ଇନ୍ଦୋର : ନାଗପୁର ଓ ଦିଲ୍ଲୀରେ ଦୁଇଟି ଚମତ୍କାର ବିଜୟ ପରେ ବହୁ ଉପରେ ଉଡୁଥିବା ଭାରତୀୟ ଦଳ ଇନ୍ଦୋରରେ ମାଟି କାମୁଡିଛି। ହୋଲକର ଷ୍ଟାଡିୟମ୍ରେ ହୋଇଥିବା ତୃତୀୟ ମ୍ୟାଚ୍ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଶେଷରେ ୯ ୱିକେଟ୍ରେ ଘରୋଇ ଦଳକୁ ମାତ୍ ଦେଇଥିଲା। ଟର୍ଣ୍ଣିଂ ପିଚ୍ରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ରୋହିତ ଶର୍ମା ଯେଉଁ ରିସ୍କ ନେଇଥିଲେ ତାହାର ପରିଣାମ ଦଳକୁ ଭୋଗିବାକୁ ପଡ଼ିଥିଲା। ଯାହାର ଫଳସ୍ବରୂପ ଅଷ୍ଟ୍ରେଲୀୟ ସ୍ପିନରଙ୍କ ଆଗରେ ବ୍ୟାଟିଂ କ୍ରମ ଭୁଶୁଡ଼ି ପଡ଼ିବା ସହ ଭାରତ ୨୦୦ ରନ୍ ବି ଅତିକ୍ରମ କରିପାରିନଥିଲା। ତେବେ ଭାରତର ଏହି ଦୟନୀୟ ପ୍ରଦର୍ଶନ ପାଇଁ କେଉଁ କାରଣଗୁଡ଼ିକ ଦାୟୀ ତାହା ଉପରେ ନଜର ପକାଇବା...
ଜାଦେଜାଙ୍କ ମହଙ୍ଗା ନୋ ବଲ୍
ମାର୍ନସ ଲବୁସାନ୍ଙ୍କୁ ରବୀନ୍ଦ୍ର ଜାଦେଜା ଖାତା ଖୋଲିବା ପୂର୍ବରୁ ବୋଲ୍ଡ କରିଥିଲେ। କିନ୍ତୁ ବୋଲିଂ କଲା ବେଳେ ପାଦ କ୍ରିଜ୍ ଆଗକୁ ଚାଲିଯାଇଥିବାରୁ ତାହା ନୋ ବଲ୍ ହୋଇଯାଇଥିଲା। ଯାହାର ଫଳସ୍ବରୂପ ଲବୁସାନ୍ ୩୧ ରନ୍ କରିବା ସାଙ୍ଗକୁ ଦ୍ବିତୀୟ ୱିକେଟ୍ରେ ଉସ୍ମାନ୍ ଖୱାଜାଙ୍କ ସହ ୯୬ ରନ୍ ଯୋଡ଼ିଥିଲେ। ଏହି ଭାଗୀଦାରି ଭାରତକୁ ପଛକୁ ଠେଲିବାକୁ ବାଧ୍ୟ କରିଥିଲା।
ଡିଆର୍ଏସ୍ରେ ତ୍ରୁଟି
ଭାରତର କେତେକ ଅନାବଶ୍ୟକ ଡିଆର୍ଏସ୍ ରିଭ୍ୟୁ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଖୱାଜାଙ୍କ ବିପକ୍ଷରେ ଡିଆର୍ଏସ୍ ନେବାକୁ ଜାଦେଜା ଦୁଇଥର ରୋହିତ ଶର୍ମାଙ୍କୁ ବାଧ୍ୟ କରିଥିଲେ। ହେଲେ ଦୁଇଟି ଯାକ ଭୁଲ୍ ପ୍ରମାଣିତ ହୋଇଥିଲା। ଯେଉଁଥିପାଇଁ ଡିଆର୍ଏସ୍ ଆବେଦନ ଉପରେ ରୋହିତ ସନ୍ଦେହ କରିବା ଆରମ୍ଭ କରିଥିଲେ। ଏପରିକି ୧୧ତମ ଓଭରରେ ଲବୁସାନ୍ଙ୍କୁ ରବିଚନ୍ଦ୍ରନ ଅଶ୍ବିନ୍ ଏଲ୍ବିଡବ୍ଲୁ କରିଥିଲେ ବି ଅମ୍ପାୟାର ତାହାକୁ ନାକଚ କରିଥିଲେ। କିନ୍ତୁ ଅଶ୍ବିନ ଡିଆର୍ଏସ୍ ପାଇଁ ରୋହିତଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେ ଭରସା କରିପାରିନଥିଲେ। ଯଦି ଡିଆର୍ଏସ୍ ନିଆଯାଇଥା’ନ୍ତା ତାହେଲେ ଲବୁସାନଙ୍କ ୱିକେଟ୍ ମିଳିଥା’ନ୍ତା ଓ ସେ ୭ ରନ୍ କରିଥିଲା ବେଳେ ଆଉଟ୍ ହୋଇଥା’ନ୍ତେ।
ଉଭୟ ପାଳିରେ ଦୁର୍ବଳ ବ୍ୟାଟିଂ
ମ୍ୟାଚ୍ର ଉଭୟ ପାଳିରେ ଭାରତୀୟ ବ୍ୟାଟିଂକ୍ରମ ଧ୍ବସ୍ତ ହୋଇଯାଇଥିଲା। ସ୍ପିନରଙ୍କୁ ଭଲ ଖେଳୁଥିବାର ପରିଚୟ ବହନ କରୁଥିବା ଭାରତୀୟ ବ୍ୟାଟିଂକ୍ରମ ହୋଲକର ଷ୍ଟାଡିୟମ୍ରେ ବିଫଳ ହୋଇଥିଲା। ଭ୍ରମଣକାରୀ ଦଳର ମାଥ୍ୟୁ କୁହ୍ନେମାନ୍ ତାଙ୍କର ଦ୍ବିତୀୟ ଟେଷ୍ଟ ଖେଳୁଥିଲେ ବି ୯ ଓଭର ଭିତରେ ୫ ୱିକେଟ୍ ଖସାଇ ଦେଇଥିଲେ। ଯେଉଁଥିପାଇଁ ଭାରତର ପ୍ରଥମ ପାଳି ୧୦୯ ରନ୍ରେ ଅଟକି ଯାଇଥିଲା। ଦ୍ବିତୀୟ ପାଳିରେ ନାଥନ୍ ଲାୟନ୍ଙ୍କ ଅବିଶ୍ବସନୀୟ ବୋଲିଂ (୮/୬୪) ପ୍ରଦର୍ଶନ ଆଗରେ ଭାରତ କେବଳ ୧୬୩ ରନ୍ କରିପାରିଥିଲା।
ରୋହିତ, କୋହଲିଙ୍କ ବ୍ୟାଟ୍ ଶାନ୍ତ ପଡ଼ିବା
ଭାରତୀୟ ଦଳର ଦୁଇ ବରିଷ୍ଠ ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବ୍ୟାଟ୍ରୁ ରନ୍ ନବାହାରିବା ଅଧିକ ନିରାଶ କରିଛି। ରୋହିତ ପ୍ରଥମ ପାଳିରେ ୧୨ ରନ୍ କରି କୁହ୍ନେମାନ୍ଙ୍କ ବଲ୍ରେ ଷ୍ଟମ୍ପିଂ ହୋଇଥିଲା ବେଳେ ଦ୍ବିତୀୟ ପାଳିରେ ସମାନ ରନ୍ କରିଥିଲା ବେଳେ ଲାୟନ ତାଙ୍କୁ ଆଉଟ୍ କରିଥିଲେ। କୋହଲି ପ୍ରଥମ ପାଳିରେ ଭଲ ଲୟରେ ଆସୁଥିବା ଭଳି ଲାଗୁଥିଲେ ମଧ୍ୟ ଆଗକୁ ବଢିପାରିନଥିଲେ। ଯେଉଁଥିପାଇଁ ୨୨ ରନ୍ କରିଥିଲା ବେଳେ ଟଡ୍ ମର୍ଫିଙ୍କ ଦ୍ବାରା ଏଲ୍ବିଡବ୍ଲୁ ହୋଇଥିଲେ। ଦ୍ବିତୀୟ ପାଳିରେ ଖରାପ ସଟ୍ ଚୟନ ଯୋଗୁଁ କୁହ୍ନେମାନ୍ଙ୍କ ତଳୁଆ ବଲ୍ରେ ଏଲ୍ବିଡବ୍ଲୁ ହୋଇ ୧୩ ରନ୍ରେ ଆଉଟ୍ ହୋଇଥିଲେ।
ଏକା ଲଢିଲେ ପୂଜାରା
ଏକ କଷ୍ଟସାଧ୍ୟ ପିଚ୍ରେ କେବଳ ଚେତେଶ୍ବର ପୂଜାରା ଅଷ୍ଟ୍ରେଲୀୟ ବୋଲରଙ୍କୁ ଦମ୍ଭର ସହ ସାମ୍ନା କରିଥିଲେ। ଲାୟନ୍, ମର୍ଫି ଓ କୁହ୍ନେମାନ୍ ବଲ୍କୁ ଅଧିକ ଟର୍ଣ୍ଣ ଓ ବାଉନ୍ସ କରାଉଥିଲେ ବି ପୂଜାରା ଗୋଟିଏ ପଟରୁ ପାଳି ସମ୍ଭାଳିଥିଲେ। ସେ ଏକମାତ୍ର ଭାରତୀୟ ବ୍ୟାଟର ଭାବେ ଅର୍ଦ୍ଧଶତକ (୫୯) ଅର୍ଜନ କରିଥିଲା ବେଳେ ଶ୍ରେୟସ ଆୟର (୨୬) ଦ୍ବିତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଥିଲେ। ଯଦି ଶୀର୍ଷକ୍ରମର କେହି ଜଣେ ବି ପୂଜାରାଙ୍କୁ ସହଯୋଗ କରିଥା’ନ୍ତେ, ତାହେଲେ ଏକ ଲଢୁଆ ଲକ୍ଷ୍ୟ ଧାର୍ଯ୍ୟ ହୋଇପାରିଥା’ନ୍ତା।