ମେସିଙ୍କ ମହାନତା, ଗୋଟିଏ ନାରୀକୁ‌ ପ୍ରେମ ଓ ବିବାହ

ନିଜ ଅସାଧାରଣ ଓ ଅପ୍ରତିଦ୍ବନ୍ଦ୍ବୀ ଫୁଟବଲ୍ ଦକ୍ଷତା ପାଇଁ ପରିଚିତ ଆର୍ଜେଣ୍ଟିନାର କିଂବଦନ୍ତି ଫୁଟବଲର୍‌ ଲିଓନେଲ ମେସି ସାଧାରଣ ଜୀବନରେ ଅତ୍ୟନ୍ତ ଭଦ୍ର ଓ ମିଷ୍ଟଭାଷୀ। ମେସିଙ୍କ ମହାନତାର ବିଶେଷତ୍ବ ହେଲା ସେ ଜୀବନସାରା ଗୋଟିଏ ନାରୀକୁ‌ ପ୍ରେମ ଓ ବିବାହ, ଗୋଟିଏ କ୍ଲବ୍‌ ସହ ଚୁକ୍ତିବଦ୍ଧ ଏବଂ ଗୋଟିଏ ଦେଶ ପାଇଁ ପ୍ରତିନିଧିତ୍ବ କରିବାର ବିରଳ ଗୌରବ ରଖିଛନ୍ତି। ସେ ଜୀବନ ସାରା କେବଳ ଆଣ୍ଟୋନେଲା ରୋକୁଜୋଙ୍କୁ ପ୍ରେମ କରିଛନ୍ତି। ତାଙ୍କୁ ହିଁ ବିବାହ କରିଛନ୍ତି। କେବଳ ଗୋଟିଏ କ୍ଲବ୍ ବାର୍ସେଲୋନା ପାଇଁ ଖେଳିଛନ୍ତି। ସ୍ପେନ୍‌ରୁ ଖେଳିବାର ସୁଯୋଗ ଥିଲେ ମଧ୍ୟ ନିଜ ଦେଶ ଆର୍ଜେଣ୍ଟିନା ଛାଡ଼ିବାକୁ ଚିନ୍ତା ବି କରି ନାହାନ୍ତି। ମହତ୍ବପୂର୍ଣ୍ଣ କଥା ହେଲା ରୋକୁଜା ହେଉଛନ୍ତି ମେସିଙ୍କ ପିଲାବେଳର ବାନ୍ଧବୀ। ଉଭୟ ଆର୍ଜେଣ୍ଟିନାର ରୋଜାରିଓ ସହରରେ ବଡ଼ ହୋଇଛନ୍ତି। ଦୁଇ ଜଣଙ୍କ ପିଲାବେଳ ଏକାଠି କଟିଛି। ୧୯୮୮ ଫେବ୍ରୁଆରି ୨୪ ତାରିଖରେ ଜନ୍ମଗ୍ରହଣ କରିଥିବା ରୋକୁଜାଙ୍କଠାରୁ ମେସି ଅବଶ୍ୟ ବୟସରେ ବର୍ଷେ ବଡ଼। ନିଜ ନିଜ ପସନ୍ଦର ପେସା ବାଛି, ସେଥିରେ ସ୍ବପ୍ନ ପୂରଣ ପାଇଁ ଅବଶ୍ୟ ଉଭୟ କିଛି ବର୍ଷ ପାଇଁ ଅଲଗା ହୋଇଯାଇଥିଲେ। ୨୦୦୭ ମସିହାରେ ରୋକୁଜାଙ୍କ ଜଣେ ନିକଟତମ ବନ୍ଧୁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ମେସି ସ୍ପେନ୍‌ରୁ ଦୀର୍ଘ ପଥ ଯାତ୍ରା କରି ରୋକୁଜାଙ୍କୁ ସାନ୍ତ୍ବନା ଦେବାକୁ ଆର୍ଜେଣ୍ଟିନାରେ ପହଞ୍ଚି ଯାଇଥିଲେ। ସେବେଠାରୁ ସେମାନଙ୍କ ପ୍ରେମ ସଂପର୍କ ଆହୁରି ନିବିଡ଼ ହୋଇଥିଲା। ୧୦ ବର୍ଷ ପରେ ଅର୍ଥାତ୍ ୨୦୧୭ରେ ମେସି-ରୋକୁଜା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସେମାନେ ଏବେ ତିନି ଜଣ ପୁଅଙ୍କ ଗର୍ବିତ ପିତା-ମାତା। ବିବାହ ପୂର୍ବରୁ ଥିଆଗୋ ଓ ମାଟିଓ ଜନ୍ମଗ୍ରହଣ କରିଥିଲେ। ବିବାହର ଠିକ୍ ପରେ ସାନ ପୁଅ ଚିରୋ ଜନ୍ମ ଗ୍ରହଣ କରିଛି।

ସମ୍ବନ୍ଧିତ ଖବର