ଦୁବାଇ: ବହୁ ପ୍ରତୀକ୍ଷିତ ଆଇପିଏଲ୍-୧୩ ଆସନ୍ତା ମାସ ୧୯ ତାରିଖରୁ ୟୁଏଇରେ ଆରମ୍ଭ ହେବ। ୮ଟି ଦଳକୁ ନେଇ ଖେଳାଯାଉଥିବା ଏହି ଲିଗ୍ରେ ବିରାଟ କୋହଲି (ଆରସିବି), ମହେନ୍ଦ୍ର ସିଂହ ଧୋନି (ସିଏସ୍କେ) ଓ ରୋହିତ ଶର୍ମା (ମୁମ୍ବାଇ ଇଣ୍ଡିଆନ୍ସ)ଙ୍କ ଭଳି ଖେଳାଳି ନିଜ ନିଜ ଦଳ ସହ ଢେର କିଛି ବର୍ଷ ହେବ ଥିଲାବେଳେ ଏମିତି ଅନେକ ଖେଳାଳି ଅଛନ୍ତି, ଯେଉଁମାନେ ୫ କିମ୍ବା ତା'ଠାରୁ ଅଧିକ ଫ୍ରାଞ୍ଚାଇଜ ପକ୍ଷରୁ ଖେଳି ସାରିଲେଣି। ଖରାପ ଫର୍ମ, ଆଘାତ ଜନିତ ସମସ୍ୟା କିମ୍ବା ବଳକା ଖେଳାଳି ଭଳି କାରଣ ପାଇଁ ଗୋଟିଏ କିମ୍ବା ଦୁଇଟି ଋତୁ ପରେ ନିଜ ଦଳ ବଦଳାଇବାକୁ ବାଧ୍ୟ ହେଉଛନ୍ତି। ଏଭଳି ଦୁଃସାହସିକ ଅଭିଯାନରେ ସାମିଲ ରହି ଏବେସୁଦ୍ଧା ପାଞ୍ଚ କିମ୍ବା ତା'ଠାରୁ ଅଧିକ ଭିନ୍ନ ଭିନ୍ନ ଦଳ ପକ୍ଷରୁ ଖେଳି ସାରିଥିବା ପାଞ୍ଚ ଜଣ ଖେଳାଳିଙ୍କୁ ନେଇ 'ସମ୍ବାଦ'ର ସ୍ବତନ୍ତ୍ର ପ୍ରତିବେଦନ।
ଥିସାରା ପେରେରା (୬ ଫ୍ରାଞ୍ଚାଇଜ)
ଏହ ନିଆରା ତାଲିକାରେ ସ୍ଥାନ ପାଇବାରେ ପ୍ରଥମ ଖେଳାଳି ହୋଇଛନ୍ତି ଶ୍ରୀଲଙ୍କା ଅଲରାଉଣ୍ଡର ଥିସାରା ପେରେରା। ଆଇପିଏଲ୍ ଇତିହାସର ଦ୍ବିତୀୟ ବିଦେଶୀ ଖେଳାଳି ଭାବେ ପେରେରା ୫ରୁ ଅଧିକ ଦଳ ବା ଫ୍ରାଞ୍ଚାଇଜ ପକ୍ଷରୁ ଖେଳିଛନ୍ତି। ୨୦୧୦ରୁ ୨୦୧୬ ମଧ୍ୟରେ କେବଳ ୨୦୧୪କୁ ଛାଡ଼ି ପ୍ରତିବର୍ଷ ସେ ଭିନ୍ନ ଭିନ୍ନ ଆଇପିଏଲ୍ ଦଳରୁ ଖେଳିଛନ୍ତି। ୨୦୧୬ ମସିହା ପରେ ଆଉ ଆଇପିଏଲ୍ ଖେଳିନଥିବା ଥିସାରା ଚେନ୍ନାଇ ସୁପରକିଙ୍ଗ୍ସ, କୋଚି ଟସ୍କର୍ସ କେରଳ, ମୁମ୍ବାଇ ଇଣ୍ଡିଆନ୍ସ, କିଙ୍ଗ୍ସ ଇଲେଭେନ୍ ପଞ୍ଜାବ, ସନରାଇଜର୍ସ ହାଇଦ୍ରାବାଦ ଓ ରାଇଜିଂ ପୁନେ ସୁପରଜିଆଣ୍ଟ୍ସ ଭଳି ଦଳରୁ ଖେଳିଛନ୍ତି।
ଦୀନେଶ କାର୍ତ୍ତିକ (୬ ଫ୍ରାଞ୍ଚାଇଜ)
ଭାରତୀୟ ୱିକେଟ୍ ରକ୍ଷକ ଦୀନେଶ କାର୍ତ୍ତିକ ଆଇପିଏଲ୍ରେ କେବେ ବି ଗୋଟିଏ ଦଳରେ ତିଷ୍ଠି ରହିପାରିନାହାନ୍ତି। କେବଳ କୋଲକାତା ନାଇଟ୍ ରାଇଡର୍ସକୁ ଛାଡ଼ି ଅନ୍ୟ ସବୁ ଦଳ ପକ୍ଷରୁ ସେ ମାତ୍ର ଦୁଇଟି କିମ୍ବା ତିନିଟି ଋତୁ ଖେଳିଛନ୍ତି। ୨୦୧୮ ମସିହାରେ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ନିଯୁକ୍ତ ହେବା ପୂର୍ବରୁ ଏହି ତାମିଲନାଡୁ ତାରକା ପାଞ୍ଚଟି ଫ୍ରାଞ୍ଚାଇଜର ପ୍ରତିନିଧିତ୍ବ କରିସାରିଥିଲେ। ଏ ପର୍ଯ୍ୟନ୍ତ ୧୮୨ ମ୍ୟାଚ୍ ଖେଳି ସାରିଥିବା କାର୍ତ୍ତିକ ୨୦୦୮ରେ ଦିଲ୍ଲୀ ଡେୟାର ଡେଭିଲ୍ସରେ ନିଜ ଆଇପିଏଲ୍ ଜୀବନ ଆରମ୍ଭ କରିଥିଲେ। ୨୦୧୦ ପର୍ଯ୍ୟନ୍ତ ସେ ଏହି ଦଳରେ ରହିଥିଲେ। ଦିଲ୍ଲୀ ଡେୟାର ଡେଭିଲ୍ସ ପକ୍ଷରୁ ସେ ୪୨ ମ୍ୟାଚ୍ ଖେଳିଥିଲେ। ୨୦୧୧ରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ଯିବା ପରେ ପରବର୍ତ୍ତୀ ଦୁଇ ଋତୁ ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥିଲେ। ୩୫ ବର୍ଷୀୟ କାର୍ତ୍ତିକ ୨୦୧୪ରେ ଦିଲ୍ଲୀ ଡେୟାର ଡେଭିଲ୍ସକୁ ଫେରିବା ସହ ୨୦୧୫ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରରେ ଯୋଗ ଦେଇଥିଲେ। ସେ ମଧ୍ୟ ୨୦୧୬ ଓ ୨୦୧୭ ଋତୁରେ ଗୁଜରାଟ ଲାୟନ୍ସର ପ୍ରତିନିଧିତ୍ବ କରିଥିଲେ।
ପାର୍ଥିବ ପଟେଲ (୬ ଫ୍ରାଞ୍ଚାଇଜ)
ଦୀନେଶ କାର୍ତ୍ତିକଙ୍କ ଭଳି ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲ ମଧ୍ୟ ୬ ଦଳର ପ୍ରତିନିଧିତ୍ବ କରିଛନ୍ତି। ପାର୍ଥିବ ୨୦୦୮ରେ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଆଇପିଏଲ୍ ପଦାର୍ପଣ କରିଥିଲେ। ଏହି ଦଳ ସହ ସେ ୨୦୧୦ ପର୍ଯ୍ୟନ୍ତ ରହିଥିଲେ। ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ସେ କୋଚି ଟସ୍କର୍ସ କେରଳ, ଡେକାନ୍ ଚାର୍ଜର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ଭଳି ତିନିଟି ଦଳରୁ ଖେଳିଥିଲେ। ୨୦୧୪ରେ ସେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ପାଳି ଆରମ୍ଭ କରିବା ସହ ୱିକେଟ୍ ରକ୍ଷକ ଦାୟିତ୍ବ ତୁଲାଇଥିଲେ। ୨୦୧୫ରୁ ୨୦୧୭ ମଧ୍ୟରେ ଲଗାତାର ତିନିଟି ଋତୁ ପାର୍ଥିବ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ରହିଥିଲେ। ୨୦୧୮ରେ ପୁଣି ଥରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଫେରିଥିଲେ। ଚଳିତବର୍ଷ ଏହି ଦଳ ପକ୍ଷରୁ ସେ ଲଗାତାର ତିନିଟି ଋତୁ ଖେଳିବେ।
ଈଶାନ୍ତ ଶର୍ମା (୬ ଫ୍ରାଞ୍ଚାଇଜ)
ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମା ମଧ୍ୟ ଆଜି ପର୍ଯ୍ୟନ୍ତ ୬ଟି ଭିନ୍ନ ଭିନ୍ନ ଦଳ ପକ୍ଷରୁ ଖେଳି ସାରିଲେଣି। ଈଶାନ୍ତ ତାଙ୍କ ଆଇପିଏଲ୍ ଜୀବନ ଦିଲ୍ଲୀ ଡେୟାରଡେଭିଲ୍ସରୁ ଆରମ୍ଭ କରିଥିଲେ। ହେଲେ ତିନିଟି ଅସଫଳ ଋତୁ ପରେ ୨୦୧୧ରେ ତାଙ୍କୁ ଡେକାନ୍ ଚାର୍ଜର୍ସ କିଣିଥିଲା। ଚାର୍ଜର୍ସରୁ ଦୁଇଟି ଋତୁ ଖେଳିବା ପରେ ଈଶାନ୍ତ ଦଳର ପରବର୍ତ୍ତୀ ରୂପ ସନରାଇଜର୍ସ ହାଇଦ୍ରାବାଦରୁ ଖେଳିଥିଲେ। ଏହା ପରେ ୨୦୧୭ରେ ତାଙ୍କୁ ରାଇଜିଂ ପୁନେ ସୁପର ଜିଆଣ୍ଟ୍ସ ନିଜ ଦଳରେ ସାମିଲ କରିଥିଲା। ମାତ୍ର ଗୋଟିଏ ଋତୁ ପରେ କିନ୍ତୁ ଏହି ଦଳ ତାଙ୍କୁ ଚୁକ୍ତିମୁକ୍ତ କରିଥିଲା। ଏହା ପରେ ସେ କିଙ୍ଗ୍ସ ଏକାଦଶ ପଞ୍ଜାବର ପ୍ରତିନିଧିତ୍ବ କରିଥିଲେ। ୨୦୧୯ରେ ସେ ନିଜ ଘରୋଇ ଦଳ ଦିଲ୍ଲୀ କ୍ୟାପିଟାଲ୍ସ (ଦିଲ୍ଲୀ ଡେୟାର ଡେଭିଲ୍ସର ପରିବର୍ତ୍ତିତ ନାଁ)କୁ ଫେରିଥିଲେ।
ଆରୋନ ଫିଞ୍ଚ୍ (୭ ଫ୍ରାଞ୍ଚାଇଜ)
ଏକମାତ୍ର ଖେଳାଳି ଭବେ ଅଷ୍ଟ୍ରେଲିଆ ସୀମିତ ଓଭର ଅଧିନାୟକ ଆରୋନ୍ ଫିଞ୍ଚ୍ ସର୍ବାଧିକ ୭ ଆଇପିଏଲ୍ ଦଳର ପ୍ରତିନିଧିତ୍ବ କରିଛନ୍ତି। ୩୩ ବର୍ଷୀୟ ଫିଞ୍ଚ୍ ଚଳିତ ବର୍ଷ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିବାକୁ ଯାଉଥିଲା ବେଳେ ଏହା ତାଙ୍କର ଅଷ୍ଟମ ଦଳ ହେବ। ଦ୍ରୁତ ବ୍ୟାଟିଂ ପାଇଁ ପରିଚିତ ଫିଞ୍ଚ୍ ୨୦୧୦ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ନିଜ ଆଇପିଏଲ୍ ଜୀବନ ଆରମ୍ଭ କରିଥିଲେ। ହେଲେ ସେହି ବର୍ଷ ରାଜସ୍ଥାନ ପକ୍ଷରୁ ମାତ୍ର ୮ଟି ମ୍ୟାଚ୍ ଖେଳିଥିଲେ। ପରବର୍ତ୍ତୀ ଦୁଇ ଋତୁ ସେ ଦିଲ୍ଲୀ ଡେୟାର ଡେଭିଲ୍ସର ପ୍ରତିନିଧିତ୍ବ କରିଥିଲେ। ୨୦୧୩ରେ ଫିଞ୍ଚ୍ ୧୪ ମ୍ୟାଚ୍ରେ ପୁନେ ୱାରିୟର୍ସ ଦଳର ନେତୃତ୍ବ ନେଇଥିଲେ। ଏହା ପରେ ସନରାଇଜର୍ସ ହାଇଦ୍ରାବାଦ ଯାଇ ୧୩ ମ୍ୟାଚ୍ ଖେଳିଥିଲେ। ୨୦୧୫ ଋତୁରେ ସେ ବିଜେତା ମ୍ବମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ମାତ୍ର ୩ ମ୍ୟାଚ୍ ଖେଳିଥିଲେ। ୨୦୧୬ ଓ ୨୦୧୭ରେ ଗୁଜରାଟ ଲାୟନ୍ସର ପ୍ରତିନିଧିତ୍ବ କରିଥିଲେ। ୨୦୧୮ରେ କିଙ୍ଗ୍ସ ଏକାଦଶ ପଞ୍ଜାବରୁ ଖେଳିବା ପରେ ୨୦୧୯ ଋତୁରୁ ବିଶ୍ବକପ୍ ପାଇଁ ପ୍ରସ୍ତୁତି କରିବା ଲାଗି ଓହରି ଯାଇଥିଲେ।