ସର୍ବାଧିକ ଆୟକାରୀ ୫ ଫୁଟ୍‌ବଲର୍‌

ନୂଆଦିଲ୍ଲୀ : ଫୁଟ୍‌ବଲ୍‌ ବିଶ୍ବରେ ସବୁଠୁ ଲୋକପ୍ରିୟ ଖେଳ। ଟଙ୍କା ଓ ଖ୍ୟାତି ଦୃଷ୍ଟିରୁ ଏଥିରେ ସବୁଠୁ ବଡ଼ ଓ ଚର୍ଚ୍ଚିତ ତାରକା ଖେଳାଳିମାନେ ଖେଳୁଛନ୍ତି। ସାମାଜିକ ଗଣମାଧ୍ୟମରେ ସର୍ବାଧିକ ପ୍ରଶ˚ସକଙ୍କ ସହ ସର୍ବାଧିକ ପ୍ରାପ୍ୟ ଓ ପ୍ରାୟୋଜକଙ୍କ ସ˚ପୃକ୍ତି ଯୋଗୁଁ ଫୁଟବଲ ଖେଳାଳିମାନେ ସବୁବେଳେ ଉପରେ ଥାଆନ୍ତି। ତେଣୁ କ୍ଲବ୍‌ ଫୁଟବଲ ସ୍ତରରେ ଯେଉଁ ଖେଳାଳିମାନେ ସବୁଠୁ ଅଧିକ ଟଙ୍କା ଆୟ କରୁଛନ୍ତି ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୫ଜଣ ଖେଳାଳିଙ୍କ ଉପରେ ନଜର ପକାଇବା…

ଲିଓନେଲ ମେସି (ଏଫ୍‌ସି ବାର୍ସେଲୋନା): ୯୫୮ କୋଟି ଟଙ୍କା
ମେସିଙ୍କୁ ଫୁଟବଲ୍‌ ଇତିହାସର ମହାନ ଖେଳାଳିଙ୍କ ଭିତରେ ଗଣାଯାଏ। କ୍ରୀଡ଼ା କ୍ଷେତ୍ରରେ ସର୍ବାଧିକ ଆୟ କରୁଥିବା ଖେଳାଳିଙ୍କ ଶୀର୍ଷ ତାଲିକା ଭିତରେ ମେସି ଆସିଥାନ୍ତି। ବାର୍ସେଲୋନା ୟୁଥ୍‌ ଏକାଡେମି ଖେଳାଳିଙ୍କ ଭିତରୁ ଦେଖିବାକୁ ଗଲେ ମେସି ଅନ୍ୟ କୌଣସି କ୍ଲବ୍‌ ପାଇଁ ବି ଖେଳିନାହାନ୍ତି। ତେଣୁ ମେସି ଏହି ଦଳକୁ ଏକାଧିକ ପ୍ରତିଯୋଗିତାରେ ବିଜେତା କରାଇଛନ୍ତି। ୨୦୦୪ରେ ସେ ଏଫ୍‌ସି ବାର୍ସେଲୋନାର ବରିଷ୍ଠ ଦଳରେ ସ୍ଥାନ ପାଇଥିଲେ। ତାଙ୍କ ଉଚ୍ଚକୋଟିର ପ୍ରଦର୍ଶନ ଯୋଗୁଁ ଏବେ ସେ ବିଶ୍ବର ସର୍ବାଧିକ ଆୟ କରୁଥିବା ଫୁଟବଲ ଖେଳାଳି ହୋଇପାରିଛନ୍ତି। ଫୋର୍ବସ୍‌ ତାଲିକା ଅନୁଯାୟୀ ମେସି ୨୦୧୯ରେ ୧୨.୭ କୋଟି ଡଲାର ବା ପାଖାପାଖି ୯୫୮ କୋଟି ଟଙ୍କା ଆୟ କରି କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ନେମାରଙ୍କୁ ପଛରେ ପକାଇଦେଇଥିଲେ। ୫ ଥର ଫିଫା ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କାର ପାଇଥିବା ଆର୍ଜେଣ୍ଟିନାର ଏହି ଖେଳାଳି ବାର୍ଷିକ ୯.୨ କୋଟି ଡଲାର (୬୯୪ କୋଟି ଟଙ୍କା) ଦରମା ରୂପରେ ପାଇଥିଲା ବେଳେ ଅନ୍ୟାନ୍ୟ କ୍ଷେତ୍ରରୁ ବାର୍ଷିକ ୩.୫ କୋଟି ଡଲାର ବା ୨୬୪ କୋଟି ଟଙ୍କା ଆୟ କରିଛନ୍ତି।

କ୍ରିଷ୍ଟିଆନୋ ରୋନାଲ୍ଡୋ (ଜୁଭେନ୍‌ଣ୍ଟସ୍‌): ୮୨୨ କୋଟି ଟଙ୍କା
ରିଅଲ ମାଦ୍ରିଦ ସହ ଦୀର୍ଘ ୯ ବର୍ଷର ସ˚ପର୍କ ପରେ କ୍ରିଷ୍ଟିଆନୋ ରୋନାଲ୍ଡୋ ୨୦୧୮ରୁ ଜୁଭେନ୍‌ଣ୍ଟସ୍‌ ସହିତ ଯୋଗଦେଇଛନ୍ତି। କ୍ଲବ୍‌ରେ ଯୋଗଦେବାର ୨୪ଘଣ୍ଟା ଭିତରେ ଜୁଭେନ୍‌ଣ୍ଟସ୍‌ ରୋନାଲ୍ଡୋଙ୍କ ୫ ଲକ୍ଷ ୨୦ ହଜାର ଜର୍ସି ବିକ୍ରି କରିଥିଲା ବେଳେ ସେଗୁଡ଼ିକ ୪୫୨ କୋଟି ଟଙ୍କାରେ ବିକ୍ରି ହୋଇଥିଲା। ଏହି ୩୫ ବର୍ଷିୟ ଖେଳାଳି ଜଣକ କିଛି ସମୟ ପାଇଁ ସର୍ବାଧିକ ଆୟକାରୀ ହୋଇପାରିଥିଲେ। ଜୁନ୍‌ ୨୦୧୯ରେ ପ୍ରକାଶିତ ଫୋର୍ବସ୍‌ ତାଲିକା ଅନୁଯାୟୀ ରୋନାଲ୍ଡୋ ସର୍ବାଧିକ ଆୟକାରୀଙ୍କ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେ ବର୍ଷକୁ ୧୦ କୋଟି ୯୦ ଲକ୍ଷ ଡଲାର ବା ୮୨୨ କୋଟି ଟଙ୍କା ଆୟ କରୁଥିବା ଦର୍ଶାଯାଇଛି। ରୋନାଲ୍ଡୋ ପ୍ରଥମ ଖେଳାଳି ଭାବେ ପ୍ରିମିୟର ଲିଗ୍‌, ଲା-ଲିଗା ଓ ସିରିଜ ଏ’ ବିଜେତା ହୋଇ ବାର୍ଷିକ ୪୯୦ କୋଟି ଟଙ୍କା ଦରମା ପାଇଛନ୍ତି। ଏହାବାଦ୍‌ ୨୦୧୮-୧୯ ଋତୁରେ ଅନ୍ୟାନ୍ୟ କ୍ଷେତ୍ରରୁ ସେ ୩୩୨ କୋଟି ଟଙ୍କା ଆୟ କରିଥିଲେ।

ନେମାର ଜୁନିଅର (ପ୍ୟାରିସ ସେଣ୍ଟ ଜର୍ମାନ): ୭୯୧ କୋଟି ଟଙ୍କା
ଫୁଟବଲ୍‌ର ଶ୍ରେଷ୍ଠ ପ୍ରତିଭାମାନଙ୍କ ଭିତରେ ନେମାରଙ୍କ ନାମ ଅଧିକ ଚର୍ଚ୍ଚା କରାଯାଏ। ଯାହାଫଳରେ ନେମାର ଲଗାତର ଭାବେ ସର୍ବାଧିକ ଆୟକାରୀଙ୍କ ତାଲିକା ମଣ୍ତନ କରିଆସୁଛନ୍ତି। ବ୍ରାଜିଲ୍‌ର ଏହି ଖେଳାଳି ବର୍ତ୍ତମାନ ପ୍ୟାରିସ୍‌ ସେଣ୍ଟ ଜର୍ମାନ (ପିଏସ୍‌ଜି) ସହିତ ୫ବର୍ଷିୟା ଚୁକ୍ତି କରିଥିଲା ବେଳେ ସର୍ବାଧିକ ମୂଲ୍ୟର (୨୦୧୭ ଅଗଷ୍ଟରେ ୧୮୩୨ କୋଟି ଟଙ୍କା) ବଦଳ ଖେଳାଳି ଭାବେ ଚୁକ୍ତି କରି ଚହଳ ସୃଷ୍ଟି କରିଥିଲେ। ଗତବର୍ଷ ଏହି ୨୮ ବର୍ଷିୟ ଖେଳାଳି ସାଢେ ୧୦ କୋଟି ଡଲାର ବା ପାଖାପାଖି ୭୯୧ କୋଟି ଟଙ୍କା ଆୟ କରିଥିଲେ। ଯେଉଁଥିରୁ ସାଢେ ୭.୫ କୋଟି ଡଲାର ବା ୫୬୫ କୋଟି ଟଙ୍କା ଦରମା ଭାବେ ପାଇଥିଲା ବେଳେ ଅନ୍ୟାନ୍ୟ ସୂତ୍ରରୁ ୩ କୋଟି ଡଲାର ବା ୨୨୬ କୋଟି ଟଙ୍କା ଆୟ କରିଥିଲେ। କେବଳ ଏତିକି ନୁହେଁ, ଲୋକପ୍ରିୟ ଖେଳାଳିଙ୍କ ତାଲିକାରେ ମଧ୍ୟ ନେମାର ଶ୍ରେଷ୍ଠମାନଙ୍କ ମଧ୍ୟରେ ଗଣାହେଉଛନ୍ତି। ସାମାଜିକ ଗଣମାଧ୍ୟମରେ ମଧ୍ୟ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପଛକୁ ଦ୍ବିତୀୟ ଲୋକପ୍ରିୟ କ୍ରୀଡ଼ାବିତ୍‌ ଭାବେ ବିବେଚିତ ହୋଇଛନ୍ତି। ତେବେ ଶୀର୍ଷ ତିନି ଆୟକାରୀଙ୍କ ମଧ୍ୟରେ ମୂଲ୍ୟ ଦୃଷ୍ଟିରୁ ଅନ୍ୟମାନଙ୍କ ଅପେକ୍ଷା ବଡ଼ ପ୍ରଭେଦ ରହିଛି।

ପଲ୍‌ ପଗ୍‌ବା (ମାଞ୍ଚେଷ୍ଟର ୟୁନାଇଟେଡ୍‌): ୨୪୯ କୋଟି ଟଙ୍କା‌
ମାଞ୍ଚେଷ୍ଟର ୟୁନାଇଟେଡର ପ୍ରମୁଖ ଖେଳାଳି ପଲ୍‌ ପଗ୍‌ବା ଯେତେବେଳେ ୨୦୧୬ରେ ଦ୍ବିତୀୟ ଥର ପାଇଁ ରେଡ୍‌ ଡେଭିଲ୍ସ ସହିତ ଯୋଗଦେଇଥିଲେ ସେତେବେଳେ ସର୍ବାଧିକ ଆଲୋଚିତ ଖେଳାଳିଙ୍କ ମଧ୍ୟରେ ତାଙ୍କୁ ଗଣାଯାଉଥିଲା। ଏହି ୨୭ ବର୍ଷୀୟ ଖେଳାଳି ସର୍ବାଧିକ ଆୟକାରୀଙ୍କ ମଧ୍ୟରେ ବି ସ୍ଥାନ ପାଇଛନ୍ତି। ଜୁନ୍‌ ୨୦୧୯ ତାଲିକା ଅନୁଯାୟୀ ଏହି ମିଡ୍‌ଫିଲ୍ଡର ଗତ ଋତୁରେ ୩.୩କୋଟି ଡଲାର ବା ୨୪୯ କୋଟି ଟଙ୍କା ଆୟ କରି ଚତୁର୍ଥ ସ୍ଥାନରେ ରହିଥିଲେ। ଗତବର୍ଷ ପଗ୍‌ବା ୨.୯କୋଟି ଡଲାର ବା ୨୧୯ କୋଟି ଟଙ୍କା ଦରମା ବାବଦରେ ପାଇଥିଲା ବେଳେ ଅନ୍ୟାନ୍ୟ ସୂତ୍ରରୁ ୪୦ ଲକ୍ଷ୍ୟ ଡଲାର ବା ୩୦ କୋଟି ଟଙ୍କା ଆୟ କରିଛନ୍ତି।

ଆନ୍ଦ୍ରେସ୍‌ ଇନିଏସ୍ତା (ଭିସେଲ୍‌ କୋବେ): ୨୪୫ କୋଟି ଟଙ୍କା
ଯଦିଓ ଆନ୍ଦ୍ରେସ୍‌ ଇନିଏସ୍ତା ତାଙ୍କ ଫୁଟବଲ ଜୀବନରେ ଏତେ ଲୋକଲୋଚନକୁ ଆସିପାରିନାହାନ୍ତି କିନ୍ତୁ ସର୍ବାଧିକ ଆୟକାରୀଙ୍କ ତାଲିକାରେ ଏହି ୩୬ ବର୍ଷିୟ ଖେଳାଳି ପଞ୍ଚମ ସ୍ଥାନରେ ରହିଛନ୍ତି। ଏଫ୍‌ସି ବାର୍ସେଲୋନା ପାଇଁ ୨୨ ବର୍ଷ ଧରି ଖେଳିବା ପରେ ୨୦୧୮ରେ ସେ ଜାପାନ୍‌ର ଭିସେଲ୍‌ କୋବେ ସହିତ ଯୋଗଦେଇଥିଲେ। ଫୋର୍ବସ୍‌ ତାଲିକା ଅନୁଯାୟୀ, ସ୍ପେନ୍‌ର ଏହି ଖେଳାଳି ଗତ ଋତୁରେ ୩.୨୫ କୋଟି ଡଲାର ବା ୨୪୫ କୋଟି ଟଙ୍କା ଆୟ କରିଥିଲା ବେଳେ ସେଥିରୁ ଦରମା ଆକାରରେ ୩ କୋଟି ଡଲାର ବା ୨୨୬ କୋଟି ଟଙ୍କା ଓ ଅନ୍ୟାନ୍ୟ ସୂତ୍ରରୁ ୨୫ ଲକ୍ଷ ଡଲାର ବା ୧୯ କୋଟି ଟଙ୍କା ଆୟ କରିଛନ୍ତି।

ସମ୍ବନ୍ଧିତ ଖବର