ମସ୍କୋ: ଆର୍ଜେଣ୍ଟିନାର ମହାନ ଖେଳାଳି ଲିଓନେଲ୍ ମେସିଙ୍କ ପେନାଲ୍ଟି ସଟ୍କୁ ରୋକିବା ପରେ ଆଇସ୍ଲାଣ୍ଡର ଅପରିଚିତ ଗୋଲ୍ରକ୍ଷକ ହେଲ୍ସ ହାଲଡରସନ୍ ଫୁଟବଲ୍ ଜଗତର ନୂଆ ନାୟକ ଭାବେ ଉଭା ହୋଇଛନ୍ତି। ତାଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚା। ରାତାରାତି ସେ ସାରା ବିଶ୍ୱରେ ପରିଚିତ ହୋଇ ଯାଇଛନ୍ତି। ମେସିଙ୍କ ଭଳି ଖେଳାଳିଙ୍କୁ ଗୋଲ୍ ଦେବାରୁ ରୋକି ନିଜ ଦଳକୁ ଐତିହାସିକ ‘ଅମୀମାଂସିତ’ ପ୍ରଦାନ କରିବା ପରେ ହାଲଡରସନ୍ ହଠାତ୍ ନିଜ ଦେଶରେ ହିରୋର ମର୍ଯ୍ୟାଦା ଲାଭ କରିଛନ୍ତି। ୩୪ ବର୍ଷୀୟ ହାଲଡରସନ୍ ଏହି ଅପ୍ରତ୍ୟାଶିତ ପ୍ରସିଦ୍ଧି ଲାଭ କରିବା ପୂର୍ବରୁ କିନ୍ତୁ ଭୂତ ଚଳଚ୍ଚିତ୍ର ନିର୍ମାଣ କରି ଗୁଜୁରାଣ ମେଣ୍ଟାଉଥିଲେ। ସେହିଭଳି ୟୁ ଟ୍ୟୁବରେ ମେସିଙ୍କ ପେନାଲ୍ଟି ସଟ୍କୁ ଦେଖି ଦେଖି ହିଁ ସେ ତାଙ୍କୁ ରୋକିବାର ସୂତ୍ର ପାଇ ଯାଇଥିଲେ। ଶନିବାର ଆର୍ଜେଣ୍ଟିନା-ଆଇସଲାଣ୍ଡ ମୁକାବିଲାର ସେ ୬୪ ମିନିଟ୍ରେ ମେସିଙ୍କୁ ଗୋଲ୍ରୁ ବଞ୍ଚିତ କରିବା ପରେ ଦୁଇ ଥର ବିଜେତା ଆର୍ଜେଣ୍ଟିନା ନିଜ ପ୍ରଥମ ମ୍ୟାଚ୍ରେ ପଏଣ୍ଟ ବାଣ୍ଟିବାକୁ ବାଧ୍ୟ ହୋଇଥିଲା। ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ରୋକି ଆଇସ୍ଲାଣ୍ଡ ଐତିହାସିକ ସଫଳତା ପାଇଥିଲା। ୨୦୧୧ରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିବା ହାଲଡରସନ୍ ଆଇସଲାଣ୍ଡ ପକ୍ଷରୁ ୪୯ ମ୍ୟାଚ୍ ଖେଳିଛନ୍ତି। ହେଲେ ଫୁଟବଲ୍ ଜୀବନର ପ୍ରଥମ ସୋପାନରେ ଦୁର୍ଭାଗ୍ୟଜନକ ଭାବେ କୌଣସି ବଡ଼ କ୍ଲବରୁ ଖେଳିବାର ସୁଯୋଗ ପାଇ ନଥିଲେ। ସେଥିପାଇଁ ପେସାଦାର ଫୁଟବଲ୍ ଖେଳିବା ପୂର୍ବରୁ ହାଲଡରସନ୍ ଭୂତ ଚଳଚ୍ଚିତ୍ର ନିର୍ମାଣରେ ସକ୍ରିୟ ଥିଲେ। ଏପରିକି କେତେକ ଚଳଚ୍ଚିତ୍ରରେ ସେ ନିର୍ଦେଶନା ବି ଦେଇଥିଲେ। ହେଲେ ଏହା ପରେ ନରେଓ୍ଵ ଯାଇ ସେଠାରେ କ୍ଲବ୍ ଫୁଟବଲ୍ ଖେଳି ଜାତୀୟ ଦଳରେ ସ୍ଥାନ ପାଇଥିଲେ। ବିଶ୍ୱକପ୍ ପରେ ଘରକୁ ଫେରି ହାଲଡରସନ୍ କିନ୍ତୁ ପୁଣି ଚଳଚ୍ଚିତ୍ର ଦୁନିଆରେ ପାଦ ଥାପିବାର ସମ୍ଭାବନା ରହିଛି।
ଅଫ୍ ସାଇଡ୍: ଚଳଚ୍ଚିତ୍ର ନିର୍ମାତାରୁ ଚର୍ଚିତ ଗୋଲ୍ ରକ୍ଷକ
/sambad/media/post_attachments/wp-content/uploads/2018/06/Hannes-Halldorssons2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)