ନାଗପୁର: ଆସନ୍ତା ୯ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ୍‌ ଶୃଙ୍ଖଳା ଆରମ୍ଭ ହେବ। ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ସକୁ ଯୋଗ୍ୟତା ହାସଲ ପାଇଁ ଏହା ଭାରତ ନିକଟରେ ଶେଷ ଶୃଙ୍ଖଳା ଥିବାରୁ ଗୁରୁତ୍ବ ବହନ କରୁଛି। ଏହି ଶୃଙ୍ଖଳାକୁ ୪-୦ରେ ଜିତିଲେ ଭାରତ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ଖେଳିବାକୁ ଯୋଗ୍ୟ ହୋଇଯିବ। ତେଣୁ ଏହି ଶୃଙ୍ଖଳାରେ ବିଶେଷକରି ଫିଲ୍‌ଡିଂ ଏବଂ କ୍ଲୋଜ୍‌ ଇନ୍‌ କ୍ୟାଚିଂ (ମୁଖ୍ୟତଃ ସ୍ଲିପ୍‌ କ୍ୟାଚିଂ) ଉପରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି ରବିବାର କହିଛନ୍ତି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ। ଭାରତୀୟ ଦଳର ସ୍ଲିପ୍‌ ଫିଲ୍‌ଡରମାନଙ୍କ ପ୍ରଦର୍ଶନ ଅତୀତରେ ଚିନ୍ତାର କାରଣ ଥିଲା। ତେଣୁ ପ୍ରସ୍ତୁତି ଶିବିର ଅବସରରେ ସ୍ଲିପ୍‌ କର୍ଡନକୁ ଅଧିକ ଶକ୍ତିଶାଳୀ କରିବାକୁ ଦଳ ଚେଷ୍ଟା ଜାରି ରଖିଥିବା ଦ୍ରାବିଡ କହିଛନ୍ତି। ପ୍ରତ୍ୟେକ ଖେଳାଳି ବାସ୍ତବରେ ଭଲ ଫର୍ମରେ ଅଛନ୍ତି।

Advertisment

ପୁଣି ଥରେ ଟେଷ୍ଟ୍‌ ଦଳ ଏକାଠି ହେବା ଖୁବ୍‌ ଭଲ ସୂଚନା। ଗତ କିଛି ମାସ ଧରି ଆମ ନିକଟରେ ଯଥେଷ୍ଟ ସଂଖ୍ୟକ ଧଳା ବଲ୍‌ କ୍ରିକେଟର୍‌ ରହିଥିଲେ। ସେମାନଙ୍କ ମଧ୍ୟରୁ କେତେକ ଧଳା ବଲ୍‌ରୁ ନାଲି ବଲ୍‌ କ୍ରିକେଟ୍‌କୁ ଆସିଛନ୍ତି। ସେମାନେ ମଧ୍ୟ ନେଟ୍‌ସରେ ଅଧିକ ସମୟ ଖଟୁଛନ୍ତି। ପରିବେଶ ଠିକ୍‌ଠାକ୍‌ ରହିଛି ବୋଲି ଦ୍ରାବିଡ କହିଛନ୍ତି। ଭାରତ ଏବେ ଗୁରୁବାରଠୁ ପ୍ରଥମ ଟେଷ୍ଟ୍‌ ଖେଳାଯିବାକୁ ଥିବା ନାଗପୁରର ଭିସିଏ ଷ୍ଟାଡିୟମ୍‌ରେ ପ୍ରସ୍ତୁତି ଚଳାଇଛି। ଏଥିରେ ଫିଲ୍‌ଡିଂକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଏହା ସହିତ ସ୍ଲିପ୍‌ କ୍ୟାଚିଂ ମଧ୍ୟ ଶୃଙ୍ଖଳାରେ ଗୁରୁତ୍ବପୂର୍ଣ୍ଣ ବୋଲି ଖେଳାଳିମାନଙ୍କୁ ଚେତାଇ ଦିଆଯାଇଛି। ପ୍ରସ୍ତୁତି ଶିବିରରେ କୋଚିଂ ଷ୍ଟାଫ୍‌ମାନେ ମଧ୍ୟ କଠିନ ପରିଶ୍ରମ କରୁଛନ୍ତି। ଖେଳାଳିମାନଙ୍କୁ ସଠିକ୍‌ ମାର୍ଗଦର୍ଶନ କରାଉଛନ୍ତି। ଆମେ ନାଗପୁରରେ ଅଧିକ ଦିନ ଅଭ୍ୟାସ କରିବାର ଲକ୍ଷ୍ୟ ରଖିଥିଲୁ। ହେଲେ ଏବେ ମାତ୍ର ୫/୬ ଦିନ ସମୟ ଆମକୁ ମିଳିଛି। ଏହାସତ୍ତ୍ବେ ଆମେ ଖୁସି। ଆସନ୍ତା ସପ୍ତାହକୁ ମଧ୍ୟ ଆମେ ଉତ୍କଣ୍ଠାର ସହ ଚାହିଁରହିଛୁ। ଆମ ପରିଶ୍ରମର ମୂଲ୍ୟ ପାଇବାକୁ ବ୍ୟାକୁଳ ରହିଛୁ ବୋଲି ଦ୍ରାବିଡ କହିଛନ୍ତି।

ବର୍ଡର-ଗଭାସ୍କର ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ନାଗପୁରରେ ଖେଳାଯିବା ପରେ ନୂଆଦିଲ୍ଲୀ (ଫେବ୍ରୁଆରି ୧୭ରୁ ୨୧), ଧର୍ମଶାଳା (ମାର୍ଚ୍ଚ ୧ରୁ ୫) ଏବଂ ଅହମଦାବାଦ (ମାର୍ଚ୍ଚ ୯ରୁ ୧୩)ରେ ପରବର୍ତୀ ୩ ମ୍ୟାଚ୍‌ ଖେଳାଯିବ।

ପ୍ରଥମ ଟେଷ୍ଟ ଖେଳିବେନି ହାଜେଲଉଡ୍‌

ଗୁରୁବାରଠାରୁ ନାଗପୁରରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋସ୍ ହାଜେଲଉଡ୍‌ ଖେଳିପାରିବେ ନାହିଁ। ପର ସପ୍ତାହରେ ନୂଆଦିଲ୍ଲୀରେ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ୍‌ ଲାଗି ମଧ୍ୟ ସେ ଉପଲବ୍‌ଧ ହେବେ କି ନା ସନ୍ଦେହ ପ୍ରକଟ ହୋଇଛି। ହାଜେଲଉଡଙ୍କ ବାମ ଗୋଡ଼ ଗୋଇଠିର ଯନ୍ତ୍ରଣା ଉପଶମ ହୋଇନଥିବାରୁ କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ ଏଭଳି କୁହାଯାଇଛି। ହାଜେଲଉଡଙ୍କ ଅନୁପସ୍ଥିତିରେ ନାଗପୁରରେ ସ୍କଟ୍ ବୋଲାଣ୍ଡ୍ ନିଜ ଖେଳ ଜୀବନର ପ୍ରଥମ ଓଭରସିଜ୍ ଟେଷ୍ଟ୍ ଖେଳିବେ। ବୋଲାଣ୍ଡ ୬ ଟେଷ୍ଟରୁ ୨୮ ୱିକେଟ୍ ଅକ୍ତିଆର କରିଛନ୍ତି। ପୂର୍ବରୁ ଆହତ କାରଣରୁ ମିଚେଲ ଷ୍ଟାର୍କ ବାଦ୍ ପଡ଼ିଥିବା ବେଳେ ଅଲରାଉଣ୍ଡର୍‌ କାମେରନ୍ ଗ୍ରିନଙ୍କ ବୋଲିଂ ସେବାରୁ ଭ୍ରମଣକାରୀ ଦଳ ମଧ୍ୟ ବଞ୍ଚିତ ରହିବ। ବାରମ୍ବାର ଆହତ କାରଣରୁ ହାଜେଲଉଡ୍‌ ଗତ ୨ ବର୍ଷ ଭିତରେ ମାତ୍ର ୪ଟି ଟେଷ୍ଟ୍ ଖେଳିପାରିଛନ୍ତି। ସମ୍ପ୍ରତି ବେଙ୍ଗାଲୁରୁରେ ଅଭ୍ୟାସ କରୁଥିବା ଅଷ୍ଟ୍ରେଲିଆ ଦଳ ସୋମବାର ନାଗପୁର ପହଞ୍ଚିବା ପରେ ସେଠାରୁ ୪ ମ୍ୟାଚ୍‌ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳା ଆରମ୍ଭ ହେବ।