ଆରୋଜ୍ ପାଇଁ ଆଜି ରିଅଲ ଆହ୍ବାନ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳାଯିବାକୁ ଥିବା ଆଇଲିଗ୍ ମ୍ୟାଚ୍‌ରେ ଇଣ୍ଡିଆନ୍ ଆରୋଜ୍ ଟାଇଟଲ୍ ଦାବିଦାର ରିଅଲ କଶ୍ମୀରକୁ ଭେଟିବ। ରିଅଲ କଶ୍ମୀର ସଂପ୍ରତି ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ଥିଲା ବେଳେ ପ୍ରଥମ ସ୍ଥାନରେ ଥିବା ଚେନ୍ନାଇ ସିଟିଠାରୁ ୫ ପଏଣ୍ଟ ପଛରେ ରହିଛି। ଅନ୍ୟପକ୍ଷରେ ଆରୋଜ୍ ୧୮ ମ୍ୟାଚ୍‌ରୁ ୧୭ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ଅଛି। ରବିବାର ବିଜୟୀ ହେଲେ ରିଅଲ କଶ୍ମୀର ଦଳର ପଦାର୍ପଣରେ ହିଁ ବିଜେତା ହେବାର ସ୍ବପ୍ନ ଅତୁଟ ରହିବ। ପ୍ରଥମ ଲଢ଼େଇରେ କଶ୍ମୀର ସହଜରେ ଆରୋଜକୁ ୨-୦ ଗୋଲ୍‌ରେ ହରାଇ ଦେଇଥିଲା। ଏଣୁ ଆସନ୍ତାକାଲି ଏହି ଦଳ ଆରୋଜ୍ ବିପକ୍ଷରେ ଲଗାତାର ଦ୍ବିତୀୟ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିବ। ସେପଟେ ଆରୋଜ୍ ପ୍ରତିଶୋଧ ଆଶାରେ ପଡ଼ିଆକୁ ଓହ୍ଲାଇବ। କଳିଙ୍ଗ ଷ୍ଟାଡିୟମରେ ଶେଷ ମ୍ୟାଚ୍ ହୋଇଥିବାରୁ ଆରୋଜ୍ ମଧ୍ୟ ବିଜୟ ସହ ଏଠାରୁ ବିଦାୟ ନେବା ଲକ୍ଷ୍ୟରେ ରହିବ। ଶନିବାର ଉଭୟ ଦଳ କଳିଙ୍ଗ ଷ୍ଟାଡିୟମ୍ ଆସି ଅଭ୍ୟାସ କରିଛନ୍ତି। ଆସନ୍ତାକାଲି ମ୍ୟାଚ୍ ଆମ ପାଇଁ ଆଦୌ ସହଜ ହେବନାହିଁ ବୋଲି ଆରୋଜ୍ ପ୍ରଶିକ୍ଷକ ଫ୍ଲଏଡ୍ ପିଣ୍ଟୋ କହିଛନ୍ତି। ସୂଚନାଯୋଗ୍ୟ ଯେ ରବିବାର ମ୍ୟାଚ୍ ପୂର୍ବମ୍ୟାଚ୍‌ଗୁଡ଼ିକ ଭଳି ଅପରାହ୍ନ ୨ଟାରୁ ଆରମ୍ଭ ହେବ।

ସମ୍ବନ୍ଧିତ ଖବର