ଦିନକ ଆଗରୁ ଆରମ୍ଭ ହେବ ଫୁଟ୍‌ବଲ୍ ବିଶ୍ବକପ୍

ଦୋହା: କାତାର ଦେଶର ରାଜଧାନୀ ଦୋହାଠାରେ ଖେଳାଯିବାକୁ ଥିବା ଫୁଟ୍‌ବଲ୍ ବିଶ୍ବକପ୍‌ ପୂର୍ବ ଘୋଷିତ ସୂଚୀର ଗୋଟିଏ ଦିନ ଆଗରୁ ଆରମ୍ଭ ହୋଇପାରେ। ପୂର୍ବରୁ ଏହି ବହୁରାଷ୍ଟ୍ରୀୟ ଫୁଟ୍‌ବଲ୍ ମହାକୁମ୍ଭ ଚଳିତବର୍ଷ ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବାର ଥିଲା। ଏବେ କିନ୍ତୁ ଏହାକୁ ନଭେମ୍ବର ୨୦ ତାରିଖରୁ ଆରମ୍ଭ କରିବାକୁ ଫିଫା ଚିନ୍ତା କରୁଛି। ତେବେ ଏଥିନେଇ ଆନୁଷ୍ଠାନିକ ଭାବେ କୌଣସି ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇନାହିଁ।

ଡିସେମ୍ବର ୧୮ ତାରିଖରେ ଶେଷ ହେବାକୁ ଥିବା ବିଶ୍ବ ଫୁଟ୍‌ବଲ୍‌ର ଏହି ସର୍ବବୃହତ୍ ପ୍ରତିଯୋଗିତାର ଉଦ୍‌ଘାଟନୀ ଦିବସରେ ଚାରିଟି ମ୍ୟାଚ୍ ଖେଳାଯିବାର ଅଛି। ତେବେ ଆୟୋଜକ କାତାର ଦିନର ତୃତୀୟ ମ୍ୟାଚ୍ ଖେଳିବାକୁ ପଡ଼ିଆକୁ ଓହ୍ଲାଇବ। ତେବେ ପାରମ୍ପରିକ ଭାବେ ଆୟୋଜକ ଦେଶ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍ ଖେଳି ଆସୁଥିବାରୁ ଚୂଡ଼ାନ୍ତ ସୂଚୀରେ ସାମାନ୍ୟ ଅଦଳ ବଦଳ କରିବାକୁ କାତାର ଫୁଟ୍‌ବଲ୍ ସଂଘ ଫିଫାକୁ ଅନୁରୋଧ କରିଛି। ତା’ ସହ ନଭେମ୍ବର ୨୧ ପରିବର୍ତ୍ତେ ନଭେମ୍ବର ୨୦ରେ ଉଦ୍‌ଘାଟନୀ ମ୍ୟାଚ୍ ଖେଳି ପାରିବ ବୋଲି ମଧ୍ୟ ସଂଘ ଫିଫାକୁ ଜଣାଇ ‌ଦେଇଛି। ସୂଚନାଯୋଗ୍ୟ ଯେ କାତାର ତା’ର ପ୍ରଥମ ମ୍ୟାଚ୍‌ରେ ଇକ୍ବେଡରକୁ ଭେଟିବ।

ସମ୍ବନ୍ଧିତ ଖବର