ମୁମ୍ବାଇ: ଜମ୍ମୁ କାଶ୍ମୀର ଦ୍ରୁତ ବୋଲର ଉମ୍ରାନ ମଲ୍ଲିକ ନିଜ ଅତୁଳନୀୟ ଗତି ଏବଂ ପ୍ରଭାବୀ ପ୍ରଦର୍ଶନ ବଳରେ ଅଗଣିତ କ୍ରିକେଟ୍ପ୍ରେମୀଙ୍କ ହୃଦୟ ଜିତି ସାରିଲେଣି। ଚଳିତ ଆଇପିଏଲ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଥିବା ପ୍ରତ୍ୟେକ ମ୍ୟାଚ୍ରେ ଦ୍ରୁତତମ ବଲ୍ ପକାଇବାର ପୁରସ୍କାର ଲାଭ କରି ଆସୁଛନ୍ତି ସେ। ରବିବାରର ଚେନ୍ନାଇ ସୁପରକିଙ୍ଗ୍ସ-ସନ୍ରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ରେ କିନ୍ତୁ ଏକାଥରକେ ଦୁଇଟି କୀର୍ତ୍ତିମାନର ଅଧିକାରୀ ହୋଇଥିଲେ ଉମ୍ରାନ। ଚେନ୍ନାଇ ପାଳିର ଦଶମ ଓଭରରେ ୧୫୪ କିଲୋମିଟର ବେଗରେ ବଲ୍ ପକାଇ ଉମ୍ରାନ କେବଳ ଏହି ମ୍ୟାଚ୍ର ନୁହେଁ ଚଳିତ ଋତୁର ସବୁଠାରୁ ଦ୍ରୁତତମ ବଲ୍ ପକାଇବାର ଗୌରବ ଅର୍ଜନ କରିଥିଲେ। ଏହା କରି ସେ ଗୁଜରାଟ ଲାୟନ୍ସ ବୋଲର ଲୋକି ଫର୍ଗୁସନଙ୍କୁ ଟପିଯାଇଥିଲେ। ଏହା ପୂର୍ବରୁ ଚଳିତ ଆଇପିଏଲ୍ର ଦ୍ରୁତତମ ବଲ୍ ପକାଇବାର କୀର୍ତ୍ତିମାନ ଫର୍ଗୁସନଙ୍କ ନାଁରେ ଥିଲା। ଭାରତୀୟ ଦ୍ରୁତ ବୋଲିଂର ନୂଆ ନାୟକ ଭାବେ ଉଭା ହୋଇଥିବା ୨୨ ବର୍ଷୀୟ ଉମ୍ରାନଙ୍କ କ୍ରିକେଟ୍ ଯାତ୍ରା କିନ୍ତୁ ଥିଲା ବେଶ୍ ସଂଘର୍ଷପୂର୍ଣ୍ଣ ଏବଂ ଘାତ ପ୍ରତିଘାତଭରା। ଜଣେ ଫଳ ବିକାଳିଙ୍କ ପୁଅରୁ ଆଇପିଏଲ୍ ନାୟକ ହେବା ପଛରେ ରହିଛି ତାଙ୍କର ବଳିଷ୍ଠ ଏକାଗ୍ରତା, ନିରନ୍ତର ଅଧ୍ୟବସାୟ ଏବଂ କଠିନ ପରିଶ୍ରମ। ଉମ୍ରାନଙ୍କୁ ସାରା ଦେଶ ଭଲପାଉଥିବା ନେଇ ତାଙ୍କ ପିତା ଅବଦୁଲ ରସିଦ, ପ୍ରଶିକ୍ଷକ ରଣଧୀର ସିଂହ ରାଜନ ମଧ୍ୟ ବେଶ୍ ଖୁସି ଅଛନ୍ତି।
ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଜନ୍ମଗ୍ରହଣ କରିଥିବା ଉମ୍ରାନ ଗତବର୍ଷ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଘରୋଇ ଟ୍ବେଣ୍ଟି-୨୦ ପଦାର୍ପଣ କରିଥିଲେ। ସେହିଭଳି ଗତବର୍ଷ ବିଜୟ ହାଜାରେ ଟ୍ରଫିରେ ଲିଷ୍ଟ ‘ଏ’ କ୍ରିକେଟ୍ ଖେଳିଥିଲେ। ୨୦୨୧ ଆଇପିଏଲ୍ରେ ଟି ନଟରାଜନଙ୍କ ବଦଳ ଖେଳାଳି ଭାବେ ସନ୍ରାଇଜର୍ସ ହାଇଦ୍ରାବାଦ ଦଳରେ ସ୍ଥାନ ପାଇଥିଲେ। ଗତଋତୁରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଆଇପିଏଲ୍ ପଦାର୍ପଣ କରିଥିଲେ। ଏହା ପରେ ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତୀୟ ଦଳର ନେଟ୍ ବୋଲର ଥିଲେ। ନଭେମ୍ବର ୨୦୨୧ରେ ଦକ୍ଷିଣ ଆଫ୍ରିକା ‘ଏ’ ବିପକ୍ଷରେ ଭାରତ ‘ଏ’ର ପ୍ରତିନିଧିତ୍ବ କରି ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ପଦାର୍ପଣ କରିଥିଲେ। ଚଳିତ ଆଇପିଏଲ୍ ଋତୁରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ପ୍ରଥମ ୫ ୱିକେଟ୍ ସଫଳତା ପାଇଥିଲେ। ଚଳିତ ଋତୁରେ ସେ ଏପର୍ଯ୍ୟନ୍ତ ୧୫ ୱିକେଟ୍ କରାୟତ୍ତ କରି ସାରିଲେଣି।
ବିଜ୍ଞାପନ ଦୁନିଆର ନୂଆ ବାଦଶାହ
ଅନ୍ତର୍ଜାତୀୟ ପଦାର୍ପଣ କରି ନଥିଲେ ମଧ୍ୟ ବିଜ୍ଞାପନ ଦୁନିଆରେ ଉମ୍ରାନ ମଲ୍ଲିଙ୍କ ଚାହିଦା ଏବେ ଆକାଶଛୁଆଁ। ଏପରିକି କେବଳ ଦେଢ଼ଟି ଆଇପିଏଲ୍ ଋତୁ ଖେଳିବା ସତ୍ତ୍ବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ପରେ ଅତି ଲୋକପ୍ରିୟ ‘ବୁଷ୍ଟ୍’ ବିଜ୍ଞାପନରେ ତାଙ୍କୁ ସାମିଲ କରାଯାଇଛି। ‘‘ଖେଳ ଛୋଟ କିମ୍ବା ବଡ଼ ପଡ଼ିଆର ହୋଇନଥାଏ। ସବୁକିଛି ଶକ୍ତି ଓ ସାମର୍ଥ୍ୟ ଉପରେ ନିର୍ଭର କରେ।’’ ବୋଲି ଉମ୍ରାନ ଏହି ପୁଷ୍ଟିକର ପାନୀୟର ପ୍ରଚାର କରିବାକୁ ଯାଇ କହୁଥିବା ଶୁଣିବାକୁ ମିଳୁଛି। ଏହା ପରେ ସେ ମଧ୍ୟ ଏହି ବ୍ରାଣ୍ଡ୍ର ଟ୍ୟାଗ୍ ଲାଇନ୍ ‘ବୁଷ୍ଟ୍ ଇଜ୍ ଦ ସିକ୍ରେଟ୍ ଅଫ୍ ମାଇଁ ଏନର୍ଜି’ କହୁଛନ୍ତି। ଏହା ପୂର୍ବରୁ ସଚିନ, କୋହଲିଙ୍କ ଛଡ଼ା ମହାନ କ୍ରିକେଟର୍ କପିଳ ଦେବ, ମହେନ୍ଦ୍ର ସିଂହ ଧୋନି ଓ ବୀରେନ୍ଦ୍ର ସେହବାଗ ମଧ୍ୟ ବୁଷ୍ଟ୍ ବିଜ୍ଞାପନରେ ସାମିଲ ହୋଇସାରିଛନ୍ତି।
ଏପଟେ ଉମ୍ରାନ, ସେପଟେ ଜମନ
ସୀମା ଏପଟେ ଉମ୍ରାନ ମଲ୍ଲିକ ଭାରତୀୟ ବୋଲିଂର ନୂଆ ନାୟକ ଭାବେ ଉଭା ହୋଇଥିଲା ବେଳେ ସୀମା ସେପାଖେ ୨୦ ବର୍ଷୀୟ ପାକିସ୍ତାନୀ ଦ୍ରୁତ ବୋଲର ଜମନ ଖାନ୍ ମଧ୍ୟ ପାକିସ୍ତାନୀ ଖବରକାଗଜର ଶିରୋନାମା ପାଲଟିଛନ୍ତି। ଉମ୍ରାନଙ୍କ ଭଳି ଜମନ ମଧ୍ୟ ଏକ ଗରିବ ପରିବାରରୁ ଆସିଛନ୍ତି। ତାଙ୍କ ପିତା ହେଉଛନ୍ତି ପାକିସ୍ତାନ ଅଧିକୃତ କାଶ୍ମୀରର ମିରପୁର ତହସିଲ ଅନ୍ତର୍ଗତ ଚକସ୍ବାରୀର ଜଣେ ଦିନ ମଜୁରିଆ। ତାଙ୍କ ପରିବାର ଏକ ଝାଟି ମାଟିର ଝୁମ୍ପୁଡ଼ି ଘରେ ରୁହନ୍ତି। ମଦ୍ରାସାରେ ପାଠପଢ଼ିବାକୁ ଗଲା ବେଳେ ଲୁଚି ଲୁଚି କ୍ରିକେଟ୍ ଖେଳୁଥିବା ଜମନଙ୍କ ପ୍ରତିଭାକୁ କିଛି ସ୍ଥାନୀୟ ପ୍ରଶିକ୍ଷକ ଚିହ୍ନିବା ପରେ ମାଗଣାରେ ତାଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ। ଏହା ପରେ ଦିନେ ପୂର୍ବତନ ପାକିସ୍ତାନୀ ଦ୍ରୁତ ବୋଲର ଆକ୍ବିବ ଜାଭେଦଙ୍କ ସମେତ ପାକିସ୍ତାନ ପ୍ରିମିୟର ଲିଗ୍ର ଏକ ପ୍ରତିଭା ଅନ୍ବେଷଣ ଦଳ ମିରପୁର ଆସିଥିଲେ। ସେହିଠାରୁ ଜମନଙ୍କ ଜୀବନର ଗତିପଥ ବଦଳି ଯାଇଥିଲା। ଜାଭେଦ ତାଙ୍କୁ ନିଜ ଶରଣରେ ନେଇଯାଇଥିଲେ। ଲସିଥ ମାଲିଙ୍ଗା ଏବଂ ସୋଏବ ଅଖତରଙ୍କୁ ବଡ଼ ପ୍ରଶଂସକ ଜମନ ପାକିସ୍ତାନ ପ୍ରିମିୟର ଲିଗ୍ ବିଜେତା କାଲାନ୍ଦର ଦଳରେ ସୁଯୋଗ ପାଇଥିଳେ। ସେ ମଧ୍ୟ ଦୁଇଟି ମ୍ୟାଚ୍ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଜମନ ମଧ୍ୟ ନିୟମିତ ଭାବେ ୧୫୦ କିଲୋମିଟରରୁ ଅଧିକ ବେଗରେ ବୋଲିଂ କରିବାର ଦକ୍ଷତା ରଖନ୍ତି। ଆଗାମୀ ସମୟରେ ସେ ନିଶ୍ଚିତ ଭାବେ ପାକିସ୍ତାନ ଜାତୀୟ ଦଳର ପ୍ରତିନିଧିତ୍ବ କରିବେ ବୋଲି ଜାଦେଭ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଗାଭାସ୍କର କହିଲେ ଉମ୍ରାନଙ୍କଠାରୁ ବଞ୍ଚିବାର ବାଟ ‘ସିଙ୍ଗଲ ନିଅ, ନନଷ୍ଟ୍ରାଇକର ପଟକୁ ଚାଲିଯାଅ’
ଉମ୍ରାନ ମଲ୍ଲିକଙ୍କ ଘାତକ ଦ୍ରୁତ ବୋଲିଂରୁ ବଞ୍ଚିବା ଲାଗି କିଂବଦନ୍ତି ଭାରତୀୟ କ୍ରିକେଟର୍ ସୁନିଲ ଗାଭାସ୍କର ବ୍ୟାଟର୍ଙ୍କୁ ନିଆରା ପରାମର୍ଶ ଦେଇଛନ୍ତି। ଏକ ସାକ୍ଷାତକାରରେ ଲିଟିଲ ମାଷ୍ଟର ଭାବେ ପରିଚିତ ଗାଭାସ୍କର ସିଧାସିଧା କହିଛନ୍ତି ଯେ ‘ ସିଙ୍ଗଲ (ଏକ ରନ୍) ନିଅ, ନନ୍ ଷ୍ଟ୍ରାଇକର ପଟକୁ ଚାଲିଯାଅ’। ଏହା ହିଁ ଉମ୍ରାନଙ୍କୁ ମୁକାବିଲା କରିବାର ସବୁଠାରୁ ସହାଜ ଉପାୟ। ତାଙ୍କ ନିଜ ଷ୍ଟମ୍ପର ଝଲକ ଦେଖାଅନି। ସେ ରନ୍ ଅପ୍ ନେଲା ବେଳେ ତିନିଟି ଯାକ ଷ୍ଟମ୍ପକୁ କଭର କରିନିଅ। କାରଣ ସେ ଷ୍ଟମ୍ପକୁ ଦେଖି ହିଁ ବୋଲିଂ କରିଥା’ନ୍ତି।