କଟକ: ରାଜ୍ୟ ଫୁଟ୍‌ବଲ୍‌ର ସୁପରିଚିତ ଚେହେରା ତଥା ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଦେବେନ୍ଦ୍ର ସିଂହ ଆଉ ନାହାନ୍ତି। ସୋମବାର ସକା‌ଳେ ତୁଳସୀପୁର ମଧୁସୂଦନନଗର ବାସଭବନରେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୮୨ ବର୍ଷ ହୋଇଥିଲା। କିଛିଦିନ ହେବ ସେ ଅସୁସ୍ଥ ଥିଲେ। ଅନ୍ତିମ ଶଯ୍ୟା ନିକଟରେ ପତ୍ନୀ, ଦୁଇ ପୁଅ ପୂର୍ବତନ ଆନ୍ତର୍ଜାତିକ ଫୁଟ୍‌ବଲ୍‌‌ ଖେଳାଳି ରାଜେନ୍ଦ୍ର ପ୍ରସାଦ ସିଂହ, ଜିତେନ୍ଦ୍ର ପ୍ରସାଦ ସିଂହ, ଝିଅ ମୋନାଲିସା ସିଂହଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ପରଲୋକ ଖବର ପାଇ ଓଡ଼ିଶା ଫୁଟ୍‌ବଲ୍‌ ସଂଘ (ଫାଓ)ର ଯୁଗ୍ମ ସଂପାଦକ ଅଭିଜିତ ପାଲ, କୋଷାଧ୍ୟକ୍ଷ ଭକ୍ତବଲ୍ଲଭ ଦାସ, ମହମ୍ମଦ ସାହିଦ ଜବାର, ଦିଲ୍ଲୀପ ସାହୁଙ୍କ ସମେତ ଅନ୍ୟ କର୍ମକର୍ତ୍ତା, କଟକ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଶେ‌ଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ସତୀଚଉରା ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ବଡ଼ପୁଅ ରାଜେନ୍ଦ୍ର ମୁଖାଗ୍ନି ଦେଇଥିଲେ। 

Advertisment

ଢେଙ୍କାନାଳରେ ଜନ୍ମିତ ଶ୍ରୀ ସିଂହ ଜଣେ ସୁଦକ୍ଷ ଫୁଟ୍‌ବଲ୍‌ ଖେଳାଳି ଓ ଭଲ ମଣିଷ ଭାବେ ଜଣାଶୁଣା ଥିଲେ। ସ୍ବର୍ଗତ ସିଂହ ଭାରତ ପାଇଁ ୧୯୬୭-୬୮ରେ ଗୋଟିଏ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲେ। ବର୍ମା (ବର୍ତ୍ତମାନର ମିଆଁମାର) ବିପକ୍ଷରେ ଖେଳିଥିବା ଭାରତୀୟ ଦଳରେ ସେ ଡିଫେଣ୍ଡର ଭାବେ ସାମିଲ ଥିଲେ। ଦେବେନ୍ଦ୍ର ଓଡ଼ିଶାକୁ ଏକାଧିକ ଥର ସନ୍ତୋଷ ଟ୍ରଫିରେ ପ୍ରତିନିଧିତ୍ବ କରିଛନ୍ତି। ସେ ମଧ୍ୟ ସନ୍ତୋଷ ଟ୍ରଫି ରାଜ୍ୟ ଦଳର ଅଧିନାୟକ ଥିଲେ। ୧୯୬୭-୬୮ ଋତୁରେ ସେ ଓଡ଼ିଶାକୁ ସନ୍ତୋଷ ଟ୍ରଫି ସେମିଫାଇନାଲ୍‌ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। କ୍ଲବ୍‌ସ୍ତରୀୟ ପ୍ରତିଯୋଗିତାରେ ସେ ଓଡ଼ିଶା ପୁଲିସ୍ ପକ୍ଷରୁ ଖେଳୁଥିଲେ। ଓଡ଼ିଶା ପୁଲିସ୍‌ରୁ ଅବସର ନେବା ପରେ ଦେବେନ୍ଦ୍ର କିଛି ସମୟ ଧରି ପ୍ରଶିକ୍ଷଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ପରବର୍ତ୍ତୀ ସମୟରେ ଶ୍ରୀ ସିଂହ ଓଡ଼ିଶା ପୁଲିସ୍‌ ଫୁଟ୍‌ବଲ୍‌‌ ଦଳର ପ୍ରଶିକ୍ଷକ ତଥା କ୍ରୀଡ଼ା ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରିବା ପରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଭାବେ ଅବସର ଗ୍ରହଣ କରି ତୁଳସୀପୁର ଅଞ୍ଚଳରେ ପରିବାର ସହ ରହୁଥିଲେ। ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ପକ୍ଷରୁ ୨୦୧୮ରେ ତାଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଛି।

ସମୀର ଓ ଦେବେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି
ଗୋଟିଏ ଦିନରେ ଦୁଇ କ୍ରୀଡ଼ା ବ୍ୟକ୍ତିତ୍ବଙ୍କ ଦେହାନ୍ତରେ ରାଜ୍ୟ ଖେଳ ଦୁନିଆ ଶୋକରେ ମ୍ରିୟମାଣ ‌ହୋଇଯାଇଛି। ଓଡ଼ିଶା ଫୁଟ୍‌ବଲ୍‌‌ ଓ ଜିମ୍ନାଷ୍ଟିକ୍ସ ସଂଘର ସଭାପତି ତଥା ଓଡ଼ିଶା ଅଲିମ୍ପିକ୍ସ ସଂଘର ପୂର୍ବତନ ସଭାପତି ରାଜନେତା ସମୀର ଦେ ଏବଂ ଫୁଟ୍‌ବଲ୍‌ କିଂବଦନ୍ତି ଦେବେନ୍ଦ୍ର ସିଂହଙ୍କ ବିୟୋଗରେ ବିଭିନ୍ନ ବର୍ଗରୁ ଗଭୀର ଶୋକ ପ୍ରକାଶ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଓଡ଼ିଶା ଫୁଟ୍‌ବଲ୍‌ ସଂଘ ସମ୍ପାଦକ ଆଶୀର୍ବାଦ ବେ‌ହେରା, ଓଡ଼ିଶା କ୍ରିକେଟ୍‌ ସଂଘ ସମ୍ପାଦକ ସଂଜୟ ବେହେରା, ଓଡ଼ିଶା ଅଲିମ୍ପିକ୍ ସଂଘ ସମ୍ପାଦକ ଅଭିଜିତ ପାଲ୍‌, ଭୁବନେଶ୍ବର ଦୌଡ଼କୁଦ ସଂଘ ଫୁଟ୍‌ବଲ୍‌ ସମ୍ପାଦକ ଦିଲୀପ ଦାସ, ଭୁବନେଶ୍ବର ଫୁଟ୍‌ବଲ୍‌ ପ୍ଲେୟର୍ସ ସଂଘ ସଭାପତି ନବରଂଜନ ପଟ୍ଟନାୟକ, ସମ୍ପାଦକ ପ୍ରଫୁଲ୍ଲ ମିଶ୍ର ଶୋକ ପ୍ରକାଶ କରିଛନ୍ତି। ସମୀର ଦେଙ୍କ ବିୟୋଗରେ ଓଡ଼ିଶା ଜିମ୍ନାଷ୍ଟିକ୍ସ ସଂଘ ସମ୍ପାଦକ ଅଶୋକ ସାହୁ, ଭୁବନେଶ୍ବର ଜିଲ୍ଲା ଜିମ୍ନାଷ୍ଟିକ୍ସ ସଂଘ ସଭାପତି ସୁରେଶ ରାଉତରାୟ, ଉପସଭାପତି ମୀରାରାଣୀ ଦାସ, ସମ୍ପାଦକ ନରେନ୍ଦ୍ର ସେଠୀ, ଯୁଗ୍ମ ସମ୍ପାଦକ ଗୁରୁ ପ୍ରସାଦ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଶିବପ୍ରସାଦ ପଣ୍ଡା, ‌ଯଶୋବନ୍ତ ଦାସ, ମିନତି ସାହୁ, ମହାଶ୍ବେତା ଷଡ଼ଙ୍ଗୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।