ପୂଜା ମଣ୍ଡପରେ ଫୁଟବଲ୍ ପ୍ରଚାର: ଆକର୍ଷଣରେ ଚୁନି ଗୋସ୍ବାମୀ, ପିକେ ବାନାର୍ଜୀ ଓ ଶୈଲେନ ମାନ୍ନା

କୋଲକାତା: ଏଥରର ପାର୍ବଣ ଋତୁ ପୂର୍ବରୁ ସବୁ ବର୍ଷଠାରୁ ଭିନ୍ନ ଓ ପୃଥକ। ମା’ ଦୁର୍ଗା ସାର୍ବଜନୀନ ପୂଜା ମଣ୍ଡପରେ ପୂଜା ତ ପାଉଛନ୍ତି, ହେଲେ ଭକ୍ତଙ୍କୁ ତାଙ୍କୁ ଦର୍ଶନ କରିବାର ସୁଯୋଗ ମିଳୁନି। ସେହିଭଳି କରୋନା ମହାମାରୀ ସଙ୍କଟ ପାଇଁ ପୂଜା ବାଜାର ବି ପୂରା ଫିକା ରହିଛି। ସାଧାରଣ ଜନତା ନିଜ ନିଜ ଘରେ ରହି ଦୁର୍ଗତୀ ନାଶିନୀ ମା’ ଦୁର୍ଗାଙ୍କ ଉପାସନା କରୁଥିଲା ବେଳେ ବେଙ୍ଗଲର ଏକ ଫୁଟବଲ୍ ସଂଘ ଏହାକୁ ସୁଯୋଗ ଭାବେ ନେଇ କୋଲକାତା ସହରର ପ୍ରମୁଖ ଛକ ଓ ଗଳି ଅଞ୍ଚଳରେ ଚୁନି ଗୋସ୍ବାମୀ, ପିକେ ବାନାର୍ଜୀ ଓ ଶୈଲେନ ମନ୍ନାଙ୍କ ଭଳି ମହାନ ଓ କିଂବଦନ୍ତି ଫୁଟବଲ୍ ତାରକାଙ୍କ ବଡ଼ ବଡ଼ ହୋର୍ଡିଂ ଓ ପୋଷ୍ଟର ଲଗାଇଛି। ଏହା କରି ସଙ୍ଘ ଲୋକମାନଙ୍କୁ ଫୁଟବଲ୍ ସହ ଯୋଡ଼ିବାକୁ ଚେଷ୍ଟା କରିଛି। ଇଣ୍ଡିଆନ୍ ଫୁଟବଲ୍ ସଂଘ (ଆଇଏଫ୍‌ଏ) ବ୍ୟାନର ତଳେ ଗୋସ୍ବାମୀ, ବାନାର୍ଜୀ ଓ ମ ବିଶାଳ ହୋର୍ଡିଂ ଆହିରିତୋଲା ଓ ଛେଲା ପୂଜା ମଣ୍ଡପ ନିକଟରେ ଲଗାଯାଇଛି।

” ବେଙ୍ଗଲରେ ଫୁଟବଲ୍ କୌଣସି ଉତ୍ସବଠାରୁ କମ୍ ନୁହେଁ। ଏଣୁ ଏହା ସ୍ବାଭାବିକ ଯେ ପାର୍ବଣ ଋତୁକୁ ପାଳନ କରିବା ବେଳେ ଆମେ ରାଜ୍ୟର ମହାନ ଫୁଟବଲ୍ ତାରକାଙ୍କୁ ମଧ୍ୟ ସାମିଲ କରିଛୁ” ବୋଲି ଆଇଏଫ୍‌ଏ ସାଧାରଣ ସଂପାଦକ ଜୟଦୀପ ମୁଖାର୍ଜୀ କହିଛନ୍ତି। କେବଳ ଏହି ଦୁଇଟି ପୂଜା ସମିତି ନୁହେଁ ଅନ୍ୟ କେତେକ ସ୍ଥାନରେ ମଧ୍ୟ ଆଇଏଫଏ ଏଭଳି ବଡ଼ ବଡ଼ ‌ପୋଷ୍ଟର ଓ ହୋର୍ଡିଂ ଲଗାଇଛି। ଭାରତୀୟ ଫୁଟବଲର ମହନୀୟ ଅତୀତକୁ ମନେ ପକାଇ ଚାନ୍ଦିନୀ ଚୌକରେ ଶୈଲେନ ମନ୍ନାଙ୍କ ଏକ ବିଶାଳ ହୋର୍ଡିଂ ମଧ୍ୟ ଶୋଭା ପାଉଛି। ୧୯୫୧ ମସିହାରେ ପୂର୍ବତନ ମହାନ ରକ୍ଷଣଭାଗ ତାରକା ମନ୍ନାଙ୍କ ନେତୃତ୍ବରେ ହିଁ ଭାରତ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲା। ସେ ମଧ୍ୟ ୧୯୬୨ ଅଲିମ୍ପିକ୍ସରେ ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ଆଇଏଫଏ ପଶ୍ଚିମବଙ୍ଗର ୨୩ ଜିଲ୍ଲାରେ ଏଭଳି ହୋର୍ଡିଂ ଲଗାଯାଇଛି। ମୁଖାର୍ଜୀ ଆହୁରି କହିଛନ୍ତି ଯେ ଆଇଏଫଏ, ବେଙ୍ଗଲର ପାଇଁ ଗର୍ବ ଓ ଗୌରବ। ଆମେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛୁ। କାରଣ ଅଗଣିତ ଫୁଟବଲ୍ ପ୍ରେମୀ ସବୁବେଳେ ପୂଜା ମଣ୍ଡପ ଉପରେ ତୀକ୍ଷ୍ଣ ନଜର ରଖିଥା’ନ୍ତି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ବେଙ୍ଗଲର ଦୁଇ ପ୍ରମୁଖ ତଥା ଏସିଆର ଅନ୍ୟତମ ପୂରାତନ ଫୁଟବଲ୍ କ୍ଲବ୍ ଇଷ୍ଟବେଙ୍ଗଲ ଓ ମୋହନ ବାଗାନ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆଇଏସ୍‌ଏଲ୍‌ରେ ଖେଳିବାକୁ ଯାଉଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଆଇଏଫ୍‌ଏ ମଧ୍ୟ ଆଇ-ଲିଗ୍ ଯୋଗ୍ୟତା ପର୍ଯ୍ୟାୟ ଆୟୋଜନ କରିଥିଲା। କରୋନା ଲକଡାଉନ ପରେ ଏହା ମଧ୍ୟ ଦେଶର ପ୍ରଥମ କ୍ରୀଡ଼ା ପ୍ରତିଯୋଗିତା ଥିଲା। ୨୦୨୦-୨୧ ଋତୁରେ ସଂଘ ମଧ୍ୟ ଆଇ-ଲିଗ୍ ଆୟୋଜନ କରିବାକୁ ଯାଉଛି।

ସମ୍ବନ୍ଧିତ ଖବର