ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍ ପାଇଁ ୫ ପଡ଼ିଆ ପ୍ରସ୍ତୁତ: କ୍ରୀଡ଼ା ଭିତ୍ତିଭୂମି କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ନିର୍ମାଣାଧୀନ ଥିବା ବିଭିନ୍ନ କ୍ରୀଡ଼ା‌ ଭିତ୍ତିଭୂମି କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ମଙ୍ଗଳବାର ବିଭାଗୀୟ ଅଧିକାରୀମାନଙ୍କୁ ସମୀକ୍ଷା ବୈଠକରେ ନିର୍ଦେଶ ଦେଇଛନ୍ତି ।
ମଙ୍ଗଳବାର ପୂର୍ବାହ୍ନରେ ଲୋକସେବା ଭବନରେ ହୋଇଥିବା ସମୀକ୍ଷା ବୈଠକରେ ହାଇ-ପରଫର୍ମାନ୍ସ ସେଣ୍ଟରର ପରିଚାଳନା, ନୂତନ କ୍ରୀଡ଼ା ନୀତି, କଳିଙ୍ଗ ଇଣ୍ଟିଗ୍ରେଟେଡ୍‌ ସ୍ପୋଟର୍ସ କମ୍ପ୍ଲେକ୍ସ ନିର୍ମାଣ, କ୍ରୀଡ଼ାବିତ୍‌ଙ୍କୁ ପରିଚୟ ପତ୍ର ପ୍ରଦାନ, କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ହଷ୍ଟେଲର ସଂପ୍ରସାରଣ ଏବଂ କୋଭିଡ୍‌ ଯୋଗୁଁ ଧିମେଇ ଯାଇଥିବା ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟର ଅଗ୍ରଗତି ନେଇ ସବିଶେଷ ଆଲୋଚନା ହୋଇଥିଲା।

ଏଥି ସହିତ ରାଉରକେଲାରେ ନିର୍ମାଣାଧୀନ ହକି ଷ୍ଟାଡିୟମ୍‌ର କାର୍ଯ୍ୟ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ପଡ଼ିଆରେ ସିନ୍ଥେଟିକ୍‌ ଟର୍ଫ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ମନ୍ତ୍ରୀ ଶ୍ରୀ ବେହେରା ପଚାରି ବୁଝିଥିଲେ। ୫,୫୦୦ ଜଣ ପିଇଟି ଶିକ୍ଷକଙ୍କୁ ବିଭାଗ ପକ୍ଷରୁ ତାଲିମ ପ୍ରଦାନ କରାଯାଇଥିବାରୁ ମନ୍ତ୍ରୀ ଖୁସି ଜାହିର କରିଥିଲେ। ଫିଫା ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ ପ୍ରତିଯୋଗିତା ପାଇଁ ଭୁବନେଶ୍ୱରରେ ୫ଟି ପଡ଼ିଆ ପ୍ରସ୍ତୁତ ହୋଇସାରିଛି। କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ନିର୍ମାଣାଧୀନ ହଷ୍ଟେଲ ନିର୍ମାଣ ଖୁବ୍‌ଶୀଘ୍ର ଶେଷ ହୋଇଯିବ। ଏଥି ସହିତ କଳିଙ୍ଗ ଷ୍ଟାଡିୟମ୍‌ର ସଂପ୍ରସାରଣ କାର୍ଯ୍ୟ ଯଥା ଟେନିସ୍‌ କୋର୍ଟ, ଜଳକ୍ରୀଡ଼ା କମ୍ପ୍ଲେକ୍ସ, ସୁଇମିଂ ପୁଲ, ଆଥ୍‌ଲେଟିକ୍ସ ଏଚ୍‌ପିସି ବିଲ୍‌ଡିଂ, ଅଫିସିଆଲ୍‌ମାନଙ୍କ ରହଣି କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। କ୍ରୀଡ଼ାବିତ୍‌ଙ୍କୁ ଅନ୍ତର୍ଜାତୀୟ ସ୍ତରର ତାଲିମ ଦିଆଯିବା ସହ ବର୍ତ୍ତମାନ ସୁଦ୍ଧା ୧୧ଟି ଏଚ୍‌ପିସି ମଧ୍ୟରୁ ୯ଟି କାର୍ଯ୍ୟକ୍ଷମ ହୋଇଛି ଅଧିକାରୀମାନେ ଏହି ଅବସରରେ ସୂଚନା ଦେଇଥିଲେ। ବୈଠକରେ କ୍ରୀଡ଼ା ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ସ୍ୱତନ୍ତ୍ର ସଚିବ ଆର୍‌. ଭିନିଲ୍‌ କ୍ରିଷ୍ଣା, ଉପଶାସନ ସଚିବ ରଂଜିତ କୁମାର ପରିଡ଼ା ଏବଂ ଶୈଳେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର