ପେଲେ ନାମରେ ସାରା ବିଶ୍ବରେ ପରିଚିତ ଏଡସନ୍ ଅରାଣ୍ଟେସ୍ ଡୁ ନାସ୍କିମେଣ୍ଟୋ ଆଉ ନାହାନ୍ତି। ବ୍ରାଜିଲ୍ର ଏହି କିଂବଦନ୍ତି ଫୁଟବଲର୍ କର୍କଟ ସହ ଦୁଇ ବର୍ଷ ଧରି ସଂଘର୍ଷ କରିବା ପରେ ଶେଷରେ ସବୁଦିନ ପାଇଁ ଆଜି ରାତିରେ ଆଖି ବୁଜିଦେଇଛନ୍ତି। ତାଙ୍କ ବିୟୋଗରେ ସାରା ବିଶ୍ବ କାନ୍ଦିଛି। ପେଲେ ଅଦ୍ବିତୀୟ ହୋଇଥିଲା ବେଳେ ଭବିଷ୍ୟତରେ ତାଙ୍କ ଭଳି ଖେଳାଳି ସୃଷ୍ଟି ହେବା ଅସମ୍ଭବ। ଯଦିଓ ବ୍ରାଜିଲ୍ର ସର୍ବାଧିକ ଗୋଲ୍ ସ୍କୋରର ଭାବେ ନେମାର ତାଙ୍କ ସମକକ୍ଷ ହୋଇଛନ୍ତି, କିନ୍ତୁ ସର୍ବକାଳୀନ ଗୋଲ୍ କ୍ଷେତ୍ରରେ ସେ ଏବେବି ଗିନିସ୍ ବୁକ୍ରେ ସ୍ଥାନିତ ଅଛନ୍ତି।
ଫିଫା ପକ୍ଷରୁ ପେଲେଙ୍କୁ ସର୍ବକାଳୀନ ମହାନ୍ ଖେଳାଳିର ମାନ୍ୟତା ଦିଆଯାଇଛି। ବିଂଶ ଶତାବ୍ଦୀର ସବୁଠୁ ସଫଳ ଓ ଲୋକପ୍ରିୟ କ୍ରୀଡ଼ାବିତ୍ ଭାବେ ତାଙ୍କୁ ଗଣନା କରାଯାଏ। ୧୯୯୯ରେ ଆନ୍ତର୍ଜାତିକ ଅଲିମ୍ପିକ କମିଟି ଦ୍ବାରା ତାଙ୍କୁ ଶତାବ୍ଦୀର ଶ୍ରେଷ୍ଠ କ୍ରୀଡ଼ାବିତ୍ ଭାବେ ବିବେଚନା କରାଯାଇଛି। ଏଥିସହିତ ଟାଇମ୍ ତାଲିକାରେ ଶତାବ୍ଦୀର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ପେଲେଙ୍କୁ ସ୍ଥାନ ଦିଆଯାଇଥିଲା। ଏପରିକି ଫିଫା ପକ୍ଷରୁ ମଧ୍ୟ ଦୁଇଥର ତାଙ୍କୁ ଶତାବ୍ଦୀର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଛି। ସେ ଖେଳିଥିବା ଫ୍ରେଣ୍ଡଲି ଓ ଅନ୍ୟାନ୍ୟ ମ୍ୟାଚ୍ଗୁଡ଼ିକୁ ମିଶାଇ ୧୩୬୩ ମ୍ୟାଚ୍ରୁ ୧୨୭୯ ଗୋଲ୍ ଦେଇ ଗିନିସ୍ ବୁକ୍ ବିଶ୍ବ କୀର୍ତ୍ତିମାନରେ ନାମ ଲେଖାଇ ପାରିଛନ୍ତି।
ମାତ୍ର ୧୫ ବର୍ଷ ବୟସରୁ ସେ କ୍ଲବ୍ ଫୁଟ୍ବଲ୍ ଆରମ୍ଭ କରିଥିଲେ। ସାଣ୍ଟୋସ୍ ପକ୍ଷରୁ ସେ ଖେଳିବା ଆରମ୍ଭ କରିଥିଲା ବେଳେ ୧୬ ବର୍ଷ ବୟସରେ ବ୍ରାଜିଲ୍ ପାଇଁ ଖେଳିଥିଲେ। ତାଙ୍କ ଆନ୍ତର୍ଜାତିକ ଜୀବନ ମଧ୍ୟରେ ତିନିଥର ଫିଫା ବିଶ୍ବକପ୍ (୧୯୫୮, ୧୯୬୨ ଓ ୧୯୭୦) ଟ୍ରଫି ଜିତିଛନ୍ତି। ଏପରି କରିବାରେ ସେ ପ୍ରଥମ ଓ ଏକମାତ୍ର ଖେଳାଳି ହୋଇପାରିଛନ୍ତି। ବାଜିଲ୍ ପାଇଁ ୯୨ ମ୍ୟାଚ୍ ଖେଳି ୭୭ ଗୋଲ୍ ଦେବା ସହ ଦେଶର ସର୍ବାଧିକ ଗୋଲ୍ ସ୍କୋରର ରହିଆସିଛନ୍ତି। ତେବେ ଚଳିତ କାତାର ବିଶ୍ବକପ୍ରେ ନେମାର ଜୁନିଅର୍ ତାଙ୍କ ଗୋଲ୍ ସଂଖ୍ୟାର ସମକକ୍ଷ ହୋଇଥିଲେ। କ୍ଲବ୍ ଫୁଟବଲ୍ରେ ତାଙ୍କର ଶ୍ରେଷ୍ଠତ୍ବ ପାଇଁ ଗୋଟିଏ ସମୟରେ ତାଙ୍କୁ ସବୁଠୁ ଦାମୀ ଖେଳାଳି ଭାବେ ବିବେଚନା କରାଯାଉଥିଲା। ୧୯୭୭ରେ ଫୁଟ୍ବଲ୍ରୁ ଅବସର ନେବା ପରଠୁ ସେ ସାରା ବିଶ୍ବରେ ଫୁଟ୍ବଲ୍ର ଆମ୍ବାସାଡର ବା ଦୂତ ଭାବେ ନୂଆ ପରିଚୟ ସୃଷ୍ଟି କରିଥିଲେ। ୨୦୧୦ରେ ନ୍ୟୁୟର୍କ କସ୍ମସ୍ କ୍ଲବ୍ର ଅବୈତନିକ ସଭାପତି ଭାବେ ସେ ଦାୟିତ୍ବ ନିର୍ବାହ କରିଥିଲେ।
‘ପେଲେ’ ନାମକରଣର ରହସ୍ୟ
୧୯୪୦, ଅକ୍ଟୋବର ୨୩ ତାରିଖରେ ବ୍ରାଜିଲ୍ର ମିନାସ୍ ଗେରାଇସ୍ସ୍ଥିତ ଟ୍ରେସ୍ କୋରାକୋସ୍ ସହରରେ ଏକ ଗରିବ ଘରେ ପେଲେ ଜନ୍ମଗ୍ରହଣ କରିଥିଲେ। ପୂର୍ବତନ ଫୁଟ୍ବଲ୍ ଖେଳାଳି ଡନ୍ଡିନୋ (ଜୋଆଓ ରାମୋସ୍ ଡୁ ନାସ୍କିମେଣ୍ଟୋ) ଓ ସିଲେଷ୍ଟି ଅରାଣ୍ଟେସ୍ଙ୍କଠାରୁ ସେ ଜନ୍ମ ହୋଇଥିଲେ। ଦୁଇ ସନ୍ତାନଙ୍କ ମଧ୍ୟରୁ ପେଲେ ବଡ଼ ଥିଲେ। ଆମେରିକାର ଇନ୍ଭେଣ୍ଟର ଥୋମାସ୍ ଏଡିସନ୍ଙ୍କ ନାମ ଅନୁସାରେ ତାଙ୍କ ନାମ ରଖାଯାଇଥିଲା। କିନ୍ତୁ ତାଙ୍କ ପିତାମାତା ପେଲେଙ୍କ ନାମରୁ ‘ଆଇ’ ହଟାଇ ଏଡ୍ସନ୍ ରଖିଥିଲେ। ହେଲେ ତାଙ୍କ ଜନ୍ମ ପ୍ରମାଣପତ୍ର ଓ ବିଭିନ୍ନ କାଗଜପତ୍ରରେ ଭୁଲ୍ରେ ଏଡିସନ୍ ଲେଖାଯାଇଥିଲା। ତାଙ୍କ ଡାକ ନାମ ‘ଡିକୋ’ ରଖାଯାଇଥିଲା। ତେବେ ସ୍କୁଲ୍ରେ ପଢ଼ୁଥିବା ସମୟରେ ‘ପେଲେ’ ନାମରେ ସେ ପରିଚିତ ହୋଇଥିଲେ। ତାଙ୍କର ପସନ୍ଦିତା ଖେଳାଳି ଭାସ୍କୋଡାଗାମାର ଗୋଲରକ୍ଷକ ‘ବିଲେ’ଙ୍କ ନାମ ଉଚ୍ଚାରଣକୁ ନେଇ ସାଥିମାନେ ତାଙ୍କୁ ପେଲେ ଡାକିବା ଆରମ୍ଭ କରିଥିଲେ। କିନ୍ତୁ ଏହି ନାମର ଅର୍ଥ କ’ଣ ଖୋଦ୍ ପେଲେ ବି ଜାଣିନଥିବା ତାଙ୍କ ଆତ୍ମଜୀବନୀରେ ପ୍ରକାଶ କରିଥିଲେ।
ପାରିବାରିକ ଜୀବନ
ପେଲେ ଜୀବନକାଳ ମଧ୍ୟରେ ତିନିଥର ବିବାହ କରିଛନ୍ତି। ଏହାବାଦ୍ ଏକାଧିକ ନାରୀଙ୍କ ସହିତ ତାଙ୍କର ସମ୍ପର୍କ ଥିବାରୁ ସେ ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ୧୯୬୬ରେ ରୋସମେରି ଚୋଲବିଙ୍କୁ ସେ ପ୍ରଥମ ବିବାହ କରିଥିଲେ। ଏମାନଙ୍କଠାରୁ ୨ ଝିଅ କେଲି ଓ ଜେନିଫର ଏବଂ ପୁଅ ଏଡ୍ସନ୍ ଜନ୍ମ ହୋଇଥିଲେ। ପରେ ୧୯୮୧ରୁ ୧୯୮୬ ମସିହା ଭିତରେ ଟେଲିଭିଜନ ଉପସ୍ଥାପିକା ୧୭ ବର୍ଷୀୟା ଜୁକ୍ସାଙ୍କ ସହିତ ତାଙ୍କର ସଂପର୍କ ସ୍ଥାପନ ହୋଇଥିଲା। ୧୯୯୪ରେ ମନସ୍ତତ୍ତ୍ବବିତ୍ ତଥା ଗାୟିକା ଆସିରିଆ ଲେମୋସ୍ ସିକ୍ସାସ୍ଙ୍କୁ ଦ୍ବିତୀୟ ବିବାହ କରିଥିଲେ। ଉଭୟ ଦୁଇ ଯାଆଁଳା ଜୋସୁଆ ଓ ସିଲେଷ୍ଟିଙ୍କୁ ଜନ୍ମ ଦେବା ପରେ ୨୦୦୮ରେ ବିବାହ ବିଚ୍ଛେଦ ହୋଇଥିଲା। ୭୩ ବର୍ଷ ହୋଇଥିଲା ବେଳେ ପେଲେ ୪୧ ବର୍ଷୀୟା ମାର୍ସିଆ ଅଓକିଙ୍କୁ ତୃତୀୟ ଔପଚାରିକ ବିବାହ କରିଥିଲେ।
ପ୍ରାରମ୍ଭିକ ଜୀବନ
ସାଓ ପାଓଲୋର ବାଉରୁ ସହରରେ ପେଲେଙ୍କ ପିଲାଦିନ ଗରିବରୁ ଆରମ୍ଭ ହୋଇଥିଲା। ଏକ ଚା’ ଦୋକାନରେ କପ୍ ଧୁଆଧୁଇ କରି ସେ କିଛି ଅତିରିକ୍ତ ରୋଜଗାର କରୁଥିଲେ। ବାପାଙ୍କଠାରୁ ଫୁଟ୍ବଲ୍ ଶିଖିବା ଆରମ୍ଭ କରିବା ପରେ ପ୍ରକୃତ ଖେଳର ଖର୍ଚ୍ଚ ତୁଲାଇବା ତାଙ୍କ ପକ୍ଷେ ଅସମ୍ଭବ ଥିଲା। ତେଣୁ କାଗଜ ଗୁଳା କିମ୍ବା ଡାଳିମ୍ବକୁ କାଗଜରେ ଗୁଡ଼ାଇ ଖେଳିବା ଆରମ୍ଭ କରିଥିଲେ। ଯୁବାବସ୍ଥାରେ ସେ ଅନେକ ପେଶାଦାର କ୍ଲବ୍ ତରଫରୁ ଖେଳିପାରିଥିଲେ। ପେଲେଙ୍କ ନେତୃତ୍ବରେ ବାଉରୁ ଆଥ୍ଲେଟିକ୍ କ୍ଲବ୍ ଦୁଇଥର ସାଓ ପାଓଲୋ ଷ୍ଟେଟ୍ ୟୁଥ୍ ଚାମ୍ପିଅନ୍ସିପ୍ ବିଜେତା ହୋଇଥିଲା। ନାବାଳକ ଥିବା ସମୟରେ ଇନ୍ଡୋର ଫୁଟ୍ବଲ୍ ଦଳ ‘ରାଡିୟମ୍’ ପାଇଁ ମଧ୍ୟ ସେ ଖେଳିଛନ୍ତି। ପେଲେ ଖେଳିବା ପରଠୁ ବାଉରୁରେ ଇନ୍ଡୋର ଫୁଟ୍ବଲ୍ ଅଧିକ ଲୋକପ୍ରିୟ ହୋଇପାରିଥିଲା। ଏହି ଅଞ୍ଚଳରେ ଆୟୋଜିତ ପ୍ରଥମ ଫୁଟ୍ସାଲ୍ ପ୍ରତିଯୋଗିତାରେ ପେଲେ ଖେଳିବା ସହ ଦର୍ଶକଙ୍କ ଭଲପାଇବା ଜିତିଥିଲେ।
କ୍ଲବ୍ କ୍ୟାରିଅର୍
କ୍ଲବ୍ସ୍ତରରେ ପେଲେ ୧୩୬୩ ମ୍ୟାଚ୍ରୁ ୧୨୮୧ ଗୋଲ୍ ସ୍କୋର କରିଛନ୍ତି। ସାଣ୍ଟୋସ୍, ନ୍ୟୁୟର୍କ କସ୍ମସ୍, ବ୍ରାଜିଲ୍ ସେନା, ସିଲେକ୍ସନ୍ ଟିମ୍ ସାଓ ପାଓଲୋ ଓ ଅନ୍ୟାନ୍ୟ କ୍ଲବ୍ଗୁଡ଼ିକ ପାଇଁ ବିଭିନ୍ନ ଫ୍ରେଣ୍ଡଲି ମ୍ୟାଚ୍, ଆନ୍ତର୍ଜାତିକ ମ୍ୟାଚ୍ ସେ ଖେଳିଛନ୍ତି। ତାଙ୍କର ଗୋଲ୍ ସଂଖ୍ୟା ପାଇଁ ଏବେବି ସେ ଗିନିସ୍ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନିତ ହୋଇଛନ୍ତି।
(ସାଣ୍ଟୋସ୍)
ଡି ବ୍ରିଟୋ ୧୯୫୬ରେ ପେଲେଙ୍କୁ ସାଓ ପାଓଲୋସ୍ଥିତ ସାଣ୍ଟୋସ୍ କ୍ଲବ୍ ନେଇଥିଲେ। ଟ୍ରାଏଲ୍ରେ ସାଣ୍ଟୋସ୍ ପ୍ରଶିକ୍ଷକ ଲୁଲାଙ୍କୁ ନିଜ ପ୍ରତିଭାରେ ପ୍ରଭାବିତ କରିପାରିଥିଲେ। ଏହାଫଳରେ ସେହିବର୍ଷ ଜୁନ୍ରେ ସେ କ୍ଲବ୍ ସହିତ ଚୁକ୍ତି ସ୍ବାକ୍ଷର କରିଥିଲେ। ମାତ୍ର ୧୫ ବର୍ଷ ବୟସରେ ପ୍ରଥମ ବର୍ଷରୁ ହିଁ ସେ ବରିଷ୍ଠ ଦଳରେ ପଦାର୍ପଣ କରିସାରିଥିଲେ ଏବଂ କରିନ୍ଥିଆନ୍ସ ଡି ସାଣ୍ଟୋ ଆନ୍ଦ୍ରେ ବିପକ୍ଷରେ ପ୍ରଥମ ଗୋଲ୍ ଦେଇଥିଲେ। ଏହାପରଠୁ ସେ ଆଉ ପଛକୁ ଫେରି ନଥିଲେ। ୧୯୫୭ରେ ବ୍ରାଜିଲ୍ ଜାତୀୟ ଦଳକୁ ଚୟନ ହେବା ପରେ ୧୯୫୮ ଓ ୧୯୬୨ ବିଶ୍ବକପ୍ରେ ସେ ଖେଳି ନିଜର ଛାପ ଛାଡ଼ିଥିଲେ। ଯେଉଁଥି ପାଇଁ ରିଅଲ ମାଦ୍ରିଦ୍, ଜୁଭେନ୍ଟସ୍, ମାଞ୍ଚେଷ୍ଟର ୟୁନାଇଟେଡ୍ ଭଳି ଦଳଗୁଡ଼ିକ ପେଲେଙ୍କ ସହିତ ଚୁକ୍ତି ସ୍ବାକ୍ଷର କରିବା ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ୧୯୬୧ରେ ପେଲେଙ୍କୁ ଦେଶ ବାହାରର କୌଣସି କ୍ଲବ୍ ଯେପରି ନନେଇଯାଅନ୍ତି, ସେଥିପାଇଁ ବ୍ରାଜିଲ୍ ରାଷ୍ଟ୍ରପତି ଜାନିଓ କ୍ବାଦ୍ରୋସ୍ ତାଙ୍କୁ ‘ଜାତୀୟ ସମ୍ପତ୍ତି’ ଭାବେ ଘୋଷଣା କରିଥିଲେ। ସାଣ୍ଟୋସ୍ ପାଇଁ ୬୫୯ ମ୍ୟାଚ୍ରୁ ୬୪୩ ଗୋଲ୍ ସ୍କୋର କରିଛନ୍ତି।
(ନ୍ୟୁୟର୍କ କସ୍ମସ୍)
୧୯୭୪ରେ ପେଲେ ସାଣ୍ଟୋସ୍ରୁ ଅବସର ନେଇ ଉତ୍ତର ଆମେରିକା ଫୁଟବଲ୍ ଲିଗ୍ର ଦଳ ନ୍ୟୁୟର୍କ କସ୍ମସ୍ ସହିତ ସାମିଲ ହୋଇଥିଲେ। ୧୯୭୫ ଜୁନ୍ ୧୫ ତାରିଖରେ ଡାଲାସ୍ ଟର୍ଣ୍ଣାଡୋ ବିପକ୍ଷରେ ସେ ନ୍ୟୁୟର୍କ କସ୍ମସ୍ ପାଇଁ ପଦାର୍ପଣ କରିଥିଲେ। ପେଲେଙ୍କ ଖେଳ ଦେଖିବା ପାଇଁ ଷ୍ଟାଡିୟମ୍ ସବୁବେଳେ ଦର୍ଶକରେ ଭର୍ତ୍ତି ରହୁଥିଲା। ୧୯୭୭ ଅକ୍ଟୋବର ୧ ତାରିଖରେ କସ୍ମସ୍ ଓ ସାଣ୍ଟୋସ୍ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳିବା ପରେ ସବୁଦିନ ପାଇଁ ଖେଳଠୁ ଦୂରେଇ ଯାଇଥିଲେ। ଏହି କ୍ଲବ୍ ପାଇଁ ୧୦୭ ମ୍ୟାଚ୍ ସେ ଖେଳିଥିଲା ବେଳେ ୬୬ ଗୋଲ୍ ଦେଇଥିଲେ। ପେଲେଙ୍କ ବିଦାୟୀ ମ୍ୟାଚ୍ ଦେଖିବାକୁ ତାଙ୍କ ବାପା, ପତ୍ନୀଙ୍କ ସହ ମହମ୍ମଦ ଅଲ୍ଲୀ, ବବି ମୁରେଙ୍କ ଭଳି ମହାନ୍ କ୍ରୀଡ଼ାବିତ୍ ଷ୍ଟାଡିୟମ୍ରେ ପହଞ୍ଚିଥିଲେ। ଏହି ମ୍ୟାଚ୍ରେ କସ୍ମସ୍ ୨-୧ ଗୋଲ୍ରେ ବିଜୟୀ ହୋଇଥିଲା ଓ ପେଲେ ଗୋଟିଏ ଗୋଲ୍ ସ୍କୋର କରିଥିଲେ। ମ୍ୟାଚ୍ର ଦ୍ବିତୀୟାର୍ଦ୍ଧରେ ପ୍ରବଳ ବର୍ଷା ହେବାରୁ ସେତେବେଳେ ବ୍ରାଜିଲ୍ର ସମସ୍ତ ଖବରକାଗଜରେ ପେଲେଙ୍କ ପାଇଁ ଆକାଶ ମଧ୍ୟ କାନ୍ଦିଲା ବୋଲି ଶୀର୍ଷକ ଦିଆଯାଇଥିଲା।