ବିଶାଖାପାଟଣା: ଆଇପିଏଲ୍ର ତୃତୀୟ ଦିନରେ ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମୁହାଁମୁହିଁ ହେବେ। ଅକ୍ଷର ପଟେଲ ଓ ଋଷଭ ପନ୍ତଙ୍କ ରୂପରେ ଉଭୟ ଦଳର ନେତୃତ୍ବ ଦୁଇ ଜଣ ନୂଆ ଅଧିନାୟକ ନେବେ। ଏଣୁ ସବୁ ଫୋକସ୍ ଏହି ଦୁଇ ଜଣଙ୍କ ଉପରେ ରହିବ। ପନ୍ତ ନିଜ ଆଇପିଏଲ୍ ଜୀବନରେ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳି ଏବଂ ପରେ ଅଧିନାୟକ ରହିସାରିଛନ୍ତି। ଏବେ ଏହି ଦଳ ବିପକ୍ଷରେ ନେତୃତ୍ବ ନେବାକୁ ଯାଉଛନ୍ତି। ସେ ପ୍ରଥମ ଥର ଲାଗି ଲକ୍ଷ୍ନୌର ନେତୃତ୍ବ ନେବେ। ସେପଟେ ଗତ ଋତୁରେ ଲକ୍ଷ୍ନୌର ଅଧିନାୟକ ଦାୟିତ୍ବ ତୁଲାଇଥିବା କେଏଲ୍ ରାହୁଲ ଏଥର କେବଳ ଜଣେ ଖେଳାଳି ଭାବେ ଖେଳିବାକୁ ଇଚ୍ଛା ଜାହିର କରିବା ପରେ ଅକ୍ଷର ପଟେଲ ପ୍ରଥମ ଥର ଦିଲ୍ଲୀର ନିୟମିତ ଅଧିନାୟକ ଭାବେ ପଡ଼ିଆକୁ ଓହ୍ଲାଇବେ। ପନ୍ତଙ୍କୁ ଲକ୍ଷ୍ନୌ ରେକର୍ଡ ୨୭ କୋଟି ଟଙ୍କାରେ ନେଇଛି। ଏଣୁ ତାଙ୍କ ଉପରେ ତୁଳନାତ୍ମକ ଭାବେ ଅଧିକ ଚାପ ରହିବ। ସେହିଭଳି ଜଣେ ଅଲ୍ରାଉଣ୍ଡର୍ ଭାବେ ଅକ୍ଷର ପଟେଲ ନିଜକୁ ପ୍ରତିଷ୍ଠିତ କରାଇ ସାରିଥିଲେ ମଧ୍ୟ ଅଧିନାୟକ ଭାବେ ବେଶ୍ ଅନଭିଜ୍ଞ। ଏଣୁ ସୋମବାର ଉଭୟ ନିଜ ନିଜ ଦଳକୁ ଜିତାଇ ଆତ୍ମବିଶ୍ବାସର ସହ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିବେ।
କାଗଜ କଲମରେ ଲକ୍ଷ୍ନୌ ବେଶ୍ ସନ୍ତୁଳିତ ଦଳ ମନେ ହୁଏ। ଏହି ଦଳରେ ୬ଜଣ ପ୍ରତିଭାବାନ ବିଦେଶୀ ଖେଳାଳିଙ୍କ ବିକଳ୍ପ ମଧ୍ୟ ରହିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ମଧ୍ୟ ମିଚେଲ ଷ୍ଟାର୍କଙ୍କ ଭଳି ବୋଲର ଅଛନ୍ତି। ଘରୋଇ କ୍ରିକେଟ୍ରେ ଚମତ୍କାର ପ୍ରଦର୍ଶନ କରିଆସିଥିବା କରୁଣ ନାୟରଙ୍କ ଉପସ୍ଥିତି ପାଇଁ ଏହି ଦଳର ମଧ୍ୟକ୍ରମ ବେଶ୍ ସୁଦୃଢ଼। ରାହୁଲ, ତ୍ରିସ୍ତନ ଷ୍ଟବ୍ସ, ସମୀର ରିଜ୍ଭୀ, ଆଶୁତୋଷ ଶର୍ମା, କୁଲଦୀପ ୟାଦବ, ଟି ନଟରାଜନ, ଦୁଷ୍ମନ୍ତ ଚାମିରାଙ୍କ ଭଳି ଖେଳାଳି ଦିଲ୍ଲୀକୁ ଆହୁରି ବିପଜ୍ଜନକ କରିଥାଏ। ପନ୍ତଙ୍କ ଛଡ଼ା ଲକ୍ଷ୍ନୌର ସଫଳତା ମୁଖ୍ୟତଃ ମିଚେଲ ମାର୍ସ, ଡେଭିଡ୍ ମିଲର, ଐଦେନ ମାରକ୍ରମ, ନିକୋଲାସ୍ ପୂରନଙ୍କ ସଫଳତା ଉପରେ ନିର୍ଭର କରିବ। ଆୱେସ ଖାନ୍, ଆକାଶ ଦୀପ, ସାର୍ଦୁଳ ଠାକୁର, ରବି ବିଷ୍ଣୋଇଙ୍କ ଭଳି ଖେଳାଳି ଦିଲ୍ଲୀ ବ୍ୟାଟର୍ଙ୍କୁ ପରୀକ୍ଷାରେ ପକାଇବାକୁ ପୂରା ସକ୍ଷମ। ଏଣୁ ସୋମବାର ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ଉଭୟ ଦଳ ପାଞ୍ଚଟି ମୁକାବିଲାରେ ଲଢ଼ାଲଢ଼ି ହୋଇଛନ୍ତି। ସମସ୍ତ ପାଞ୍ଚଟି ଯାକ ମ୍ୟାଚ୍ ବେଶ୍ ରୋମାଞ୍ଚକ ରହିଥିଲା ବେଳେ ଫଳାଫଳ ୩-୨ରେ ଲକ୍ଷ୍ନୌ ସପକ୍ଷରେ ରହିଛି। ଯାହାକୁ ସ୍ଥାନୀୟ ୱାଇଏସ୍ ଚନ୍ଦ୍ରଶେଖର ରାଓ ଷ୍ଟାଡିୟମ୍ରେ ଦିଲ୍ଲୀ ୩-୩ କରିବାକୁ ଚେଷ୍ଟା କରିବ।