ଫୁଟ୍‌ବଲ୍‌ କିଂବଦନ୍ତି ପିକେଙ୍କ ପରଲୋକ

ମୋ ଜୀବନରେ ପିକେଙ୍କ ବଡ଼ ପ୍ରଭାବ ଥିଲା: ଗାଙ୍ଗୁଲି

କୋଲ୍‌କାତା: ଦୀର୍ଘ ଦିନର ଅସୁସ୍ଥତା ସହ ଲଢ଼ିବା ପରେ ଭାରତୀୟ ଫୁଟ୍‌ବଲ୍‌ କିଂବଦନ୍ତି ପିକେ ବାନାର୍ଜୀ (ପ୍ରଦୀପ କୁମାର ବାନାର୍ଜୀ)ଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି। ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ବିଭିନ୍ନ ରୋଗରେ ପୀଡ଼ିତ ଥବା ଶ୍ରୀ ବାନାର୍ଜୀଙ୍କୁ ଗତ ୨ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ଅପରାହ୍ଣ ୧୨.୪୦ରେ ତାଙ୍କର ପରଲୋକ ଘଟିଥିବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ନିମୋନିଆ ଯୋଗୁଁ ତାଙ୍କର ଶ୍ବାସକ୍ରିୟାରେ ସମସ୍ୟା ଦେଖା ଦେଇଥିଲା। ସେ ମଧ୍ୟ ହୃଦ୍‌ସମସ୍ୟା ସାଙ୍ଗକୁ ଏକାଧିକ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ସମୟରେ ନିକଟରେ ଦୁଇ ଝିଅ ପୌଲା ଓ ପୂର୍ଣ୍ଣା ଏବଂ ସାନ ଭାଇ ପ୍ରସୁନ୍‌ ବାନାର୍ଜୀ ଉପସ୍ଥିତ ଥିଲେ। ପୌଲା ଓ ପୂର୍ଣ୍ଣା ଉଭୟେ ଖ୍ୟାତନାମ ଶିକ୍ଷାବିତ୍‌ ହୋଇଥିଲା ବେଳେ ପ୍ରସୁନ୍ ତୃଣମୂଳ କଂଗ୍ରେସର ସାଂସଦ। ପଶ୍ଚିମବଙ୍ଗର ଜଲପାଇଗୁଡ଼ି ନିକଟସ୍ଥିତ ମୋୟନାଗୁରିରେ ୧୯୩୬ ମସିହା ଜୁନ୍‌ ୨୩ ତାରି‌ଖରେ ଜନ୍ମ ଗ୍ରହଣ କରିଥିଲେ ପିକେ ବାନାର୍ଜୀ। ହେଲେ ତାଙ୍କ ମାମୁଁଘର ଜାମ୍‌ସେଦପୁରରେ ସେ ଶିକ୍ଷା ଗ୍ରହଣ କରିଥିଲେ। ସେ ଭାରତୀୟ ଦଳରୁ ୮୪ ମ୍ୟାଚ୍‌ ଖେଳି ୬୫ ଗୋଲ୍‌ କରିଥିଲେ। ୧୯୬୨ ଜାକର୍ତା ଏସୀୟ କ୍ରୀଡ଼ାରେ ଭାରତକୁ ବିଜେତା କରାଇବାରେ ଏହି ଷ୍ଟ୍ରାଇକରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ଫୁଟ୍‌ବଲ୍‌ ଲାଗି ତାଙ୍କ ଯୋଗଦାନ ପାଇଁ ଫିଫା ତାଙ୍କୁ ବିଂଶ ଶତାବ୍ଦୀର ଶ୍ରେଷ୍ଠ ଖେଳାଳି ମାନ୍ୟତା ଦେଇଥିଲା ଏବଂ ୨୦୦୪ରେ ‘ଶତାବ୍ଦୀର ଅର୍ଡର ଅଫ୍‌ ମେରିଟ୍‌’ ପ୍ରଦାନ କରିଥିଲା। ୧୯୫୨ ମସିହାରେ ମାତ୍ର ୧୬ ବର୍ଷ ବୟସରେ ବିହାର ପକ୍ଷରୁ ସନ୍ତୋଷ ଟ୍ରଫି ପଦାର୍ପଣ କରିଥିବା ଶ୍ରୀ ବାନାର୍ଜୀ ମହମ୍ମଡାନ ସ୍ପୋର୍ଟିଂର ପ୍ରଶିକ୍ଷକ ଭାବେ ଫୁଟ୍‌ବଲ୍‌ ଜୀବନ ଶେଷ କରିଥିଲେ। ଏହି ୫୧ ବର୍ଷର ଫୁଟ୍‌ବଲ୍‌ ସେବା ତାଙ୍କୁ ଭାରତର ଶ୍ରେଷ୍ଠ ମାନ୍ୟତା ଦେଇଥି‌ଲା। ସେ ମଧ୍ୟ ୧୯୫୬ ମେଲ୍‌ବର୍ନ ଅଲିମ୍ପିକ୍‌ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ଏହି ଅଲିମ୍ପିକ୍ସରେ ଭାରତ ୪-୧ ଗୋଲ୍‌ରେ ଅଷ୍ଟ୍ରେଲିଆକୁ ହରାଇ ଚତୁର୍ଥ ସ୍ଥାନରେ ରହିଥିଲା। ୧୯୬୦ ରୋମ ଅଲିମ୍ପିକ୍ସରେ ସେ ଭାରତର ନେତୃତ୍ବ ନେଇଥିଲେ। ତାଙ୍କ ଦଳ ଫ୍ରାନ୍ସ ବିପକ୍ଷ ମ୍ୟାଚ୍‌କୁ ୧-୧ ଗୋଲ୍‌ରେ ଅମୀମାଂସିତ ରଖିବାକୁ ସକ୍ଷମ ହୋଇଥିଲା। ଏହା ପରଠୁ ଭାରତୀୟ ଫୁଟ୍‌ବଲ୍‌ ଦଳ ଆଉ ଅଲିମ୍ପିକ୍ସ ଖେଳିବାର ସୁଯୋଗ ପାଇନାହିଁ। ଆହତ ଯୋଗୁଁ ସେ ୧୯୬୭ରେ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରୁ ସନ୍ୟାସ ନେଇଥିଲେ। ଏହା ପରେ ସେ ପ୍ରଶିକ୍ଷକ ଭାବେ ସଫଳତା ଅର୍ଜନ କରିଥିଲେ। ପ୍ରଶିକ୍ଷକ ଭାବେ ସେ ୫୪ ଟ୍ରଫି ଧରିଥିଲେ।

ଏହି କିଂବଦନ୍ତି ଫୁଟ୍‌ବଲ୍‌ ତାରକା ଭାରତର ଦୁଇ ପୁରୁଣା ଦଳ ମୋହନ ବାଗାନ ଓ ଇ‌‌ଷ୍ଟ୍‌ବେଙ୍ଗଲର ପ୍ରଶିକ୍ଷକ ରହିଥିଲେ ମଧ୍ୟ କେବେ ବି ଖେଳି ନଥିଲେ। ପୂର୍ବ ରେଳବାଇ ହିଁ ତାଙ୍କର ଫୁଟ୍‌ବଲ୍‌ ଜୀବନ ଥିଲା। ଯେତେବେଳେ ଶ୍ରୀ ବାନାର୍ଜୀଙ୍କୁ କିଏ ପ୍ରଶ୍ନ କରେ କାହିଁକି ଏହି ଦୁଇ ଦଳରୁ ଖେଳିଲେନି। ଏହାର ଉତ୍ତରରେ ସେ ‘ଚାକ୍ରି ଚାର୍ଲେ ଖୋବୋ କି’ (ଖେଳ ଛାଡ଼ିଦେଲେ ଖାଇବି କ’ଣ) ବୋଲି କୁହନ୍ତି। ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଶ୍ରୀ ବାନାର୍ଜୀ ସହପ୍ରଶିକ୍ଷକ ଭାବେ ଭାରତକୁ ୧୯୭୦ ବ୍ୟାଙ୍କକ୍‌ ଏସୀୟ କ୍ରୀଡ଼ାରେ ଭାରତକୁ କାଂସ୍ୟ ପଦକ ଭେଟି ଦେଇଥିଲେ। ୩୫ ବର୍ଷ ବୟସରେ ବାଶାଙ୍କ ସହ ଜାତୀୟ ଦଳର ସହପ୍ରଶିକ୍ଷକ ରହିଥିଲେ। ଏହାର ଗୋଟିଏ ବର୍ଷ ‌ପରେ ବାନାର୍ଜୀଙ୍କ ପ୍ରଶିକ୍ଷଣରେ ଭାରତ ୧୯୭୧ରେ ସିଙ୍ଗାପୁର ପେଷ୍ଟା ସୁକାନ କପ୍‌ ଜିତିଥିଲା। ତାଙ୍କ ପ୍ରଶିକ୍ଷଣରେ ଇଷ୍ଟ୍‌ ବେଙ୍ଗଲ ୫ ଥର ସିଏଫ୍‌ଏଲ୍‌ ମୁକୁଟ ଜିତିଥିଲା। ସେ ମଧ୍ୟ ୧୯୭୭ରେ ମୋହନ ବାଗାନକୁ ଆଇଏଫ୍‌ଏ ସିଲ୍ଡ, ରୋଭର୍ସ କପ୍‌ ଓ ଡୁରାଣ୍ଡ କପ୍‌ ଭେଟି ଦେଇଥିଲେ। ପ୍ରଥମ ଭାରତୀୟ ଫୁଟ୍‌ବଲର୍‌ ଭାବେ ଶ୍ରୀ ବାନାର୍ଜୀ ୧୯୬୧ରେ ଅର୍ଜୁନ ପୁରସ୍କାର ପାଇଥିଲା ବେଳେ ୧୯୯୦ରେ ପଦ୍ମଶ୍ରୀରେ ସମ୍ମାନୀତ ହୋଇଥିଲେ। ୧୯୯୦ରେ ମଧ୍ୟ ସେ ଫିଫା ଫେୟାର ପ୍ଲେ ପୁରସ୍କାର ପାଇଥିଲେ।

ମୋ ଜୀବନରେ ପିକେଙ୍କ ବଡ଼ ପ୍ରଭାବ ଥିଲା: ଗାଙ୍ଗୁଲି
ନୂ୍ଆଦିଲ୍ଲୀ: କିଂବଦନ୍ତୀ ଫୁଟ୍‌ବଲ୍‌ର ପିକେ ବାନାର୍ଜୀଙ୍କ ମୃତ୍ୟୁରେ ପୂର୍ବତନ କ୍ରିକେଟର୍‌ ସୌରଭ ଗାଙ୍ଗୁଲି ଶୋକ ବ୍ୟକ୍ତ କରିଛନ୍ତି। ଏହି ବେଙ୍ଗଲ ତାରକା ତଥା ଏବର ବିସିସିଆଇ ସଭାପତି ଗାଙ୍ଗୁଲି ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ପିକେଙ୍କ ବଡ଼ ପ୍ରଭାବ ରହିଥିଲା ବୋଲି କହିଛନ୍ତି। ‌ସେ ଯେତେବେଳେ ୧୮ ବର୍ଷର ହୋଇଥିଲେ ସେତେବେଳଠୁ ପିକେ ମୋତେ ସକାରାତ୍ମକ ଦିଗ ଦେଖାଇଥିଲେ। ତାଙ୍କ ମୃତ୍ୟୁରେ ମୁଁ ଜଣେ ଘନିଷ୍ଠଙ୍କୁ ହରାଇଲି। ତାଙ୍କ ଆତ୍ମା ସଦ୍‌ଗତିପ୍ରାପ୍ତ ହେଉ ବୋଲି ଗାଙ୍ଗୁଲି ପ୍ରାର୍ଥନା କରିଛନ୍ତି।

ପିକେଙ୍କ ଅଧୀନରେ ଶ୍ରେଷ୍ଠ ମ୍ୟାଚ୍‌ ଖେଳିଥିଲି: ଭୂତିଆ
କୋଲ୍‌କାତା: ଗାଙ୍ଗୁଲିଙ୍କ ଭଳି ଭାରତୀୟ ଫୁଟ୍‌ବଲ୍‌ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ୍‌ ଭୂତିଆ ମଧ୍ୟ ପିକେ ବାନାର୍ଜୀଙ୍କ ପରଲୋକରେ ମର୍ମାହତ ହୋଇଛନ୍ତି। ପିକେଙ୍କ ଅଧୀନରେ ମୋର ଅନ୍ୟତମ ଶ୍ରେଷ୍ଠ ମ୍ୟାଚ୍‌ ଖେଳିବା ସୌଭାଗ୍ୟର କଥା ଥିଲା ବୋଲି ଭୂତିଆ କହିଛନ୍ତି। ସେହି ମ୍ୟାଚ୍‌ରେ ପ୍ରଶିକ୍ଷକ ପିକେଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ପ୍ରାୟ ୧ ଲକ୍ଷ ୨୦ ହଜାର ଦର୍ଶକଙ୍କ ଉପସ୍ଥିତିରେ ୧୯୯୭ ଫେଡେରେସନ୍‌ କପ୍‌ ସେମିଫାଇନାଲ୍‌ରେ ଇଷ୍ଟ ବେଙ୍ଗଲ ବିପକ୍ଷରେ ୪-୧ ଗୋଲ୍‌ ବିଜୟରେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲି। ମୋହନବାଗାନ୍‌ ପକ୍ଷରୁ ଖେଳୁଥିବା ମୋ ପାଇଁ ଏହା ହିଁ ଅନ୍ୟତମ ଶ୍ରେଷ୍ଠ ତଥା ସ୍ମରଣୀୟ ମ୍ୟାଚ୍‌ ଥିଲା ବୋଲି ଭୂତିଆ କହିଛନ୍ତି।

ସମ୍ବନ୍ଧିତ ଖବର