ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ାକୁ ମଙ୍ଗଳବାର ମିଳିଛି ଦାରୁଣ ଦୁଃଖଦ ଖବର। ରାଜ୍ୟର ଆଉ ଜଣେ କ୍ରୀଡ଼ା କିଂବଦନ୍ତିଙ୍କୁ କଠୋର କରୋନା ଛଡ଼ାଇ ନେଇଛି। ପୂର୍ବତନ ଜାତୀୟସ୍ତରୀୟ ଖେଳାଳି, ବିଜୁ ପଟ୍ଟନାୟକ ପୁରସ୍କାର ପ୍ରାପ୍ତ ଫୁଟବଲ୍ ପ୍ରଶିକ୍ଷକ, ନୀତା ଅମ୍ବାନି ଫୁଟ୍ବଲ୍ ଏକାଡେମିର ସଂସ୍ଥାପକ ତଥା ରାଜ୍ୟ କ୍ରୀଡ଼ା ଜଗତରେ ‘ଟୁଟୁ ସାର୍’ ଭାବେ ପରିଚିତ ନନ୍ଦକିଶୋର ପଟ୍ଟନାୟକଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ପୂର୍ବତନ ରଣଜୀ ତାରକା ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକଗମନର ଦୁଃଖକୁ ଭୁଲି ପାରି ନଥିବା ଓଡ଼ିଶା କ୍ରୀଡ଼ା ଜଗତ ନନ୍ଦକିଶୋରଙ୍କ ଅକାଳ ବିୟୋଗରେ ସ୍ତବ୍ଧ ହୋଇଯାଇଛି। ୪୦ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ମହିଳା ଫୁଟବଲ୍ ଖେଳାଳି ସୃଷ୍ଟି କରି ଓଡ଼ିଶା କ୍ରୀଡ଼ାକୁ ସମୃଦ୍ଧ କରିଥିବା ନନ୍ଦକିଶୋର କରୋନା ପୀଡ଼ିତ ଥିବା ଗତ ମାସ ୧୨ ତରିଖରେ ଜଣାପଡ଼ିଥିଲା।
ତାଙ୍କୁ ପ୍ରଥମେ ବାରିପଦା କୋଭିଡ୍ ହସ୍ପିଟାଲ ଏବଂ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିଲା। ଆଶା କରାଯାଉଥିଲା କରୋନାକୁ ହରାଇ ନନ୍ଦକିଶୋର ପୁଣି ଥରେ ଫୁଟବଲ୍ ପଡ଼ିଆରେ ପ୍ରଶିକ୍ଷଣ ଦେଉଥିବା ଦେଖିବାକୁ ମିଳିବେ। ହେଲେ ଏମିତି କିଛି ବି ହୋଇ ନଥିଲା। ପାଖାପାଖି ୨୦ ଦିନ ଧରି ଜୀବନ ସହ ସଂଘର୍ଷ କରିବା ପରେ ହଠାତ୍ ତାଙ୍କ ଦେହ ଖରାପ ହୋଇଯିବା ସହ ସୋମବାର ରାତି ୨ଟାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ପରିବାର ସୂତ୍ରରୁ ଜଣାପଡ଼ିଛି। ନନ୍ଦକିଶୋରଙ୍କୁ ୬୫ ବର୍ଷ ହୋଇଥିଲା। ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ସରିତା ଜୟନ୍ତୀ ବେହେରା, ରଂଜିତା ମହାନ୍ତି, ପ୍ରଶାନ୍ତୀ ପ୍ରଧାନ, ସୁପୀପ୍ତା ଦାଶ, ମାମାଲି ଦାସ, ପ୍ରଥମା ପ୍ରିୟଦର୍ଶିନୀଙ୍କ ଭଳି ଖେଳାଳିଙ୍କ ଖେଳ ଜୀବନ ଶୀର୍ଷରେ ପହଞ୍ଚାଇବା ସହ ଅନେକ କୁନି କୁନି ବାଳିକାଙ୍କୁ ଫୁଟବଲ୍ ଖେଳକୁ ଆଣିବାରେ ସେ ପ୍ରମୁଖ ଭୂମିକା ତୁଲାଇଥିଲେ। ଏପରିକି ନିଜସ୍ବ ଉଦ୍ୟମରେ ସାଲିଆ ସାହି ଏବଂ ଅନ୍ୟ କେତେକ ସ୍ଥାନର ପିଲାମାନଙ୍କୁ ନେଇ ଏକ ମହିଳା ଫୁଟବଲ୍ ଦଳ ମଧ୍ୟ ଗଠନ କରିଥିଲେ ସେ। ବାରିପଦାରେ ଜନ୍ମ ହୋଇଥିଲେ ମଧ୍ୟ କଳିଙ୍ଗ ଷ୍ଟାଡିୟମକୁ ନନ୍ଦକିଶୋର ନିଜ କର୍ମଭୂମି ବାଛି ନେଇଥିଲେ। କଳିଷ୍ଟ ଷ୍ଟାଡିୟମ ମୁଖ୍ୟ ଓ ଅଭ୍ୟାସ ପଡ଼ିଆରେ କ୍ରୀଡ଼ା ତାରକାଙ୍କ ଗହଣରେ ସେ ଢେର ସମୟ କଟାଉଥିଲେ। ମହିଳା ଫୁଟବଲ୍ ପ୍ରତି ଅବଦାନ ଲାଗି ତାଙ୍କ ସିଏନଏନ୍ଆଇବିଏନ୍ ପକ୍ଷରୁ ସ୍ବତନ୍ତ୍ର ସମ୍ମାନ ବି ମିଳିଥିଲା। ତାଙ୍କ ବିୟୋଗରେ ରାଜ୍ୟ କ୍ରୀଡ଼ା ଦୁନିଆରେ ଶୋକର ଛାୟା ଖେଳିଯାଇଛି।
/sambad/media/post_attachments/wp-content/uploads/2021/06/56f456h4sf56hfshhhhhhhhhhhhhhhhhhhhhhhhhh.jpg)
ସମସ୍ତଙ୍କ ପ୍ରିୟ ଟୁଟୁ ସାର୍
ଓଡ଼ିଶା ଫୁଟବଲ୍ ଦୁନିଆରେ ଟୁଟୁ ସାର୍ ଭାବେ ପରିଚିତ ନନ୍ଦ କିଶୋର ଜଣେ ଅତ୍ୟନ୍ତ ମେଳାପି, ମିଷ୍ଟଭାଷୀ, ସ୍ନେହି ଓ ସରଳ ବ୍ୟକ୍ତି ଥିଲେ। ୧୯୫୬ ମସିହା ମାର୍ଚ ୧୬ ତାରିଖରେ ଜନ୍ମଗ୍ରହଣ କରିଥିବା ନନ୍ଦ କିଶୋରଙ୍କ ପିଲାବେଳ ବାରିପଦାରେ କଟିଥିଲା। ୧୯୭୭ ଓ ୭୮ ମସିହାରେ ଦୁଇ ଥର ସେ ଜାତୀୟ କନିଷ୍ଠ ଫୁଟବଲ୍ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରିଥିଲେ। ୧୯୯୨-୯୩ରେ ପ୍ରଶିକ୍ଷଣରେ ଦୁନିଆରେ ପାଦ ଥାପିଥିଲେ। ୧୯୯୫ରୁ ମହିଳା ଫୁଟବଲର୍ଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରି ଆଶାତୀତ ସଫଳତା ହାସଲ କରିଥିଲେ। ଓଡ଼ିଶା ମହିଳା ଫୁଟବଲ୍ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ଲାଗି ଶ୍ରେଷ୍ଠ ପ୍ରଶିକ୍ଷକ ଭାବେ ୧୯୯୫ ମସିହାରେ ତାଙ୍କୁ ସମ୍ମାନଜନ ବିଜୁ ପଟ୍ଟନାୟକ ପୁରସ୍କାର ମିଳିଥିଲା। ଏଜି ଓଡ଼ିଶାରୁ ଅବସର ନେଇଥିବା ନନ୍ଦ କିଶୋର ନିଜ ସମଗ୍ର ଜୀବନ ଫୁଟବଲ୍ ସାଧନାରେ କଟାଇ ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଶୋକ
ନନ୍ଦ କିଶୋରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ଶୋକବାର୍ତ୍ତାରେ କହିଛନ୍ତି ଯେ ବିଶିଷ୍ଟ ଫୁଟବଲ କୋଚ୍ ନନ୍ଦ କିଶୋର ପଟ୍ଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାରୁ ବିଶ୍ୱସ୍ତରୀୟ ଫୁଟ୍ବଲ୍ କ୍ରୀଡ଼ାବିତ ସୃଷ୍ଟି କ୍ଷେତ୍ରରେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି। ସେହିଭଳି ଭାରତୀୟ ମହିଳା ଫୁଟବଲ୍ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଗୀତାଞ୍ଜଳି ସାମନ୍ତରାୟ, ଦୌଡ଼ରାଣୀ ଦୂତି ଚାନ୍ଦ, ଫୁଟବଲର ସରିତା ଜୟନ୍ତୀ ବେହେରା, ପ୍ରଶିକ୍ଷକ ଜୟଦେବ ମହାପାତ୍ର, ଶୁଭେନ୍ଦୁ ପଣ୍ଡା, ସୁଦୀପ୍ତା ଦାଶ, ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ପ୍ରମୁଖ ଶ୍ରୀ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
ପିସିସି ସଭାପତିଙ୍କ ଶୋକ
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ଶୋକବାର୍ତ୍ତାରେ କହିଛନ୍ତି ଯେ ନନ୍ଦକିଶୋରଙ୍କ ବିୟୋଗ ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଏକ ଅପୁରଣୀୟ କ୍ଷତି। ବହୁ ଜାତୀୟ ଓ ଆର୍ନ୍ତଜାତୀୟ ମହିଳା ଫୁଟବଲ ଖେଳାଳି ସୃଷ୍ଟି କରିବା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। ସ୍ୱର୍ଗତ ନନ୍ଦକିଶୋର ପଟ୍ଟନାୟକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ଗଭୀର ସମବେଦନା ଜଣାଉଛି।
ଅପୂରଣୀୟ କ୍ଷତି: ଫାଓ
କଟକ: ରାଜ୍ୟ ଫୁଟବଲ ସଂଘ (ଫାଓ) ଶୋକବାର୍ତ୍ତାରେ କହିଛି ଯେ ରାଜ୍ୟ ଫୁଟ୍ବଲ୍ ଦଳକୁ ନନ୍ଦକିଶୋର ଏକାଧିକ ଥର ପ୍ରତିନିଧିତ୍ବ କରିଛନ୍ତି। ରାଜ୍ୟର ବହୁ ନାମୀ କ୍ଲବ୍ରୁ ଖେଳିଛନ୍ତି। ସ୍ବର୍ଗତ ପଟ୍ଟନାୟକଙ୍କ ପ୍ରଶିକ୍ଷଣରେ ଚଳିତ ବର୍ଷ ଅନୁଷ୍ଠିତ ଫାଓ ମହିଳା ଫୁଟବଲ ଲିଗ୍ରେ ରାଇଜିଂ ଷ୍ଟୁଡେଣ୍ଟ୍ସ କ୍ଲବ୍ ବିଜେତା ହୋଇପାରିଥିଲା। ତାଙ୍କ ବିୟୋଗ ରାଜ୍ୟ ଫୁଟବଲ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି। ନନ୍ଦକିଶୋରଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଫାଓ ପକ୍ଷରୁ ପ୍ରାର୍ଥନା କରାଯାଇଥିଲାବେଳେ ଶୋକସନ୍ତପ୍ତ ପରିବାରକୁ ଭଗବାନ ସହାୟ ହୁଅନ୍ତୁ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/f56h456sf456h4sf5hhhhhhhhhhhhhhhhhhhhhhhhh.jpg)
