ଆଜିଠୁ ଫୁଟବଲ୍‌ ହଙ୍ଗାମା

ମସ୍କୋ : ଫୁଟ୍‌ବଲ୍‌ ବିଶ୍ୱକପ୍‌ର ୨୧ତମ ସଂସ୍କରଣ ଗୁରୁବାରଠାରୁ ରୁଷିଆ ରାଜଧାନୀ ମସ୍କୋରେ ଆରମ୍ଭ ହେବାକୁ ଯାଉଛି। ଏକ ମାସ ଧରି ଚାଲିବାକୁ ଥିବା ମସ୍କୋ ମହାସମରରେ ୩୨ଟି ବଛା ବଛା ଦଳ ବିଜେତା ମୁକୁଟ ପିନ୍ଧିବା ଲାଗି ଲଢ଼େଇ କରିବେ। ଏଥର ବିଶ୍ୱକପ୍‌ରେ ମୋଟ ୬୪ ମ୍ୟାଚ୍‌ ଖେଳାଯିବ। ଫୁଟ୍‌ବଲ୍‌ର ଏହି ମହାକୁମ୍ଭ ରୁଷିଆର ୧୧ ସହରର ୧୨ ଷ୍ଟାଡିୟମରେ ଆୟୋଜିତ ହେବ। ଗୁରୁବାର ରାତି ୮ଟା ୩୦ରୁ ଆୟୋଜକ ରୁଷିଆ ଏବଂ ସାଉଦି ଆରବ ମଧ୍ୟରେ ଉଦଘାଟନୀ ମୁକାବିଲା ଖେଳାଯିବ। ଏହା ପୂର୍ବରୁ ଅଧଘଣ୍ଟାଏର ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ଫୁଟ୍‌ବଲ୍‌ ଜଗତର ବହୁ ନାମୀଦାମୀ ତାରକା ଏବଂ କିମ୍ବଦନ୍ତୀ କ୍ରୀଡ଼ାବିତ୍‌ଙ୍କ ସହ ଚଳଚ୍ଚିତ୍ର ଏବଂ ସଙ୍ଗୀତ ଜଗତର ସେଲିବ୍ରେଟି ଯୋଗଦେବେ। ଫାଇନାଲ୍‌ ଜୁଲାଇ ୧୫ରେ ମସ୍କୋର ଲୁଝନିକ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥର ବିଶ୍ୱକପରେ ରେକର୍ଡ ୨୭୦୦ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ସଂପ୍ରତି ବିଶ୍ୱମାନ୍ୟତାର ପ୍ରଥମ ପାଞ୍ଚ ସ୍ଥାନରେ ଥିବା ଜର୍ମାନି, ବ୍ରାଜିଲ, ବେଲଜିୟମ, ପର୍ତୁଗାଲ ଓ ଆର୍ଜେଣ୍ଟିନାକୁ ଚଳିତ ବିଶ୍ୱକପର ପ୍ରମୁଖ ଦାବିଦାର କୁହାଯାଉଛି। ବ୍ରାଜିଲରେ ଆୟୋଜିତ ଗତ ସଂସ୍କରଣରେ ଆର୍ଜେଣ୍ଟିନାକୁ ହରାଇ ଜର୍ମାନି ବିଶ୍ୱବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର