ଧୋନିଙ୍କ ବ୍ୟାଟିଂ ପୋଜିସନ୍‌କୁ ନେଇ ଥଟ୍ଟା କଲେ ଫ୍ଲେମିଂ

ଛାନିଆ ନ ହେବା ଚେନ୍ନାଇ ଗୁଣ, ଖେଳାଳିଙ୍କ ଉପରେ ଧୋନିଙ୍କ ବିଶ୍ବାସ ବଡ଼ କଥା: ବ୍ରେଟ୍ ଲି’

ଦୁବାଇ: କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ବିପକ୍ଷ ୧୦ ୱିକେଟ୍‌ ବିଜୟ ପରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍ ଫ୍ଲେମିଂ ଖୁସୀ ହୋଇଛନ୍ତି। ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟିଂ ପୋଜିସନ୍‌କୁ ନେଇ ହେଉଥିବା ଚର୍ଚ୍ଚା ପ୍ରସଙ୍ଗରେ ଥଟ୍ଟା ପରିହାସ କରି ଫ୍ଲେମିଂ କହିଛନ୍ତି ‘ସମ୍ଭବତଃ ଧୋନି ଏକ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ଉଚିତ ଥିଲା’। ଧୋନି ପ୍ରଥମ କିଛି ମ୍ୟାଚ୍‌ରେ କ୍ରମେ ୭,୬,୫ ନମ୍ବରରେ ଆସିଥିଲେ ମଧ୍ୟ ରନ୍‌ ଚାପ କାରଣରୁ ଦଳକୁ ଜିତାଇ ପାରିନଥିଲେ। ଏଥି ପାଇଁ ସେ ଢେର ସମାଲୋଚିତ ହୋଇଥିଲେ। ରବିବାର କିନ୍ତୁ ‌ସିଏସ୍‌କେ ୧୦ ୱିକେଟ୍‌ରେ ଜିତିବାରୁ ତାଙ୍କୁ ବ୍ୟାଟିଂ କରିବାକୁ ଆସିବାକୁ ପଡ଼ିନଥିଲା। ମ୍ୟାଚ୍ ଚାଲିଥିବା ବେଳେ ପଡ଼ିଆରେ ଥିବା କିଂବଦନ୍ତି ବ୍ୟାଟ୍ସମ୍ୟାନ୍‌ ଗାଭାସ୍କର କହିଥ‌ିଲେ ‘ଚେନ୍ନାଇ ଯଦି କୌଣସି ୱିକେଟ୍ ନ ହରାଇ ଜିତେ ତେବେ ଧୋନିଙ୍କ ବ୍ୟାଟିଂ ନମ୍ବର ଚର୍ଚ୍ଚା ହେବ ନାହିଁ, ଏହା ନୁହେଁ କି?’ ଏହାର ଉତ୍ତର ଦେବାକୁ ଯାଇ ଫ୍ଲେମିଂ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ‘‘ମୁଁ ପ୍ରତି ଥର ସାମ୍ବାଦିକ ସମ୍ମିଳନୀ ଆସିଲେ ଧୋନିଙ୍କ ବ୍ୟାଟିଂ ପୋଜିସନ୍‌ ସମ୍ପର୍କିତ ପ୍ରଶ୍ନକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିଥାଏ। ଏକ ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ପ୍ରଶ୍ନ ଆସିଲେ ମୁଁ ହଁ କହିବାକୁ ବି ପସନ୍ଦ କରନ୍ତି’’ ବୋଲି ଫ୍ଲେମିଂ ମଜାରେ ମଜାରେ ପ୍ରକାଶ କରିଥିଲେ। ଗତ ମ୍ୟାଚ୍‌ରେ ଧୋନି ୫ ନମ୍ବରରେ ବ୍ୟାଟିଂ କରିଥିଲେ ମଧ୍ୟ ହାଇଦ୍ରାବାଦ ନିକଟରୁ ସିଏସ୍‌କେ ୧୮ ରନ୍‌ରେ ହାରିଯାଇଥିଲା। କେଦାର ଯାଦବଙ୍କ ପୂର୍ବରୁ କାହିଁକି ଧୋନି ଆସିଲେ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ହେବାରୁ ‌ଫ୍ଲେମିଂ ନିୟନ୍ତ୍ରଣ ହରାଇ ବିରକ୍ତଭାବ ପ୍ରକାଶ କରିଥିଲେ। ସେହିଭଳି ଆକାଶ ଚୋପ୍ରାଙ୍କ ମନ୍ତବ୍ୟ ଉପରେ ମଧ୍ୟ ଫ୍ଲେମିଂ ନିଜ ମନ୍ତବ୍ୟ ରଖି କହିଥିଲେ ‘ଦଳରେ ଯୁବ ଖେଳାଳି ଅଛନ୍ତି ମାନେ ଏହା ଏକ ବିରୋଧାଭାସର କଥା’।

ଏମିତି ନୁହେଁ ଯେ‌ ଫ୍ଲେମିଂଙ୍କ ସହ ତର୍କ ହୁଏନି: ଧୋନି
ପଞ୍ଜାବ ବିପକ୍ଷ ବଡ଼ ବିଜୟ ପରେ ୩ ଥର ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍ସ ପରାଜୟ ଧାରା ଭାଙ୍ଗିଥିବାରୁ ଆଶ୍ବସ୍ତ ହୋଇଛି। ମ୍ୟାଚ୍‌ ପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପଡ଼ିଆ ଭିତରେ କିଭଳି ଯୋଜନାକୁ କାର୍ଯ୍ୟକାରୀ କରାଯାଏ ତାହା ପ୍ରକାଶ କରିଥିଲେ। ଏସବୁର ଶ୍ରେୟ ଫ୍ଲେମିଂକୁ ବି ଦେଇଥିଲେ। ଫ୍ଲେମିଂଙ୍କୁ ଯେଭଳି ସ୍ବୀକୃତି ମିଳିବା କଥା ତାହା ମିଳିନାହିଁ ବୋଲି ମଧ୍ୟ କହିଥିଲେ। ଦଳ ଚୟନରେ ସମ୍ପର୍କିତ ଚର୍ଚ୍ଚା ଉପରେ ମତ ରଖି ଧୋନି କହିଥ‌ିଲେ ଆମେ ସବୁକିଛି ମିଳିତ ଭାବେ ନିଷ୍ପତ୍ତି ନେଇଥାଉ, ଏହା ଦଳ ପାଇଁ ସବୁଠାରୁ ଭଲ କଥା। ଏହା ନୁହେଁ ଯେ, ଖେଳାଳି ଚୟନ କିମ୍ବା ବ୍ୟାଟିଂ ପୋଜିସନ୍ ହେଉ ଏହାକୁ ନେଇ ଫ୍ଲେମିଂଙ୍କ ସହ ମୋର ଆଦୌ ଯୁକ୍ତିତର୍କ ହୁଏନାହିଁ। ସମାନ ଯୋଜନା ଏବଂ ଦଳକୁ ନେଇ ଆମେ ବି ସଫଳ ହୋଇଛୁ। କାରଣ ପଡ଼ିଆ ଭିତରେ ଆମ ଯୋଜନା ଠିକଣାଭାବେ କାର୍ଯ୍ୟକାରୀ ହୋଇପାରିଥିଲା। ପ୍ରଶିକ୍ଷକ ଗୋଟିଏ ଦିଶାରେ, ଅଧିନାୟକ ଅନ୍ୟ ଦିଗରେ ଯିବା ନିଶ୍ଚିତ ଭାବେ କଷ୍ଟସାଧ୍ୟ ଏବଂ ଦ୍ବନ୍ଦ୍ବ ସୃଷ୍ଟି କରିଥାଏ। ସୂଚନାଯୋଗ୍ୟ, ବାରମ୍ବାର ବିଫଳ ହେବା ସ‌ତ୍ତ୍ବେ ସିଏସ୍‌କେ ସେନ୍ ୱାଟସନ୍‌ଙ୍କ ଉପରେ ଭରସା ରଖିବାରୁ ସେ ରବିବାର ରାତିରେ ୫୩ ବଲରୁ ୮୩* ରନ୍ କରି ଚେନ୍ନାଇକୁ ୧୦ ୱିକେଟ୍ ବିଜୟ ଦେବାରେ ପ୍ରମୁଖ ଭୂମିକା ତୁଲାଇଥିଲେ।

ଖେଳାଳିଙ୍କ ଉପରେ ଧୋନିଙ୍କ ବିଶ୍ବାସ ବଡ଼ କଥା: ବ୍ରେଟ୍ ଲି’
ଚେନ୍ନାଇ ସୁପର୍‌ କିଙ୍ଗ୍ସର ସଫଳ ପ୍ରତ୍ୟାବର୍ତନର ନିଗୁଢ଼ ମନ୍ତ୍ର କହିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ବ୍ରେଟ୍ ଲି। ଖେଳାଳିଙ୍କୁ ଅସମୟରେ ସମର୍ଥନ ଜାରି ରଖିବାରେ ଧୋନିଙ୍କ ଭଳି ଅନ୍ୟ କହି କରନ୍ତି ନାହିଁ। ଏହାର ଅନ୍ୟତମ ଉଦାହରଣ ମଧ୍ୟ ଦଳ ରବିବାର ରାତିରେ ଦେଖାଇଥିଲା। ପୂର୍ବ ୪ ମ୍ୟାଚ୍‌ରୁ ମାତ୍ର ୫୨ ରନ୍ କରିଥିବା ସେନ୍ ୱାଟସନ୍‌ ଦଳରୁ ବାଦ୍ ପଡ଼ିବା ସ୍ଥିତିରେ ଥିଲେ ଏହା ସେ କରିନଥିଲେ। ଏପରିକି ଦଳ ହ୍ୟାଟ୍ରିକ୍ ପରାଜୟ ବରଣ କରିଥିଲେ ମଧ୍ୟ ମ୍ୟାଚ୍‌କୁ ବିନା ଖେଳାଳି ପରିବର୍ତନରେ ଖେଳିଥିଲା। ଏଥିରୁ ଖେଳାଳିଙ୍କ ଉପରେ ଧୋନିଙ୍କ ଭରସାର ପ୍ରମାଣ ମିଳେ ବୋଲି ଲି ପ୍ରକାଶ କରିଛନ୍ତି।

ଛାନିଆ ନ ହେବା ଚେନ୍ନାଇ ଗୁଣ
ଚେନ୍ନାଇ ସୁପର୍‌ କିଙ୍ଗ୍ସର ସଫଳତାର ଅନ୍ୟଏକ ପ୍ରମୁଖ କାରଣ କହିଛନ୍ତି ପୂର୍ବତନ ଇଂଲଣ୍ଡ ଅଫସ୍ପିନର୍ ଗ୍ରେମ୍ ସ୍ବାନ୍‌। ସିଏସ୍‌କେ ଦଳ କେବେ ଛାନିଆ ହୁଏ ନାହିଁ କି କାହାକୁ ଭୟ କରେ ନାହିଁ। ଏହି ଗୁଣ ଥିବାରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସ ଏତେ ଟ୍ରଫି ଜିତିଛି। ସେନ୍ ୱାଟସନଙ୍କ ପରେ ଭରସା ରଖିବାର ଫଳ ପାଇବା ପରେ ଗ୍ରେମ୍ ସ୍ବାନ୍ ମଧ୍ୟ ପ୍ରଶଂସା କରିଛନ୍ତି। ଏଥି ପାଇଁ ଧୋନି ଏବଂ ତାଙ୍କ ଦଳୀୟ ସାଥୀମାନଙ୍କୁ ସାବାସୀ ମିଳିବା ଉଚିତ। ଦୁଇ ବର୍ଷ ତଳେ ମଧ୍ୟ ଆଇପିଏଲ୍‌ର ପ୍ରଥମାର୍ଧରେ ୱାଟସନ୍‌ ସମ୍ପୂର୍ଣ୍ଣ ବିଫଳ ଥିଲେ, କିନ୍ତୁ ଭରସା ରଖିଥିବରୁ ସେ ଫାଇନାଲରେ ଚମତ୍କାର ଶତକ ହାସଲ କରିଥିଲେ ବୋଲି ମଧ୍ୟ ସ୍ବାନ୍ ମନେ ପକାଇ ଦେଇଥିଲେ।

ରାହୁଲ-ମୟଙ୍କଙ୍କ ସହ ମାହିଙ୍କ ଆଲୋଚନା
ରବିବାର ରାତିର ଦୁଇ କିଙ୍ଗ୍ସ ଲଢ଼େଇ ପରେ ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଧ୍ୟ ପଞ୍ଜାବ ପ୍ରାରମ୍ଭିକ ଯୋଡ଼ି ମୟଙ୍କ ଅଗ୍ରୱାଲ ଏବଂ କେଏଲ୍ ରାହୁଲଙ୍କ ବିଶେଷଜ୍ଞଙ୍କ ଆଲୋଚନାରେ ସାମିଲ ହୋଇଥିଲେ। ଧୋନି ଏହି ଅବସରରେ ଦୁଇ ଭାରତୀୟ ଖେଳାଳିଙ୍କୁ ମଧ୍ୟ ସାବାସୀ ଜଣାଇଥିଲେ। ଅଗ୍ରୱାଲ ଟେଷ୍ଟ୍ ଦଳର ନିୟମିତ ସଦସ୍ୟ ଥିବାବେଳେ ରାହୁଲ ସୀମିତ ଓଭର ଦଳରେ ମଧ୍ୟ ନିଜ ସ୍ଥାନ ପକ୍କା କରି ସାରିଛନ୍ତି। ଧୋନିଙ୍କ ଅବସର ପରେ ରାହୁଲ ମଧ୍ୟ ୱିକେଟରକ୍ଷଣ ଦାୟିତ୍ବ ସମ୍ଭାଳୁଛନ୍ତି।

ସମ୍ବନ୍ଧିତ ଖବର