କିଂବଦନ୍ତି ଫୁଟ୍‌ବଲର୍‌ ରୋନାଲ୍‌ଡିନୋ ଗିରଫ

ସାନ୍ ଲୋରେ‌ଞ୍ଜୋ: ବ୍ରାଜିଲର କିଂବଦନ୍ତି ଫୁଟ୍‌ବଲ୍ ତାରକା ରୋନାଲ୍‌ଡିନୋ ନକଲି ପାସ୍‌ପୋର୍ଟ ଦେଖାଇ ପାରାଗୁଏରେ ପ୍ରବେଶ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ୨୦୦୨ରେ ବିଶ୍ବକପ୍ ଜିତିଥିବା ବ୍ରାଜିଲ ଦଳର ଅନ୍ୟତମ ସଦସ୍ୟ ଥିବା ରୋନାଲଡିନୋଙ୍କ ସହ ତାଙ୍କ ଭାଇ ରବେର୍ଟୋ ବୁଧବାର ରାତିରେ ଏହି କାଣ୍ଡ କରିଥିଲେ। ଏଣୁ ପାରାଗୁଏ ପୁଲିସ ସେମାନଙ୍କୁ ଏକ ଗଲ୍ଫ କ୍ଲବ୍‌ରେ ଅଟକ ରଖି ପଚରାଉଚରା କରୁଛି। ଉଭୟଙ୍କ ପାସ୍‌ପୋର୍ଟରେ ବେଆଇନ ଭାବେ ସେମାନେ ପାରାଗୁଏର ନାଗରିକ ବୋଲି ଉଲ୍ଲେଖ ଥିବା ପୁଲିସ ପ୍ରକାଶ କରିଛି।

ପାରାଗୁଏର ଏକ ଜୁଆ ଆଡ୍ଡା‌ ମାଲିକଙ୍କ ନିମନ୍ତ୍ରଣରେ ରୋନାଲ୍‌ଡିନୋ ଓ ତାଙ୍କ ଭାଇ ପାରାଗୁଏ ଯାଇଥିଲେ। ସେଠାରେ ସେ ଏକାଧିକ ସଭା ଓ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା। ହେଲେ ଏସବୁ କାର୍ଯ୍ୟକ୍ରମକୁ ଏବେ ସ୍ଥଗିତ ରଖାଯାଇଛି। ସୂଚନାଯୋଗ୍ୟ ଯେ ୨୦୧୮ ମସିହାରେ ପରିବେଶ ନିୟମ ଉଲ୍ଲଂଘନରେ ରୋନାଲଡିନୋଙ୍କ ବ୍ରାଜିଲ ନାଗରିକତ୍ବକୁ ନିଲମ୍ବନ କରିଦିଆଯାଇଛି। ରୋନାଲଡି‌ନୋ ଓ ତାଙ୍କ ଭାଇ ୨୦୧୫ରେ ବେଆଇନ ଭାବେ ଏକ ହ୍ରଦ ଉପରେ ମାଛଧରା ଫନ୍ଦା ନିର୍ମାଣ କରିଥିଲେ। ୩ ବର୍ଷ ପରେ ଉଭୟଙ୍କୁ ଏହି ମାମଲାରେ ଦଣ୍ଡବିଧାନ ହୋଇଥିଲା। ସମ୍ଭବତଃ ସେଥିପାଇଁ ସେ ନକଲି ପାସ୍‌ପୋର୍ଟରେ ପାରାଗୁଏ ଯାତ୍ରା କରିଥିବା‌ ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର