ଗରିବ ପିଲାଙ୍କ ପାଇଁ ଲଢ଼ିଲେ ଫୁଟବଲର୍‌ ରସଫୋର୍ଡ

ମାଗଣା ମଧ୍ୟାହ୍ବ ଭୋଜନ ନିୟମ ବଦଳାଇବାକୁ ବାଧ୍ୟ ହେଲେ ଇଂଲଣ୍ଡ ସରକାର

ଲଣ୍ଡନ: ମା‌ଞ୍ଚେଷ୍ଟର ୟୁନାଇଟେଡ୍ ଫୁଟବଲର୍‌ ମାର୍କସ ରସଫୋର୍ଡଙ୍କ ପାଖକୁ ଏବେ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି। ଗରିବ ପିଲାଙ୍କ ପାଇଁ କରୁଥିବା ସଂଘର୍ଷ ଓ ଆନ୍ଦୋଳନରେ ସେ ବିଜୟୀ ହୋଇଛନ୍ତି। ଇଂଲଣ୍ଡ ସରକାର ଶେଷରେ ମୁଣ୍ଡ ନୁଆଁଇବା ସହ ଗରିବ ପିଲାଙ୍କ ପାଇଁ ପ୍ରଦାନ କରୁଥିବା ମାଗଣା ମଧ୍ୟାହ୍ନ ଭୋଜନ ‌‌ଯୋଜନାର ସଂପ୍ରସାରଣ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ଇଂଲଣ୍ଡ ସରକାର ସେଠାକାର ୧.୩ ନିୟୁତ ଗରିବ ସ୍କୁଲ ପିଲାଙ୍କୁ ମାଗଣାରେ ମଧ୍ୟାହ୍ନ ଭୋଜନ ପ୍ରଦାନ କରନ୍ତି। ହେଲେ କୋଭିଡ୍-୧୯ ପ୍ରକୋପ ଲାଗି ଏହାକୁ ବନ୍ଦ କରିଦେବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ନିଜେ ଘୋର ଆର୍ଥିକ ଅନଟନ ଓ ଦରିଦ୍ରତା ଭିତରେ ବଢ଼ିଥିବା ରସଫୋର୍ଡ ଏହାକୁ ତୀବ୍ର ବିରୋଧ କରିଥିଲେ। ଏଥିନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ ଆନ୍ଦୋଳନ ଆରମ୍ଭ କରି ଦେଇଥିଲେ ସେ। ଯାହାକୁ ସବୁ ବର୍ଗରୁ ସମର୍ଥନ ମିଳିଥିଲା। ବିବାଦ ବଢ଼ୁଥିବାର ଦେଖି ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ ନିଜ ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହୋଇଥିଲେ। ଗରିବ ପିଲାମାନଙ୍କୁ ଆଉ ୬ ସପ୍ତାହ ପାଇଁ ମାଗଣାରେ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଥିଲେ।

୨୨ ବର୍ଷୀୟ ରସଫୋର୍ଡ ଏଥିପାଇଁ ଜନସନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କୁ କିନ୍ତୁ ରାଜନେତାଠାରୁ ଆରମ୍ଭ କରି ପ୍ରଶାସକ ପର୍ଯ୍ୟନ୍ତ, ସମସ୍ତେ ପ୍ରଶଂସା କରିଛନ୍ତି। ଆର୍ଥିକ ଅନଗ୍ରସର ଶ୍ରେଣୀର ପିତାମାତାଙ୍କୁ ସାହାଯ୍ୟ କରିପାରିଥିବାରୁ ସେ ଗର୍ବିତ ବୋଲି ରସଫୋର୍ଡ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସେ କହିଛନ୍ତି, ‘‘ ଆହୁରି ଅନେକ ବାଟ ଯିବାର ଅଛି, ମୁଁ କିନ୍ତୁ ଆପଣମାନଙ୍କୁ ଧନ୍ୟବାଦ ଦେଉଛି (ଇଂଲଣ୍ଡ ସରକାର) ଯେ ଆପଣ ସେହି ପରିବାରଗୁଡ଼ିକର ଗୋଟିଏ ଚିନ୍ତା ଅନ୍ତତଃ କମାଇ ପାରିଛନ୍ତି। ୧୦ ବର୍ଷ ପୂର୍ବେ, ମୁଁ ସେମାନଙ୍କ (ଗରିବ ପିଲାଙ୍କ) ମଧ୍ୟରୁ ଜଣେ ଥିଲି। ‌ଭୋକିଲା ରହିବାର କଷ୍ଟ କ’ଣ ମୁଁ ତାହା ଭଲ ଭାବରେ ଜାଣିଛି। ସୂଚନାଯୋଗ୍ୟ ଯେ ରସଫୋର୍ଡ ୨୦୧୬ ମସିହାରେ ଇଂଲଣ୍ଡର ସର୍ବକନିଷ୍ଠ ଖେଳାଳି ଭାବେ ଅନ୍ତର୍ଜାତୀୟ ଗୋଲ୍ କରିଥିଲେ। ସେ ମଧ୍ୟ ୨୦୧୮ ଫିଫା ବିଶ୍ବକପ୍ ଖେଳିଥିଲେ। ସଂପ୍ରତି ସେ ମାଞ୍ଚେଷ୍ଟର ୟୁନାଇଟେଡ୍ ଦଳର ଅଗ୍ରଭାଗରେ ଖେଳୁଛନ୍ତି। ତାଙ୍କ ପିଲାବେଳ ବହୁ ଦୁଃଖ କଷ୍ଟରେ କଟିଥିଲା।

ସମ୍ବନ୍ଧିତ ଖବର