା ଏବଂ ଡ୍ବାନ୍‌ ପ୍ରିଟୋରିଅସ୍‌ଙ୍କୁ ଲଗାତାର ବଲ୍‌ରେ ଆଉଟ୍‌ କରିଥିଲେ।

ଗତ ସଂସ୍କରଣରେ କାମ୍ଫେର ଓ ହସରଙ୍ଗାଙ୍କ ପରେ ତୃତୀୟ ବୋଲର ଭାବେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରବାଦା। ଇଂଲଣ୍ଡ ବିପକ୍ଷ ଏକ ମ୍ୟାଚ୍‌ରେ ସେ ଶେଷ ଓଭରର ପ୍ରଥମ ୩ ବଲ୍‌ରେ ଯଥାକ୍ରମେ କ୍ରିସ୍‌ ୱକ୍ସ, ଇଅନ ମୋର୍ଗାନ ଓ କ୍ରିସ୍‌ ଜୋର୍ଡାନ୍‌ଙ୍କୁ ଆଉଟ୍‌ କରି ବିଶ୍ବକପ୍‌ ଇତିହାସରେ ହ୍ୟାଟ୍ରିକ୍‌ ନେବାରେ ଚତୁର୍ଥ ବୋଲର ହୋଇଥିଲେ। ଏହା ମଧ୍ୟ ରବାଦାଙ୍କ କ୍ୟାରିୟରର ପ୍ରଥମ ହ୍ୟାଟ୍ରିକ୍‌ ଥିଲା।

ଶେଷରେ ଚଳିତ ବିଶ୍ବକପ୍‌ରେ ୟୁଏଇର କାର୍ତିକ ମିୟାପାନ ହ୍ୟାଟ୍ରିକ୍‌ ଅର୍ଜନ କରିବା ବୋଲରଙ୍କ ତାଲିକାରେ ଯୋଡ଼ି ହୋଇଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ର ୧୫ତମ ଓଭରରେ ଭାନୁକା ରାଜପକ୍ଷ, ଚରିତ ଅସାଲଙ୍କା ଓ ଦାସୁନ ଶଣକାଙ୍କୁ ଆଉଟ୍‌ କରି ବିଶ୍ବକପ୍‌ ଇତିହାସରେ ପଞ୍ଚମ ବୋଲର ଭାବେ ହ୍ୟାଟ୍ରିକ୍‌ ସଫଳତା ହାତେଇଛନ୍ତି।

ସମ୍ବନ୍ଧିତ ଖବର